ଅବକାରୀ ଗୁଇନ୍ଦା ବିଭାଗର ଚଢ଼ଉ:ମହାନଦୀ ପୋଲରୁ ୫୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଖୋର୍ଦ୍ଧାର ଅବସରପ୍ରାପ୍ତ ଟ୍ୟାକ୍ସ କଲେକ୍ଟର ଅଭିଯୁକ୍ତ

ଅବକାରୀ ଗୁଇନ୍ଦା ବିଭାଗର ଚଢ଼ଉ:ମହାନଦୀ ପୋଲରୁ ୫୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

କଟକ: କଟକର ଶିଖରପୁର ନିକଟ ମହାନଦୀ ପୋଲରୁ ଗାଡି ସହ ୫୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଅବକାରୀ ଗୁଇନ୍ଦା ବିଭାଗ ଗାଡିର ଡ୍ରାଇଭର ଏବଂ ର‍୍ୟାକେଟର କାର୍ପଟଦାରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମହେଶ୍ୱର ପରିଡ଼ା ଖୋର୍ଦ୍ଧା ମ୍ୟୁନିସିପାଲିଟିର ଟ୍ୟାକ୍ସ କଲେକ୍ଟର ଥିଲେ। ଅବସର ନେବା ପରେ ଦୁଇ ଝିଅଙ୍କ ବାହାଘର ପାଇଁ ଅନ୍ତରାଜ୍ୟ ବ୍ରାଉନ୍‌ସୁଗାର ର‍୍ୟାକେଟରେ ସାମିଲ ହୋଇଥିବା ସୂଚନା ମିଳିଛି। ମହେଶ୍ୱରଙ୍କ ସହିତ ଗାଡ଼ି ଡ୍ରାଇଭର୍‌ ଟାଉନ୍‌ ଥାନା ଅଞ୍ଚଳର ଚନ୍ଦନ ବେହେରା(୨୨)କୁ ଗିରଫ କରାଯାଇଛି । ବ୍ରାଉନ୍‌ସୁଗାର ଚାଲାଣ ହେଉଥିବା ମାରୁତି ସୁଇଫ୍ଟ କାର୍‌ (ଓଡି ୩୩ ଇ ୦୪୫୯)କୁ ଜବତ କରାଯାଇଛି ।

ସୂଚନା ଅନୁଯାୟୀ ଜାନୁଆରି ୨୬ରେ କାଠଯୋଡ଼ି ପୋଲ ଉପରୁ ଲକ୍ଷ୍ମୀସାଗର ଅଞ୍ଚଳର ଭାଲୁ ବେହେରା ଓ କୁନୁ ଓରଫ ପ୍ରମୋଦ ମହାନ୍ତିକୁ ବ୍ରାଉନ୍‌ସୁଗାର ଚାଲାଣ ବେଳେ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ଗିରଫ କରିିଥିଲା । ଉଭୟଙ୍କୁ ଜେରା ପରେ ମହେଶ୍ୱର ସମ୍ପର୍କରେ ସୁରାକ୍‌ ମିଳିଥିଲା। ସେ ରବିବାର, ଶୁକ୍ରବାର ଏବଂ ମଙ୍ଗଳବାର କଟକ ରାସ୍ତାରେ ବ୍ରାଉନ୍‌ସୁଗାର ଚାଲାଣ କରୁଥିବା ସୂଚନା ମିଳିଥିଲା। ସେହି ଆଧାରରେ ଆଜି ତାକୁ ଧରିବା ପାଇଁ ଶିଖରପୁର ଛକ ପୂର୍ବରୁ ମହାନଦୀ ଓଭରବ୍ରିଜରୁ ଯୋଜନା ହୋଇଥିଲା। ମହେଶ୍ୱର ଏକ ମାରୁତି ସୁଇଫ୍ଟ ଗାଡ଼ିରେ ପଶ୍ଚିମବଙ୍ଗ-ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସୀମାରୁ ଖୋର୍ଧା ଟାଉନ୍‌ ଥାନା ଅଞ୍ଚଳକୁ ୪୫୦ ଗ୍ରାମ ବ୍ରାଉନ୍‌ସୁଗାର ଆଜି ଚାଲାଣ କରୁଥିବା ବେଳେ ପୋଲ ଉପରେ ଅପରାହ୍ନ ପ୍ରାୟ ୩ଟା ବେଳେ ଗାଡ଼ିର ଡ୍ରାଇଭର୍‌ ସହିତ ଧରାପଡ଼ିଥିଲା । ଗାଡ଼ି ଯାଞ୍ଚ ବେଳେ ଗାଡ଼ିର ପଛ ସିଟ୍‌ରେ କଣା କରି ବ୍ରାଉନ୍‌ସୁଗାର ଭର୍ତ୍ତି କରିଥିବା ଯାଞ୍ଚ ବେଳେ ଦେଖିବାକୁ ମିଳିଥିଲା। ମହେଶ୍ୱରକୁ ଜେରା ପରେ ଅନେକ ରୋଚକ ତଥ୍ୟ ସାମ୍‌ନାକୁ ଆସିଥିଲା।

ଖୋର୍ଧା ମ୍ୟୁନିସିପାଲିଟିରେ ମହେଶ୍ୱର ଟ୍ୟାକ୍ସ କଲେକ୍ଟର ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୦୯ ମସିହାରେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ଦୁଇ ମାସ ତଳେ ରାଜ୍ୟ ବାହାରକୁ ତୀର୍ଥ କରିବାକୁ ଯାଇଥିବା ବେଳେ ଜଣେ ବ୍ରାଉନ୍‌ସୁଗାର ବେପାରୀଙ୍କ ସହିତ ଭେଟ ହୋଇଥିଲା। ଏହି ବେପାରରେ ଅଧିକ ଟଙ୍କା ରୋଜଗାରର ସୁବିଧା ଥିବା ଜାଣିବାକୁ ପାଇଥିଲେ। ସେବେଠୁ ତାଙ୍କୁ ବ୍ରାଉନ୍‌ସୁଗାର ବେପାର ନିଶା ଘାରିଥିଲା। ପେନ୍‌ସନ ଟଙ୍କା ଯଥେଷ୍ଟ ହେଉନଥିବାରୁ ମୁଣ୍ଡ ଉପରେ ଦୁଇ ଝିଅଙ୍କ ବାହାଘର ଦାୟିତ୍ୱ ଚିନ୍ତା ବଢ଼ାଇ ଦେଇଥିଲା। ସେବେଠୁ ସେ ପଶ୍ଚିମବଙ୍ଗରୁ ବ୍ରାଉନ୍‌ସୁଗାର ଆମଦାନୀ କରି ଲକ୍ଷ୍ମୀସାଗର ଥାନା ହଳଦୀପଡ଼ିଆ ସମେତ ଖୋର୍ଧା ଟାଉନ୍‌, ଜଟଣୀର ଷ୍ଟେସନ୍‌ ବଜାର, ସାମନ୍ତରାପୁର ଏବଂ ବାଶୁଳି ସାହି ଅଞ୍ଚଳକୁ ଚାଲାଣ କରୁଥିଲା। ଅନ୍ତର୍ଜାତୀୟ ବଜାର ମୂଲ୍ୟରେ ବ୍ରାଉନ୍‌ସୁଗାର ସେ ଶହେ ଗ୍ରାମ ପିଛା ଦୁଇ ଲକ୍ଷ ୨୦ ହଜାର ଟଙ୍କାରେ କିଣି ସାଢ଼େ ଚାରି ଲକ୍ଷ ଟଙ୍କାରେ ବିକ୍ରି କରୁଥିବା କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe