IndianCattle
ଭୁବନେଶ୍ବର : ରାଜ୍ୟରେ ବନ୍ୟା ପରିସ୍ଥିତିକୁ ନଜରରେ ରଖି ପ୍ରାଣୀଧନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରଭାବିତ ପ୍ରାଣୀସଂପଦର ଚିକିତ୍ସା ଓ ଟିକାକରଣ ୟୁଜର୍ସ ଫି’କୁ ଛାଡ଼ କରିଛନ୍ତି। ଏ ସଂକ୍ରାନ୍ତ ପ୍ରସ୍ତାବକୁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅନୁମୋଦନ କରିଛନ୍ତି।
ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପ୍ରାଣୀ ଚିକିତ୍ସାଳୟ ଓ ବିଭାଗ ପକ୍ଷରୁ ଆୟୋଜିତ ପ୍ରାଣୀଧନ ଚିକିତ୍ସା ଶିବିରରେ ରିଲିଫ୍ ପଦକ୍ଷେପ ସ୍ବରୂପ ୧୫ଦିନ ପର୍ଯ୍ୟନ୍ତ ଏହି ୟୁଜର୍ସ ଫି’ ଛାଡ଼ କରାଯାଇଛି। ଅଗଷ୍ଟ ୧୬ତାରିଖରୁ ୧୫ଦିନ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ। ପ୍ରାଣୀଧନମାନଙ୍କର ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ରକ୍ତ, ମଳ ଆଦି ପରୀକ୍ଷା ପାଇଁ ମଧ୍ୟ ୟୁଜର୍ସ ଫି’ ନିଆଯିବ ନାହିଁ। ଏହାସହ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପ୍ରାଣୀଧନମାନଙ୍କର ଚିକିତ୍ସା ଓ ଟିକାକରଣ ପାଇଁ ବ୍ୟାପକ ମାଗଣା ପ୍ରାଣୀ ଚିକିତ୍ସା ଶିବିରର ଆୟୋଜନ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଏହାବାଦ୍ ଏସ୍ଡିଆରଏଫ୍ ମାର୍ଗଦର୍ଶିକା ଅନୁସାରେ ଗୋପାଳନରେ ନିୟୋଜିତ ଚାଷୀମାନଙ୍କୁ ଗୋଖାଦ୍ୟ ଯୋଗାଇଦେବା ପାଇଁ କୁହାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାଣୀଧନର ସୁରକ୍ଷା ଓ ତୁରନ୍ତ ଚିକିତ୍ସାକୁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି। ଏ ଦିଗରେ ଜରୁରୀକାଳୀନ ପଦକ୍ଷେପ ନେବା ପାଇଁ ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳ ଓ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ପତ୍ର ଲେଖିଛନ୍ତି।
Follow Us