ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ୭୮ ବ୍ୟାଚ୍‌ ଛାତ୍ରଙ୍କ ଅବଦାନ : ବଦଳିବ ୧୮୫୭ର ଘଣ୍ଟା, ନୂଆ ଆସିଲା ଦିଲ୍ଲୀରୁ

Advertisment

ଆସିଥିଲା ମାଡ୍ରାସରୁ, ଜଡ଼ା ତେଲରେ ଚାଲୁଥିଲା, ୫୦ ବର୍ଷ ହେଲା ବନ୍ଦ, ପୁରାତନ ଛାତ୍ର ଦେଲେ ସମାନ ଆକାର ଘଣ୍ଟା

ଆସିଥିଲା ମାଡ୍ରାସରୁ, ଜଡ଼ା ତେଲରେ ଚାଲୁଥିଲା, ୫୦ ବର୍ଷ ହେଲା ବନ୍ଦ, ପୁରାତନ ଛାତ୍ର ଦେଲେ ସମାନ ଆକାର ଘଣ୍ଟା

ପାରଳାଖେମୁଣ୍ତି : ପାରଳାଖେମୁଣ୍ଡିର ଗୌରବ ବହନ କରୁଥିବା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ସର୍ବପୁରାତନ ଘଣ୍ଟା ବଦଳିବ। ଏନେଇ ୧୯୭୮ ମସିହା ବ୍ୟାଚର କିଛି ପୁରାତନ ଛାତ୍ର ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ସେମାନେ ନୂଆଦିଲ୍ଲୀରୁ ସମାନ ରଙ୍ଗ ଏବ˚ ଉଚ୍ଚତାର ଏକ ଘଣ୍ଟା କ୍ରୟକରି ବିଦ୍ୟାଳୟକୁ ପଠାଇଛନ୍ତି। ଖୁବ୍‌ଶୀଘ୍ର ଘଣ୍ଟା ପରିବର୍ତ୍ତନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବୃନ୍ଦାବନ ରାଓ ସୂଚନା ଦେଇଛନ୍ତି।

ଓଡ଼ିଶାର ହାତଗଣତି ପୁରାତନ ଅନୁଷ୍ଠାନ ମଧ୍ୟରେ ଅନ୍ୟତମ ହେଉଛି ପାରଳାଖେମୁଣ୍ଡି ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ। ଏଠାରୁ ଅଧ୍ୟୟନ କରିଥିବା ବହୁ ଛାତ୍ର ଦେଶ ଓ ବିଦେଶରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ଗିରିଧର ଗମାଙ୍ଗଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିତ୍ବ ଏଠାକାର ଛାତ୍ର ହୋଇ ଅନୁଷ୍ଠାନର ଗୌରବ ମଣ୍ଡନ କରିଛନ୍ତି। ୧୮୫୭ ମସିହା ବେଳକୁ ଏହି ବିଦ୍ୟାଳୟ ଚାଟଶାଳୀ ଭାବେ ରହିଥିଲା। ପାରଳା ମହାରଜା ଗୌରଚନ୍ଦ୍ର ଗଜପତି ନାରାୟଣ ଦେବ ଏହାକୁ ଉଚ୍ଚ ବିଦ୍ୟାଳୟରେ ପରିଣତ କରିଥିଲେ। ସମୟ କ୍ରମେ ଏଠାରେ ମହାବିଦ୍ୟାଳୟ ବି ଚାଲିଥିଲା। ପରବର୍ତ୍ତୀ ସମୟରେ ଏଠାରେ ସ୍କୁଲ ଆରମ୍ଭ ହୋଇଥିଲା।

ସେତେବେଳେ ପାରଳା ସହରରେ ଘଣ୍ଟାର ଅଭାବ ଥିଲା। ନିଜ କାର୍ଯ୍ୟରେ ବାହାରୁ ଆସୁଥିବା ଲୋକେ ରାଜପ୍ରାସାଦର ଘଣ୍ଟି ଶଦ୍ଦ ଶୁଣି ସମୟ ବିଷୟରେ ଜାଣିପାରୁଥିଲେ। ଫଳରେ ମହାରାଜା ଗୌରଚନ୍ଦ୍ର ଗଜପତି ନାରାୟଣ ଦେବ ଲୋକଙ୍କ ସୁବିଧା ପାଇଁ ମାଡ୍ରାସରୁ ଏକ ବିରାଟକାୟ ଘଣ୍ଟା ଆଣି ବିଦ୍ୟାଳୟ ଶିଖରରେ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ଜଡ଼ା ତେଲରେ ଚାଲୁଥିବା ଏହି ଘଣ୍ଟା ମାଡ୍ରାସରୁ ଅଣାଯାଇ ସ୍ଥାପନ କରାଯାଇଥିଲା। ବହୁ ଦୂରରୁ ବି ଏହି ଘଣ୍ଟା ‌ନଜର ଆସୁଥିଲା। ଘଣ୍ଟା ରଖିବାକୁ ବିଦ୍ୟାଳୟ ଶିଖର ଛାତରେ ଉଚ୍ଚ ଜାଗା ନିର୍ମାଣ ସହ ସ୍ବତନ୍ତ୍ର ଡିଜାଇନ୍ କରାଗଲା। ଘଣ୍ଟାର ରକ୍ଷଣାବେକ୍ଷଣ ପାଇଁ ସ୍ବତନ୍ତ୍ର ଛୋଟିଆ କୋଠରୀ ସହ ପାହାଚ ନିର୍ମାଣ କରାଯାଇଥିଲା।

ଜଡା ତେଲ ଏବ˚ ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ଘଣ୍ଟା ବନ୍ଦ ହୋଇଯାଇଥିଲେ। ସହରର କିଛି ବରିଷ୍ଠ ନାଗରିକଙ୍କ କହିବାନୁସାରେ, ଦୀର୍ଘ ୫୦ ବର୍ଷ ହେଲା ଏହି ଘଣ୍ଟା ସେମିତି ବନ୍ଦ ହୋଇ ରହିଛି। କିନ୍ତୁ ଏନେଇ ସରକାର ଓ ବିଦ୍ୟାଳୟ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ପାରୁ ନଥିଲା। ଶେଷରେ ପୁରାତନ ଛାତ୍ର ମାନେ ନିଜ ପ୍ରଚେଷ୍ଟା ବଳରେ ବିଦ୍ୟାଳୟର ଗୌରବକୁ ଫେରାଇ ଆଣିବାକୁ ସମାନ ଉଚ୍ଚତା ଓ ରଂଗର ଘଣ୍ଟା କିଣି ବିଦ୍ୟାଳୟକୁ ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe