ଓ୍ଵାର୍ଡସଭ୍ୟ ଉପନିର୍ବାଚନ ବେଳେ ଲଙ୍କାକାଣ୍ଡ : ଗାଡ଼ି ଭଙ୍ଗାରୁଜା, ଢେଲାମାଡ଼

୭ ପୁଲିସ୍‌ କର୍ମଚାରୀ ଆହତ

ଓ୍ଵାର୍ଡସଭ୍ୟ ଉପନିର୍ବାଚନ ବେଳେ ଲଙ୍କାକାଣ୍ଡ : ଗାଡ଼ି ଭଙ୍ଗାରୁଜା, ଢେଲାମାଡ଼

ଉଦଳା(୧)  : ସ୍ଥାନୀୟ କୋଚିଳାଡିହା ପଞ୍ଚାୟତର ୨ ନମ୍ବର ଓ୍ଵାର୍ଡରେ ଆଜି ଓ୍ଵାର୍ଡସଭ୍ୟ ଉପନିର୍ବାଚନକୁ ନେଇ ଲଙ୍କାକାଣ୍ଡ ଘଟିଛି। ବୁଥ୍‌ରେ ହିଁ ଭୋଟ୍‌ ଗଣତି ଦାବିକରି ଉତ୍ତ୍ୟକ୍ତ ଲୋକେ ପୁଲିଂ ପାର୍ଟି ଓ ପୁଲିସକୁ ଘେରିଛନ୍ତି। ପୁଲିସ ଓ ପୁଲିଂ ପାର୍ଟିକୁ ଟେକାପଥର ମାଡ଼ କରିଛନ୍ତି। ସେମାନେ ୨ଟି ସରକାରୀ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ବାଲଟ ବାକ୍ସକୁ ଛଡ଼ାଇ ନେବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି। ଟେକାମାଡ଼ରେ ୭ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଗଣ୍ଡଗୋଳ ସତ୍ତ୍ୱେ ବି ପୁଲିଂ କର୍ମଚାରୀ ବାଲଟ ବକ୍ସ ସୁରକ୍ଷିତଭାବେ ଧରି ପଳାଇ ଆସିଛନ୍ତି। ଏନେଇ ଉଦଳା ବିଡିଓ ସୁଚାରୁ କୁମାର ବଳ ଆଜି ଥାନାରେ ଏତଲା ଦେଇଛନ୍ତି। ହେଲେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ପୁଲିସ କାହାକୁ ଗିରଫ କରିନାହିଁ।

publive-imageଆଜି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅନ୍ତର୍ଗତ କୋଚିଳାଡିହା ପଞ୍ଚାୟତର ୨ ନମ୍ବର ଓ୍ଵାର୍ଡ ଓ ରାଢୋ ପଞ୍ଚାୟତର ୧୨ ନମ୍ବର ଓ୍ଵାର୍ଡରେ ସଭ୍ୟ ପଦ ପାଇଁ ଉପନିର୍ବାଚନ ହୋଇଥିଲା। ମତଦାନ ସକାଳ ୭ରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୨ରେ ଶୃଙ୍ଖଳିତ ଭାବେ ସରିଥିଲା। ହେଲେ ଯେତେବେଳେ ପୁଲିଂ ପାର୍ଟି ବାଲଟ ବକ୍ସଧରି ବାହାରିଲେ, କୋଚିଳାଡିହା ପଞ୍ଚାୟତର ୨ ନମ୍ବର ଓ୍ଵାର୍ଡବାସୀ ବୁଥ୍‌ରେ ହିଁ ଭୋଟ ଗଣତି ପାଇଁ ଦାବି କରିଥିଲେ। ଏହାକୁ ନେଇ ବିବାଦ ଉପୁଜିଥିଲା। କର୍ମଚାରୀମାନେ ବାଲଟ୍‌ ବକ୍ସ ସିଲ୍‌ କରି ବ୍ଲକ କାର୍ଯ୍ୟାଳୟକୁ ଯାଉଥିବା ବେଳେ ସେମାନେ ଆକ୍ରମଣ କରି ବାଲଟ୍‌ ବକ୍ସ ଛଡାଇ ନେବାକୁୁ ଉଦ୍ୟମ କରିଥିଲେ। ବିଡିଓ, ପୁଲିଂ ପାର୍ଟି ଓ ପୁଲିସ୍‌ ସହ ସେମାନେ ମୁହାଁମୁହିଁ ହୋଇଥିଲେ।

publive-imageଯୁକ୍ତିତର୍କ ବଢ଼ିବାରୁ ଉତ୍ତ୍ୟକ୍ତ ଲୋକେ ପୁଲିଂ ପାର୍ଟି ଆସିଥିବା ଗାଡ଼ି ଓ ପୁଲିସ ଜିପ୍‌ ଉପରେ ଟେକାପଥର ମାଡ଼କରିଥିଲେ। ଫଳରେ ଗାଡ଼ି ଦୁଇଟି ଭାଂଗି ଯାଇଥିଲା। ଟେକା ମାଡ଼ରେ ଏସଆଇ ଶ୍ରୀନିବାସ ମାର୍ଥା, ଏଏସଆଇ ରବୀନ୍ଦ୍ରନାଥ ପୋଥାଳ, ବାସନ୍ତୀ ସିଂ, କନେଷ୍ଟବଳ ଭାବିନୀ ବାରିକଙ୍କ ସହ ଓଏସଏପିର ବିଭୂତି କୁମାର ଚାନ୍ଦ, ପ୍ରଭାତ କୁମାର ଦାସ, ଅଜୟ କୁମାର ଦେହୁରୀ ପ୍ରମୁଖ ଆହତ ହୋଇଛନ୍ତି। ସେମାନଙ୍କୁ ଉଦଳା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି। ଆସନ୍ତା କାଲି ବ୍ଲକ କାର୍ଯ୍ୟାଳୟରେ ଭୋଟ ଗଣତି ପରେ ଫଳାଫଳ ପ୍ରକାଶ ପାଇବ ବୋଲି ବିଡିଓ ଶ୍ରୀ ବଳ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe