ରେଞ୍ଜରଙ୍କ ଗାଡ଼ି ଧକ୍କାରେ ୱାଚରଙ୍କ ମୃତ୍ୟୁ, ଶତାଧିକ ଲୋକଙ୍କ ରାସ୍ତା ଅବରୋଧ

ରେଞ୍ଜରଙ୍କ ଗାଡ଼ି ଧକ୍କାରେ ୱାଚରଙ୍କ ମୃତ୍ୟୁ, ଶତାଧିକ ଲୋକଙ୍କ ରାସ୍ତା ଅବରୋଧ

ବନ୍ତଳା: ଅନୁଗୁଳ ବ୍ଲକ ସାତକୋଶିଆ ଅଭୟାରଣ୍ୟରେ ରେଞ୍ଜରଙ୍କ ଗାଡ଼ି ଧକ୍କାରେ ଜଣେ ୱାଚରଙ୍କ ମୃତ୍ୟୁ ହୋଇଛି।ଫଳରେ ପମ୍ପାସର ବନାଞ୍ଚଳ ଅଫିସ ନିକଟରେ ଆଜି ଶତାଧିକ ଲୋକ ରାସ୍ତା ଅବରୋଧ କରିଥିବା ବେଳେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଅନୁଗୁଳ ବ୍ଲକ ଗୋପାଳପୁର ଗ୍ରାମର ସମ୍ବିତ ଦାସ(୨୩) ୬ମାସ ହେଲା ବନ ବିଭାଗରେ ୱାଚର ଭାବରେ କାର୍ଯ୍ୟ କରୁଥିଲେ।ତେବେ ପ୍ରତିଦିନ ଭଳି ଗତକାଲି ରାତି ପ୍ରାୟ ସାଢେ଼ ୯ଟା ବେଳେ ସେ ଗୋପାଳପୁର ଗାଁ ନିକଟରେ ଡ୍ୟୁଟି କରୁଥିଲେ। ଏହି ସମୟରେ ସେହି ରାସ୍ତା ଦେଇ ଟିକରପଡା ରେଞ୍ଜର ମାଗୁଣି ବେହେରା ବନ ବିଭାଗ ବୋଲେରୋ ଗାଡ଼ିରେ ଯାଉଥିବା ବେଳେ ସମ୍ବିତଙ୍କୁ ଉକ୍ତ ଗାଡ଼ି ଧକ୍କା ଦେଇ ପଳାଇଥିଲା। ଫଳରେ ଘଟଣାସ୍ଥଳରେ ସମ୍ବିତ ଛଟପଟ ହୋଇ ରାସ୍ତାକଡ଼ରେ ପଡ଼ି ରହିଥିଲେ।

ବନ ବିଭାଗର ଗାଡ଼ି ଧକ୍କାରେ ଉକ୍ତ ୱାଚର ରାସ୍ତାକଡ଼ରେ ପଡ଼ିଥିଲେ ମଧ୍ୟ ବନ ବିଭାଗର କର୍ମଚାରୀମାନେ ତାଙ୍କୁ ମେଡ଼ିକାଲକୁ ଆଣିନଥିବା ଅଭିଯୋଗ ହୋଇଛି।ପ୍ରାୟ ୩ଘଣ୍ଟା ପରେ ପୁଣି ଧକ୍କା ଦେଇଥିବା ଗାଡ଼ି ଆହତ ୱାଚରଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା।ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଆଜି ଗୋପାଳପୁର ଗ୍ରାମର ଶତାଧିକ ଲୋକ ପମ୍ପାସର ବନାଞ୍ଚଳ ଅଫିସ ସମ୍ମୁଖରେ ବସି ଧାରଣା ଦେଇଛନ୍ତି।ଫଳରେ ଅନୁଗୁଳରୁ ସାତକୋଶିଆ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଛି।ଘଟଣାସ୍ଥଳରେ ବନ ବିଭାଗର ଅଧିକାରୀମାନେ କେହି ପହଞ୍ଚି ନଥିବା ବେଳେ ସେଠାରେ ପୁରୁଣାକୋଟ ଥାନା ଅଧିକାରୀ ଆଶିଷ ଜେନା ଓ ବନ୍ତଳା ଥାନା ଅଧିକାରୀ ସୁମିତ୍ରା ପାତ୍ର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe