ପାଣି ଆସୁଆସୁ ଭାଙ୍ଗିଲା ବନ୍ଧ: ରଘୁନାଥପୁର ଓ ବିରିଡ଼ି ବ୍ଲକ୍‌ର ୨୦ ଗାଁ, ୨୦୦ ହେକ୍ଟର୍‌ ଚାଷଜମି ପ୍ରଭାବିତ

Advertisment
ପାଣି ଆସୁଆସୁ ଭାଙ୍ଗିଲା ବନ୍ଧ: ରଘୁନାଥପୁର ଓ ବିରିଡ଼ି ବ୍ଲକ୍‌ର ୨୦ ଗାଁ, ୨୦୦ ହେକ୍ଟର୍‌ ଚାଷଜମି ପ୍ରଭାବିତ

ଜଗତସିଂହପୁର : ମାଛଗାଁ କେନାଲ୍‌ରେ ପାଣି ଆସିବ ବୋଲି ଚାତକ ପରି ଚାହିଁ ରହିଥିଲେ ଜଗତସିଂହପୁର ଚାଷୀ। ଗତକାଲି ରାତି‌‌ରେ ପାଣି ଆସିଲା। ହେଲେ, ପାଣି ଆସୁଆସୁ ବିଳମ୍ବିତ ରାତିରେ କେନାଲବନ୍ଧ ଭାଙ୍ଗି ରଘୁନାଥପୁର ବ୍ଲକ୍‌ର ତରିକୁନ୍ଦ ଓ ବିରିଡ଼ି ବ୍ଲକ୍‌ର ଦଳେଇଘାଇ ନିକଟରେ ଦୁଇଟି ବଡ଼ ଘାଇ ସୃଷ୍ଟି ହୋଇଛି। କେନାଲ ପାଣି ଚାଷଜମିକୁ ଯିବା ପରିବର୍ତ୍ତେ ରାସ୍ତା, ଗାଁ, ବଜାରକୁ ମାଡ଼ି ଯାଇଛି। ଫଳରେ ଉଭୟ ବ୍ଲକ୍‌ର ୨୦ରୁ ଅଧିକ ଗାଁ ଓ ୨୦୦ ହେକ୍ଟର୍‌ ଚାଷଜମି ପ୍ରଭାବିତ ହୋଇଛି। ଆଜି ଦିନ ୧୦ଟା ପର୍ଯ୍ୟନ୍ତ ଜଗତସିଂହପୁର-କଟକ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଥିବା ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ସମୟରେ ଜଳଯୋଗାଣ ବନ୍ଦ କରି ଦୁଇଟି ଘାଇକୁ ବନ୍ଦ କରାଯାଇଛି।

ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ୧୦ଟାରେ ମାଛଗାଁ କେନାଲ୍‌ରେ ପାଣି ଛଡ଼ା ଯାଇଥିଲା। ଏହାର କିଛି ସମୟ ପରେ ରାତି ପ୍ରାୟ ୨ଟା ବେଳକୁ ଦୁଇଟି ସ୍ଥାନରେ ଘାଇ ସୃଷ୍ଟି ହୋଇଥିଲା। ପ୍ରଥମେ ଦଳେଇଘାଇ ନିକଟରେ କେନାଲବନ୍ଧ ଭାଙ୍ଗି ପ୍ରାୟ ୧୫ ଫୁଟର ଘାଇ ହୋଇଥିଲା। ଏଠାରେ ଗାଁ ଭିତରକୁ ପାଣି ଆସି ନ ଥିଲା ବେଳେ ଚାଷଜମିଗୁଡ଼ିକରେ ୪/୫ ଫୁଟ୍‌ ଉଚ୍ଚ ପାଣି ଛିଡ଼ା ହୋଇରହିଛି ବୋଲି ଉତ୍ତରଶାସନ ସରପଞ୍ଚ ସୁରେନ୍ଦ୍ର କୁମାର ଶତପଥୀ ସୂଚନା ଦେଇଛନ୍ତି। ଏଥିଯୋଗୁଁ ଜମିରେ ପଡ଼ିଥିବା ତଳି ଓ ଚାଷ ହୋଇଥିବା ପରିବା ନଷ୍ଟ ହୋଇଯିବ ବୋଲି ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି। ସେହିପରି ତରିକୁନ୍ଦ ନିକଟରେ ସୃଷ୍ଟି ହୋଇଥିବା ଘାଇ ଯୋଗୁଁ ଜନଜୀବନ ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ବରାଗୋଳ, ସାନତିହଡ଼ା, ବଡ଼ତିହଡ଼ା, ଦରିଆପୁର, ପଣ୍ଡିଆସାହି ଆଦି ଗାଁକୁ କେନାଲ ପାଣି ମାଡ଼ି ଯାଇଛି। ବଜାରରେ ଥିବା ୩୦ରୁ ଅଧିକ ଦୋକାନ ଭିତରକୁ ମଧ୍ୟ ପାଣି ପ୍ରବେଶ କରିଛି। ଏହାସହ ତରିକୁନ୍ଦ ସ୍ବାସ୍ଥ୍ୟକେନ୍ଦ୍ର, ପୁଲିସ ଫାଣ୍ଡି, ପଞ୍ଚାୟତ କାର୍ଯ୍ୟାଳୟ, ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଓ ସ୍କୁଲଗୁଡ଼ିକରେ ପାଣି ପଶି ଯାଇଛି। କେବ‌ଳ ସେତିକି ନୁହେଁ, ପ୍ରାୟ ୧୫୦ ହେକ୍ଟର୍‌ ଚାଷଜମିରେ ପାଣି ଛିଡ଼ା ହୋଇରହିଛି। ଏହା ପ୍ରଭାବରେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଜଗତସିଂହପୁର-କଟକ ରାସ୍ତାରେ ପାଣିର ସୁଅ ଚାଲିଥିବାରୁ ଯାନବାହନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe