BJD, Congress: ବିଜେଡି, କଂଗ୍ରେସକୁ ସତର୍କ ଘଣ୍ଟି: କାମ କରୁନି ନବୀନଙ୍କ ଯାଦୁ, ନାଁରେ ଭୋଟ ହେଉନି

‘ବିଜେଡିରେ ପ୍ରାର୍ଥୀଙ୍କର କିଛି ଗୁରୁତ୍ବ ନାହିଁ। ଯିଏ ଯେଉଁଠି ପ୍ରାର୍ଥୀ ହେଲେ ବି କିଛି ଫରକ ପଡ଼େନି। କାହିଁକି ନା ଭୋଟ ନବୀନ ପଟ୍ଟନାୟକ ଓ ଶଙ୍ଖ ଚିହ୍ନ ନାଁରେ ଅଛି।’ ଏମିତି ଏକ ଭୁଲ୍ ଧାରଣାରୁ ବିଜେଡି ଏବେ ବି ମୁକୁଳି ପାରିନାହିଁ।

bjd congress

Photograph: (Odisha TV)

ଚୌଧୁରୀ ଅମିତାଭ ଦାସ
ଭୁବନେଶ୍ବର: ‘ବିଜେଡିରେ ପ୍ରାର୍ଥୀଙ୍କର କିଛି ଗୁରୁତ୍ବ ନାହିଁ। ଯିଏ ଯେଉଁଠି ପ୍ରାର୍ଥୀ ହେଲେ ବି କିଛି ଫରକ ପଡ଼େନି। କାହିଁକି ନା ଭୋଟ ନବୀନ ପଟ୍ଟନାୟକ ଓ ଶଙ୍ଖ ଚିହ୍ନ ନାଁରେ ଅଛି।’ ଏମିତି ଏକ ଭୁଲ୍ ଧାରଣାରୁ ବିଜେଡି ଏବେ ବି ମୁକୁଳି ପାରିନାହିଁ। ୨୦୨୪ରେ ଏହି ଧାରଣାକୁ ନେଇ ରଣନୀତି କରି ବହୁ ନିର୍ବାଚନମଣ୍ଡଳୀରେ ଦଳ ବିଫଳ ହେଲା। ଆଉ ନୂଆପଡ଼ାରେ ବି ସେହି ଭୁଲ୍‌ର ପୁନରାବୃତ୍ତି କଲା। ବିଜେଡି ପ୍ରଥମ ଥର ପାଇଁ ନିର୍ବାଚନରେ ତୃତୀୟ ସ୍ଥାନକୁ ଖସିଗଲା। ନବୀନଙ୍କ ଯାଦୁ କାମ କଲାନି। ନବୀନଙ୍କ ନାଁରେ ଯେ ଆଉ ଭୋଟ ନାହିଁ, ତାହା ପ୍ରମାଣିତ ହେଲା। ଜାତୀୟସ୍ତରରେ ବିଜେପିର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ହେଲା କଂଗ୍ରେସ। ଓଡ଼ିଶାରେ ବି କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ଓହ୍ଲାଇଛି ବୋଲି ଏକ ଧାରଣା ସୃଷ୍ଟି ହୋଇଛି। ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ବରେ କଂଗ୍ରେସ ସକ୍ରିୟ ହୋଇଛି ସତ, କିନ୍ତୁ ଭୋଟ ରାଜନୀତିରେ କଂଗ୍ରେସର ପ୍ରଦର୍ଶନରେ ଆଦୌ ଉନ୍ନତି ହୋଇନାହିଁ। ନିର୍ବାଚନୀ ରଣନୀତିରେ କଂଗ୍ରେସର ବିଫଳତା ଯେ ଜାରି ରହିଛି, ଏହା ନୂଆପଡ଼ାରୁ ସ୍ପଷ୍ଟ ହୋଇଗଲା। 
ନୂଆପଡ଼ା ଉପନିର୍ବାଚନର ଫଳାଫଳକୁ ନେଇ ରାଜନୈତିକ ମହଲରେ ଏମିତି ଅଙ୍କ କଷାଯାଉଛି। ଏହି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କର ଏକପାଖିଆ ବିଜୟ ହୋଇଛି। ସାଧାରଣତଃ ଉପନିର୍ବାଚନର ଫଳାଫଳ ଶାସକ ଦଳ ସପକ୍ଷରେ ଯାଏ। ନିକଟ ଅତୀତରେ ଯେତେ ଉପନିର୍ବାଚନ ହୋଇଛି, ସେଥିରୁ ଗୋଟିଏକୁ ଛାଡ଼ି ଦେଲେ ସବୁବେଳେ ଶାସକ ଦଳର ବିଜୟ ହୋଇଥିଲା। ନୂଆପଡ଼ାରେ ବି ତାହାର ପୁନରାବୃତ୍ତି ହେବ ବୋଲି ଆରମ୍ଭରୁ ଆଭାସ ମିଳିଥିଲା। ବିଜେଡିର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରି ବିଜେପି ଏକ ଅଭେଦ୍ୟ ରଣନୀତି ପ୍ରସ୍ତୁତ କରୁଥିବାର ଜଣାପଡ଼ିଥିଲା। କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜ୍ୟର ସବୁ ମନ୍ତ୍ରୀ ଓ ୫୦ରୁ ଅଧିକ ବିଧାୟକ ନୂଆପଡ଼ାରେ ରହି ପ୍ରଚାରରେ ସାମିଲ ହୋଇଥିଲେ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବି ପ୍ରଚାର କରିଥିଲେ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନିଜେ ଉପସ୍ଥିତ ରହି ପ୍ରଚାର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ। ଶାସନକୁ ଆସିଲା ପରେ ପ୍ରଥମ ଅଗ୍ନିପରୀକ୍ଷାରେ ବିଜେପି ଭଲ ପ୍ରଦର୍ଶନ କରିଛି। ତେବେ ବିଜେପିର ବଡ଼ ବିଜୟକୁ ନେଇ ସାଧାରଣରେ ଯେତିକି ଚର୍ଚ୍ଚା ହେଉନି, ବିଜେଡି ଓ କଂଗ୍ରେସର ଦୁର୍ବଳ ରଣନୀତି ଓ ଶୋଚନୀୟ ପ୍ରଦର୍ଶନକୁ ନେଇ ଅଧିକ ତର୍ଜମା ହେଉଛି।
କାମ କରୁନି ନବୀନଙ୍କ ଯାଦୁ, ନାଁରେ ଭୋଟ ହେଉନି
ମନଇଚ୍ଛା ପ୍ରାର୍ଥୀ ଚୟନ ଧାରାରୁ ମୁକୁଳିପାରିନି ବିଜେଡି
ଭୋଟ ରାଜନୀତିରେ କଂଗ୍ରେସର ବିଫଳତା ଜାରି
୨୦୨୪ରେ କ୍ଷମତାଚ୍ୟୁତ ହେଲା ପରେ ବିଜେଡି ପ୍ରଥମ ନିର୍ବାଚନକୁ ସାମନା କଲା। କିନ୍ତୁ ଜୟ ଢୋଲକିଆ ବିଜେପିକୁ ଡେଇଁଲା ପରେ ଦଳରେ ପ୍ରାର୍ଥୀ ସଙ୍କଟ ଦେଖାଦେଇଥିଲା। ନୂଆପଡ଼ାରେ ଏକାଧିକ ଆଶାୟୀ ଥିଲେ ମଧ୍ୟ ଦଳ ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଣି ପ୍ରାର୍ଥୀ କଲା। ଏମିତିରେ ସ୍ନେହାଙ୍ଗିନୀଙ୍କର ନୂଆପଡ଼ାରେ ନିଜର କିଛି ପ୍ରଭାବ ନାହିଁ କି ଭୋଟରଙ୍କୁ ଆକର୍ଷିତ କଲା ପରି ବ୍ୟକ୍ତିତ୍ବ ନାହିଁ। ତାଙ୍କୁ ପ୍ରାର୍ଥୀ ଘୋଷଣା କଲା ବେଳେ ଆକଳନ କରାଯାଉଥିଲା ଯେ ବିଜେଡି ନିଶ୍ଚିତ ତୃତୀୟରେ ରହିବ। ତେବେ ବିଜେଡିର ଆଗଧାଡ଼ିର ନେତାମାନେ ନୂଆପଡ଼ାରେ ଡେରା ପକାଇ ସ୍ନେହାଙ୍ଗିନୀଙ୍କ ପ୍ରଚାର ଅଭିଯାନକୁ ଆଖିଦୃଶିଆ କରିଦେଇଥିଲେ। ପ୍ରଚାରରେ ବିଜେପିର ପାଖାପାଖି ରହିଥିଲା ବିଜେଡି। କିନ୍ତୁ ଭୋଟରେ ତାହା ରୂପାନ୍ତରିତ ହୋଇପାରି ନଥିଲା। ମୁଖ୍ୟମନ୍ତ୍ରୀ ଥିଲା ବେଳେ ଗତ ୧୦ ବର୍ଷରେ ଯେତେ ଉପନିର୍ବାଚନ ହୋଇଛି, ସେଠାକୁ ପ୍ରଚାର କରିବାକୁ ନିଜେ ନବୀନ ଯାଇନାହାନ୍ତି। କିନ୍ତୁ ଏଠାରେ ନବୀନଙ୍କ ଭାବମୂର୍ତ୍ତିକୁ ବାଜିରେ ଲଗାଗଲା। ଦୁଇ ଦୁଇ ଥର ନବୀନ ନୂଆପଡ଼ା ଯାଇ ପ୍ରଚାର କଲେ। ବୟସାଧିକ ଯୋଗୁ ତାଙ୍କର ଶାରୀରିକ ଅସୁସ୍ଥତା ବାରି ହୋଇପଡ଼ୁଥିଲା। ତାହା ସତ୍ତ୍ବେ ନବୀନ ନୂଆପଡ଼ା ଗଲେ। ବିଜେଡିର ଧାରଣା ଥିଲା ଯେ ନବୀନଙ୍କ ପ୍ରତି ଲୋକଙ୍କର ସମ୍ବେଦନଶୀଳତା ରହିବ। ନବୀନ ହାତ ହଲେଇଲେ ଭୋଟ ବର୍ଷା ହୋଇଯିବ। ହେଲେ ଏହି ଧାରଣା ଭୁଲ୍‌ ପ୍ରମାଣିତ ହୋଇଛି। ନବୀନଙ୍କୁ ଦେଖିବା ପାଇଁ ଲୋକଙ୍କର ଆଗ୍ରହ ଥିଲା ସତ, କିନ୍ତୁ ନବୀନଙ୍କ ନାଁରେ ଯେ ଆଉ ଭୋଟ ନାହିଁ, ତାହା ନୂଆପଡ଼ା ଜନାଦେଶ ଇଙ୍ଗିତ ଦେଉଛି। 
ଜୟ ଢୋଲକିଆ ବିଜେପିରେ ମିଶିଲା ପରେ ବିଜେଡି ହଠାତ୍‌ ତାଙ୍କୁ ବ୍ୟକ୍ତିଗତ ଆକ୍ରମଣ ଆରମ୍ଭ କରିଦେଲା। ସେ ରାଜୁ ଢୋଲକିଆଙ୍କ ପାଳିତ ପୁଅ ବୋଲି କହି ଦଳର ବରିଷ୍ଠ ନେତାମାନେ ବୟାନବାଜି କରି ଚାଲିଲେ। କିନ୍ତୁ ତାହା ଗ୍ରହଣୀୟ ହେଲା ନାହିଁ। କିଛି ନେତା ବିଜେପି ପ୍ରାର୍ଥୀ ଚୋରି କରିଛି ବୋଲି ପ୍ରଚାର କଲେ। ନିଜେ ନବୀନ ମଧ୍ୟ ନିର୍ବାଚନୀ ମଞ୍ଚରେ ସେହି କଥାକୁ ଦୋହରାଇଲେ। ଜୟଙ୍କ ବେଇମାନି କଥା ଉଠାଇଲେ। କିନ୍ତୁ ପ୍ରାର୍ଥୀ ଚୋରି ଓ ବେଇମାନି ପ୍ରସଙ୍ଗରେ ବିଜେଡି ବ୍ୟାକ୍‌ଫୁଟ୍‌ରେ ରହିଗଲା। ବିଜେପୁର ଉପନିର୍ବାଚନରେ ଦିବଂଗତ କଂଗ୍ରେସ ବିଧାୟକଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିବା ଓ ୨୦୧୯ରେ କାକଟପୁରରେ ବିଜେପି ପ୍ରାର୍ଥୀଙ୍କୁ ନେଇ ବିଜେଡି ଟିକେଟ୍‌ ଦେବା ଆଦି ପ୍ରସଙ୍ଗ ବିଜେପି ଉଠାଇ ବିଜେଡିକୁ ଘାଇଲା କଲା। ତେଣୁ ଏହି ରଣନୀତିଟି ବିଜେଡି ପାଇଁ ବୁମେରାଂ ସାବ୍ୟସ୍ତ ହେଲା ବୋଲି ବହୁ ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି।   
କଂଗ୍ରେସର ରଣନୀତି ମଧ୍ୟ ବିଫଳ ସାବ୍ୟସ୍ତ ହୋଇଛି। ନିର୍ବାଚନ ପ୍ରକ୍ରିୟାର ବହୁ ପୂର୍ବରୁ ଘାସିରାମ ମାଝୀ କଂଗ୍ରେସ ପ୍ରାର୍ଥୀ ହେବେ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ ସୂଚନା ଦେଇଥିଲେ। ବିଜେପି ଓ ବିଜେଡିଠାରୁ ନିର୍ବାଚନୀ ପ୍ରସ୍ତୁତିରେ କଂଗ୍ରେସ ଆଗରେ ଥିଲା। କିନ୍ତୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଲା ପରେ ଯେତେବେଳେ ପ୍ରଚାର ମଇଦାନ କମ୍ପିଲା, ସେତେବେଳେ କଂଗ୍ରେସ ପଛରେ ପଡ଼ିଗଲା। ଘାସିରାମ ବ୍ୟକ୍ତିଗତ ଭାବେ ଘରକୁ ଘର ବୁଲି ପ୍ରଚାର କରୁଥିଲେ ବି ସାମୂହିକ ପ୍ରଚାର ଆଦୌ ଆଖିଦୃଶିଆ ହେଲା ନାହିଁ। ସ୍ଥିତି ଏମିତି ହେଲା ଯେ ଦେଢ଼ ବର୍ଷ ତଳେ ଘାସିରାମ ସ୍ବାଧୀନ ଭାବେ ଯେତିକି ଭୋଟ ପାଇଥିଲେ ଏବେ ଦଳୀୟ ପ୍ରାର୍ଥୀ ହୋଇ ବି ତାହାଠାରୁ ଯଥେଷ୍ଟ କମ୍ ଭୋଟ ପାଇଲେ। ନୂଆପଡ଼ା ବିଧାନସଭା ଆସନ କଳାହାଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀରେ ଯାଉଥିବାରୁ ଭକ୍ତଙ୍କର ଏଠାରେ ଦଖଲ ବି ଥିଲା। କିନ୍ତୁ ତାଙ୍କ ପ୍ରଭାବ କିମ୍ବା ରଣନୀତି କିଛି କାମ ଦେଲାନି। ଭକ୍ତ ନିଜେ ବ୍ୟକ୍ତିଗତ ଭାବେ ଏଠାରେ କଂଗ୍ରେସର ମଙ୍ଗ ଧରିଥିବାରୁ ବିଫଳତା ପାଇଁ ତାଙ୍କୁ ହିଁ ଦାୟୀ କରାଯାଉଛି। ଲୋକଙ୍କୁ କଂଗ୍ରେସ ଆଡ଼କୁ ଆକର୍ଷିତ କରି ତାହାକୁ ଭୋଟରେ ପରିଣତ କରିବା ପାଇଁ କଂଗ୍ରେସକୁ ଆହୁରି ଅଧିକ ପରିଶ୍ରମ କରିବାର ଅଛି, ତାହା ସ୍ପଷ୍ଟ ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe