ସତର୍କ ରହିବାକୁ ବିଧାୟକମାନଙ୍କୁ ପରାମର୍ଶ

Advertisment
ସତର୍କ ରହିବାକୁ ବିଧାୟକମାନଙ୍କୁ ପରାମର୍ଶ

ସମ୍ବଲପୁର : ମାଓବାଦୀ ସଂଗଠନ ପ୍ରତିଷ୍ଠା ସପ୍ତାହ ପାଳନ ଅବସରରେ ରକ୍ତମୁଖା ହୋଇଛନ୍ତି ଲାଲବାହିନୀ। ଆନ୍ଧ୍ରପ୍ରଦେଶରେ ୨ ବିଧାୟକଙ୍କୁ ହତ୍ୟା କରିବା ସହ କଳାହାଣ୍ଡିରେ ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି। ପୁଲିସ ସହ ମୁହାଁମୁହିଁ ହୋଇଛନ୍ତି। ଅନ୍ୟାନ୍ୟ ସ୍ଥାନରେ ବି ହିଂସା ପାଇଁ ସେମାନେ ଯୋଜନା କରିଛନ୍ତି। ସେପ୍ଟେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ ହେବ ବୋଲି ସୂଚନା ପାଇବା ପରେ ପୁଲିସର ନିଦ ହଜି ଯାଇଛି। ପଶ୍ଚିମ ଓଡ଼ିଶାର କେତେକ ମାଓ ଅଧ୍ୟୁଷିତ ଅଞ୍ଚଳରେ ବିଧାୟକ ଓ ଜନପ୍ରତିନିଧିଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ତେବେ ଏ ନେଇ ଅଧିକ ମୁହଁ ଖୋଲିବାକୁ ଚାହୁନି ପୁଲିସ। ଉତ୍ତରାଞ୍ଚଳ ରେଞ୍ଜ ଡିଆଇଜି ସତ୍ୟବ୍ରତ ଭୋଇଙ୍କୁ ଏ ସଂପର୍କରେ ପଚାରିବାରୁ ସେ କହିଛନ୍ତି ଏହି ରେଞ୍ଜରେ କିଛି ମାଓ ଗତିବିଧି ହୋଇଥିବାର ସୂଚନା ନାହିଁ। କିଛି ଲୋକପ୍ରତିନିଧିଙ୍କୁ ଜିଲ୍ଲା ପୁଲିସ ପକ୍ଷରୁ ରୁଟିନ୍‌ ଆଲର୍ଟ ପ୍ରଦାନ କରାଯାଇଛି। ତେବେ ଆନ୍ଧ୍ରରେ ବିଧାୟକଙ୍କୁ ହତ୍ୟା ଓ ମାଓ ସଂଗଠନର ପ୍ରତିଷ୍ଠା ସପ୍ତାହ ପାଳନ ନେଇ ରାଜ୍ୟ ଗୃହ ବିଭାଗ ସବୁ ଜିଲ୍ଲାର ପୁଲିସଙ୍କୁ ସତର୍କ କରାଇ ଦେଇଛି। କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ମାଓ ଅଧ୍ୟୁଷିତ ଅଞ୍ଚଳକୁ ବିନା ସୁରକ୍ଷା ବ୍ୟବସ୍ଥାରେ ନ ଯିବା ଲାଗି ସବୁ ବିଧାୟକଙ୍କୁ ପରାମର୍ଶ ଦିଆଯାଇଛି। ଏମିତିକି ସବୁ ବିଧାୟକଙ୍କୁ ୨ ଜଣ ଲେଖାଏଁ ସୁରକ୍ଷାକର୍ମୀ ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି।

ସେପଟେ କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକ ସିଂହାରି ଘାଟିରେ ଗତକାଲି ମାଓବାଦୀ ଓ ପୁଲିସ ମୁହାଁମୁହିଁ ହୋଇଥିଲେ। ଗତକାଲି ରାତିରେ କିଛି ମାଓବାଦୀ ଏହି ଘାଟିରେ ଗୁଳିଚାଳନା କରିଥିଲେ। ଖବର ପାଇ ପୁଲିସ, ସିଆରପିଏଫ୍‌ ଯବାନଙ୍କ ସହଯୋଗରେ ସେଠାରେ କମ୍ବିଂ ଆରମ୍ଭ କରିଥିଲା। ଏସ୍‌ପି ନିଜେ ଏହି ଅଭିଯାନର ନେତୃତ୍ୱ ନେଇଥିଲେ। ରାତିରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ ଓ ଗୁଳି ବିନିମୟ ମଧ୍ୟ ହୋଇଥିଲା। ତେବେ ମାଓବାଦୀମାନେ ସେ ସ୍ଥାନରୁ ଖସିଯିବାରେ ସକ୍ଷମ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe