DNA India
ଢେଙ୍କାନାଳ : ସଦର ଥାନା ଅନ୍ତର୍ଗତ କଙ୍କଡାହାଡ଼ ପଞ୍ଚାୟତର ନମିଚିରା ଗାଁରେ ଆଜି ଅପରାହ୍ଣରେ ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି। କଙ୍କଡାହାଡ଼ ପଞ୍ଚାୟତର ୱାର୍ଡ ସଭ୍ୟାଙ୍କ ସ୍ବାମୀଙ୍କୁ ପଡ଼ୋଶୀ ନମିଚିରା ଗାଁ ଚଉପାଢ଼ିଠାରେ କେହି ଦୁର୍ବୃତ୍ତ ମାରଣାସ୍ତ୍ରରେ ନିର୍ମମ ଭାବେ ହତ୍ୟା କରି ଫେରାର୍ ହୋଇଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ହତ୍ୟାକାଣ୍ଡ ପରେ ସଂପୃକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଲୋକମାନେ ଭୟରେ ତାଟିକବାଟ ପକାଇ ଘରେ ଲୁଚିରହିଛନ୍ତି। ଫଳରେ ହତ୍ୟାକାଣ୍ଡର କାରଣ ଓ ହତ୍ୟାକାରୀ ସଂପର୍କରେ ରାତିସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ। ପୁଲିସ ଗାଁରେ ପହଞ୍ଚି ତନାଘନା ଚଳାଇଛି।
ସୂଚନା ଅନୁଯାୟୀ, କଙ୍କଡାହାଡ଼ ଗାଁର ୪ନମ୍ବର ୱାର୍ଡ ସଭ୍ୟା ଲିଲି ବେହେରାଙ୍କ ସ୍ବାମୀ ବିଜୟ ବେହେରା (୪୮) ଆଜି ଅପରାହ୍ଣରେ ‘ବିଲକୁ ଯାଉଛି କହି ଘରୁ ବାହାରି ଯାଇଥିଲେ। ହେଲେ ସଂଧ୍ୟା ପ୍ରାୟ ୬ଟା ବେଳେ ନମିଚିରା ଗାଁ ମଝି ଚଉପାଢିଠାରେ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଗ୍ରାମବାସୀ ଦେଖିଥିଲେ। ସଦର ଥାନା ଅଧିକାରୀ ଅଭିନବ ଡାଳୁଆ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଏହି ହତ୍ୟାକାଣ୍ଡ ପରେ ଗାଁରେ କୋକୁଆ ଭୟ ଖେଳିଯାଇଛି। ପୁଲିସ୍ ଭୟରେ ସମସ୍ତେ ଘର ଭିତରେ ରହିଥିବାରୁ ଗାଁ ରାସ୍ତା ଶୂନ୍ଶାନ୍ ହୋଇଯାଇଛି। ଖବର ଲେଖାହେବା ପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇନଥିବାରୁ ମାମଲା ରୁଜୁ ହୋଇପାରିନଥିବା ସଦର ଥାନା ଅଧିକାରୀ ଶ୍ରୀ ଡାଳୁଆ କହିଛନ୍ତି।
ଏ ସଂପର୍କରେ ମୃତକଙ୍କ ଭାଇ ଦେବରାଜ ବେହେରାଙ୍କୁ ପଚାରିବାରୁ ସେ କହିଲେ, ‘ସଂଧ୍ୟାରେ ତାଙ୍କ ଭାଇ ବିଲକୁ ଯାଇଥିଲେ। ନିମିଚିରା ଗାଁର କେହି ଲୋକ ତାଙ୍କୁ ହତ୍ୟା କରିଛି। ତେବେ କେହି ସୁରିଆ ନାମକ ବ୍ୟକ୍ତି ମୋ ଭାଇକୁ ମାରିଥିବା ଲୋକଙ୍କଠାରୁ ଶୁଣିବାକୁ ମିଳୁଛି। ହେଲେ ମୁଁ ତାକୁ ଚିହ୍ନିନାହିଁ, ମୋ ଭାଇକୁ କେହି ଜଣେ ମାତ୍ର ଲୋକ ମାରିପାରିବ ନାହିଁ। ଏହାପଛରେ ଏକାଧିକ ଲୋକଙ୍କ ନିଶ୍ଚୟ ସଂପୃକ୍ତି ରହିଛି। କାହିଁକି ଓ କେଉଁମାନେ ମୋ ଭାଇକୁ ମାରିଲେ ତାହା ମୁଁ ଭାବିପାରୁନାହିଁ।’
ଏସଂପର୍କରେ କଙ୍କଡ଼ାହାଡ଼ ସରପଞ୍ଚ ବିଜୟ ବେହେରା କହିଲେ ଯେ ଏଭଳି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ତ ପୂର୍ବରୁ କେବେ ଘଟିନଥିଲା। ମାଛ ଚାଷକୁ ନେଇ ହୁଏତ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଥିବା ସେ କହିଥିଲେ।
Follow Us