ନୟାଗଡ଼ ଜିଲ୍ଲା ରଣପୁରରୁ ବିରଳ ଶାଗୁଣା ଉଦ୍ଧାର

Advertisment
ନୟାଗଡ଼ ଜିଲ୍ଲା ରଣପୁରରୁ ବିରଳ ଶାଗୁଣା ଉଦ୍ଧାର

ରଣପୁର : ଗୋଟିଏ ସମୟରେ ଓଡ଼ିଶା ଆକାଶରେ ପଲ ପଲ ଶାଗୁଣା ଉଡ଼ୁଥିବାର ଦେଖିବାକୁ ମିଳୁଥିଲେ। କେଉଁଠି ମଢ଼ଟିଏ ପଡ଼ିଥିଲେ ଅଳ୍ପ ସମୟ ଭିତରେ ଶାଗୁଣା ପଲ ସେଠାରେ ପହଞ୍ଚି ଯାଉଥିଲେ। ତେବେ ଗତ କିଛି ବର୍ଷ ହେଲା ଜଳବାୟୁରେ ପରିବର୍ତ୍ତନ ଓ ଅନ୍ୟାନ୍ୟ କାରଣରୁ ଶାଗୁଣା ଆଉ ଦେଖାଯାଉନାହାନ୍ତି। କେବଳ ଓଡ଼ିଶା ନୁହେଁ, ସମଗ୍ର ଦେଶରେ ବିଲୁପ୍ତ ହେବାକୁ ବସିଛି ଶାଗୁଣା ବଂଶ। କେବଳ ଆସାମରେ ଅଳ୍ପ କିଛି ଶାଗୁଣା ତିଷ୍ଠି ରହିବା ପାଇଁ ସଂଘର୍ଷ କରି ଚାଲିଛନ୍ତି। ଏଭଳି ପରିସ୍ଥିତିରେ ଆଜି ରଣପୁର ଅଞ୍ଚଳରେ ଦେଖା ଦେଇଛି ଏହି ବିରଳ ଶାଗୁଣା।

ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍‌ ଅନ୍ତର୍ଗତ ଗଡ଼ବାଣିକିଲୋ ପଞ୍ଚାୟତ ଅଧୀନ ଗୁଣ୍ତୁରିଆ ଗାଁରୁ ଏକ ବିରଳ ଶାଗୁଣା ଉଦ୍ଧାର କରାଯାଇଛି। ସ୍ଥାନୀୟ ବନ ବିଭାଗ ରେଞ୍ଜର୍‌ ଶରତ କୁମାର ଶତପଥୀଙ୍କ ସୂଚନା ମୁତାବକ ରଣପୁର ବନ ବିଭାଗ ଅନ୍ତର୍ଗତ ଗୁଣ୍ତୁରିଆ ଗାଁର ଏକ କୁକୁଡ଼ା ଫାର୍ମ ନିକଟରେ ଅସୁସ୍ଥ ଅବସ୍ଥାରେ ଏହି ଶାଗୁଣାକୁ ଦେଖି ଗ୍ରାମବାସୀ ବନ ବିଭାଗକୁ ଜଣାଇଥିଲେ। ଫରେଷ୍ଟର କୈବଲ୍ୟ ବେହେରା ଓ ସ୍ନେକ୍ ହେଲ୍ପଲାଇନ ସଦସ୍ୟ ଅଜୟ କୁମାର ଦାସ ଉକ୍ତ ସ୍ଥାନରେ ପହଞ୍ଚି ଅସୁସ୍ଥ ଶାଗୁଣାକୁ ଉଦ୍ଧାର କରି ବନ ବିଭାଗ କାର୍ଯ୍ୟାଳୟକୁ ନେଇଥିଲେ। ସେଠାରେ ସ୍ଥାନୀୟ ପଶୁ ଚିକିତ୍ସାଳୟ କର୍ମଚାରୀଙ୍କ ସହାୟତାରେ ଶାଗୁଣାଟିର ଚିକିତ୍ସା କରାଯାଉଥିବା ଜଣାଯାଇଛି। ଏ ଅଞ୍ଚଳରେ ପ୍ରାୟ ୩୦ ବର୍ଷ ହେଲା ଶାଗୁଣା ଦେଖିବାକୁ ମିଳି ନଥିବାବେଳେ ବେଳେ ଆଜି ଏହି ଶାଗୁଣାକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା। ତେବେ ପକ୍ଷୀ ବିଶେଷଜ୍ଞମାନେ ଏହା ଉପରେ ବିଶେଷ ଗୁରୁତ୍ବାରୋପ କରି ଅନୁସନ୍ଧାନ କଲେ ଅଞ୍ଚଳରେ ଶାଗୁଣାର ପୁନରୁଦ୍ଧାର ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe