Representative image
ଜଳକା ହୋଇ ବସିଛନ୍ତି ଚିଟ୍ଫଣ୍ଡ ଜମାକାରୀ
ବାଲେଶ୍ବରରେ ଲୁଟିଛନ୍ତି ୧୫୦ରୁ ଅଧିକ ଠକ ସଂସ୍ଥା
ବାଲେଶ୍ୱର : ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ୩୦୦ କୋଟି ଟଙ୍କାର କର୍ପସ୍ ଫଣ୍ଡ ଗଠନ ହେଲା। ଉଦ୍ଦେଶ୍ୟ ଥିଲା ରାଜ୍ୟରେ ଚିଟ୍ଫଣ୍ଡ ସଂସ୍ଥା ଦ୍ବାରା ଠକାମୀର ଶିକାର ହୋଇଥିବା କ୍ଷତିଗ୍ରସ୍ତମାନଙ୍କୁ ଅର୍ଥ ଫେରସ୍ତ। ଏହାମଧ୍ୟରେ ୨୦୧୭ ପଞ୍ଚାୟତ ଓ ୨୦୧୯ ସାଧାରଣ ନିର୍ବାଚନ ଯାଇ ସାରିଲାଣି। କର୍ପସ୍ ଫଣ୍ଡ ଗଠନକୁ ୭ ବର୍ଷ ବିତିଯାଇଥିବାବେଳେ ନିଜ କଷ୍ଟୋପାର୍ଜିତ ଅର୍ଥ ଫେରିପାଇବାକୁ ଲକ୍ଷାଧିକ ଜମାକାରୀ ଚାତକ ପରି ଚାହିଁ ବସିଛନ୍ତି। ଅଥଚ ଆଜିର ଦିନରେ ବିଡ଼ମ୍ବନା ହେଉଛି, କାଁଭାଁ କେତେଜଣ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଦେଇ ରାଜ୍ୟ ସରକାର ଚିଟ୍ଫଣ୍ଡ ବାବଦରେ ପୂରା ତୁନି ପଡ଼ି ଯାଇଛନ୍ତି।
ସୂଚନା ମୁତାବକ ବାଲେଶ୍ବର ଜିଲ୍ଲାରେ ୧୦ ହଜାରରୁ କମ୍ ଅର୍ଥ ଜମା କରିଥିବା କିଛି ଜମାକାରୀଙ୍କୁ ଟଙ୍କା ଫେରାଯାଇଛି। ତହସିଲସ୍ତରରେ ପ୍ରଥମ, ଦ୍ବିତୀୟ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ୧୦୯୬ ଜଣ ଜମାକାରୀଙ୍କ ମଧ୍ୟରୁ ୮୭୬ ଜଣଙ୍କ ଆକାଉଣ୍ଟକୁ ୫୧ ଲକ୍ଷ ୬୧ ହଜାର ୩୦୦ ଟଙ୍କା, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ୭୭୩୪ ଜମାକାରୀଙ୍କ ମଧ୍ୟରୁ ୬୩୩୮ ଜଣଙ୍କୁ ୨ କୋଟି ୮୩ ଲକ୍ଷ ୧୯ହଜାର ୨୧୨ ଓ ପଞ୍ଚମ ପର୍ଯ୍ୟାୟରେ ୯୯୮୨ ଜମାକାରୀଙ୍କ ମଧ୍ୟରୁ ୬୬୮୧ ଜଣଙ୍କ ଆକାଉଣ୍ଟରେ ୨ କୋଟି ୯୯ ଲକ୍ଷ ୨ ହଜାର ୪୦୪ ଟଙ୍କା ପୈଠ କରାଯାଇଛି। ରୋଜ୍ଭ୍ୟାଲି ଚିଟଫଣ୍ଡ୍ ସଂସ୍ଥା ଦ୍ବାରା ଠକେଇର ଶିକାର ହୋଇଥିବା ୩୪,୦୪୨ ଜଣ ଜମାକାରୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେଥିରୁ ୧୭,୦୫୬ ଜଣଙ୍କ ଆକାଉଣ୍ଟରେ ୬ କୋଟି ୩୯ ଲକ୍ଷ ୪୦ ହଜାର ୭୬୧ ଟଙ୍କା ଜମା କରାଯାଇଛି। ତେବେ ଦୀର୍ଘ ୪ ବର୍ଷର ଚିହ୍ନଟ ପ୍ରକ୍ରିୟା ମଧ୍ୟରେ ଜିଲ୍ଲାରୁ ଏ ପର୍ଯ୍ୟନ୍ତ ୫୨,୮୩୪ ଜଣ ଚିହ୍ନଟ ହୋଇଥିବା ବେଳେ ୩୦,୯୫୧ ଜଣଙ୍କୁ ମୋଟ ୧୨ କୋଟି ୭୩ ଲକ୍ଷ ୨୩ ହଜାର ୬୭୭ ଟଙ୍କା ପୈଠ କରାଯାଇଛି। ଏହାର ପରବର୍ତ୍ତୀ ପର୍ଯ୍ୟାୟ ଅର୍ଥାତ୍ ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ଜିଲ୍ଲାରୁ ଆହୁରି ୫୦ ହଜାରରୁ ଅଧିକ କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ ସରିଥିବା ବେଳେ ଟଙ୍କା ଆସିନଥିବାରୁ ହିତାଧିକାରୀଙ୍କୁ ପୈଠ ହୋଇ ପାରିନାହିଁ। ଯେଉଁ ହିତାଧିକାରୀମାନେ ଟଙ୍କା ପାଇନାହାନ୍ତି ସେମାନଙ୍କର ଧୈର୍ଯ୍ୟଚ୍ୟୁତି ଘଟିସାରିଲାଣି। ଷଷ୍ଠ ଓ ସପ୍ତମ ପର୍ଯ୍ୟାୟ ଟଙ୍କା କେବେ ଆସିବ ସେ ନେଇ ମଧ୍ୟ କିଛି ସୂଚନା ମିଳିପାରୁନାହିଁ। ଫଳରେ ଜମାକାରୀମାନେ ତହସିଲଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିରାଶରେ ଫେରୁଛନ୍ତି।
Patrikaସୂଚନାଥାଉକି, ୨୦୦୯ ମସିହାରେ ବାଲେଶ୍ବର ଜିଲ୍ଲାରୁ ପ୍ରଥମେ ଏକ ଚିଟ୍ ଫଣ୍ଡ ସଂସ୍ଥା ଚିହ୍ନଟ ହୋଇଥିଲା। ସମ୍ପୃକ୍ତ ସଂସ୍ଥା ଜିଲ୍ଲାରୁ ପାଖାପାଖି ୫୦୦ କୋଟି ଟଙ୍କା ଟଙ୍କା ଠକି ନେଇଥିଲା। ପରବର୍ତ୍ତୀ ସମୟରେ ରାଜ୍ୟବ୍ୟାପୀ ଧରପଗଡ଼ ବେଳେ କେବଳ ବାଲେଶ୍ବର ଜିଲ୍ଲାରେ ୧୫୦ରୁ ଅଧିକ ଠକ ସଂସ୍ଥା ଚିହ୍ନଟ ହେବା ସହ ସେମାନଙ୍କର କଳା ସାମ୍ରାଜ୍ୟ ସାମ୍ନାକୁ ଆସିଥିଲା। ଠକ ସଂସ୍ଥାଗୁଡ଼ିକ ମଧ୍ୟରୁ ଅଧିକାଂଶ ପଶ୍ଚିମବଙ୍ଗ ଓ ଦିଲ୍ଲୀର ଥିଲେ। ସମଗ୍ର ଜିଲ୍ଲାରେ ୫ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ବୃହତ୍ ଜମାକାରୀ ଠକେଇର ଶିକାର ହୋଇଥିବା ବେଳେ ସେମାନଙ୍କଠାରୁ ପାଖାପାଖି ସାଢ଼େ ୩ ହଜାର କୋଟିରୁ ଅଧିକ ଟଙ୍କା ଏହି ସଂସ୍ଥାଗୁଡ଼ିକ ଲୁଟି ନେଇଥିଲେ।
ତେବେ ଜମାକାରୀଙ୍କ ହକ୍ ପାଇଁ ଲଢ଼େଇ ଜାରି ରଖିଥିବା ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ରାଜ୍ୟ ସଭାପତି ଜୟନ୍ତ ଦାସ କହିଛନ୍ତି, ସରକାର ଜମାକାରୀଙ୍କ ସ୍ବାର୍ଥରକ୍ଷା ପାଇଁ ଜମାକାରୀ ସୁରକ୍ଷା ଆଇନ୍ ତିଆରି କଲେ। ପ୍ରତିଥର ନିର୍ବାଚନ ବେଳେ ଚିଟ୍ ଫଣ୍ଡ ଟଙ୍କା ଫେରସ୍ତ କରିବାକୁ ପ୍ରତିଶ୍ରୁତି ଦେଲେ। କିନ୍ତୁ ଗଲା ୭ ବର୍ଷ ମଧ୍ୟରେ ୧୦ ପ୍ରତିଶତ ଜମାକାରୀ ବି ଟଙ୍କା ଫେରି ପାଇନାହାନ୍ତି। ଚିଟ୍ଫଣ୍ଡ ବାବଦରେ ବିଧାନସଭାରେ ପ୍ରଶ୍ନ କଲେ ତଥ୍ୟ ସଂଗ୍ରହ ଚାଲିଥିବାର ବାରମ୍ବାର ବାହାନା କରାଯାଉଛି। ୨୦୦୧ ମସିହାରୁ ୨୦୧୩ ମସିହା ମଧ୍ୟରେ ଚିଟ୍ ଫଣ୍ଡ ସଂସ୍ଥାଗୁଡ଼ିକ ବିଭିନ୍ନ ଲୋଭନୀୟ ସ୍କିମ୍ ଜରିଆରେ ଜମାକାରୀଙ୍କୁ ଲୁଟିଲେ। ୨୦୧୩ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ଜମାକାରୀଙ୍କୁ କେବଳ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ସମ୍ପୃକ୍ତ ସଂସ୍ଥାଗୁଡ଼ିକର ସମ୍ପତ୍ତି ବାଜ୍ୟାପ୍ତି ପରେ ଜମାକାରୀଙ୍କୁ ଟଙ୍କା ଫେରାଇବା ଲାଗି ସରକାର କର୍ପସ୍ ଫଣ୍ଡ ଗଠନ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସମସ୍ତଙ୍କ ଭାଗ୍ୟରେ ଏହା ଜୁଟିପାରିଲା ନାହିଁ। ଜମାକାରୀଙ୍କୁ ତୁରନ୍ତ ଟଙ୍କା ଫେରାଇବାର ବ୍ୟବସ୍ଥା ନହେଲେ ଆଗାମୀ ନିର୍ବାଚନରେ ଭୋଟର ତାର ଜବାବ ଦେବେ ବୋଲି ଶ୍ରୀ ଦାସ ଚେତାବନୀ ଦେଇଛନ୍ତି।
Follow Us