ବାଉଁଶ ନଳରେ ପାହାଡ଼ରୁ ଗାଁକୁ ଆସିଲା ପାଣି

Advertisment

ଅସମ୍ଭବକୁ ସମ୍ଭବ କଲେ ୪ ଆଦିବାସୀ ପଡ଼ାର ୮୦ ପରିବାର

ଅସମ୍ଭବକୁ ସମ୍ଭବ କଲେ ୪ ଆଦିବାସୀ ପଡ଼ାର ୮୦ ପରିବାର

ବାଉଁଶ ନଳରେ ପାହାଡ଼ରୁ ଗାଁକୁ ଆସିଲା ପାଣି

ଦାରିଙ୍ଗବାଡ଼ି : ‘ ବର୍ଷ ବର୍ଷ ବିତିଗଲା। ପ୍ରଶାସନ କି ଜନପ୍ରତିନିଧି କେହି କିଛି କଲେନି। ଗୁହାରି କରିବା ବହୁତ ହୋଇଗଲା, ଆଉ ନୁହେଁ। ’ ଏହିଭଳି ଏକ ସଂକଳ୍ପ ନେଇ ପାଣି ପାଇଁ ଅଣ୍ଟା ଭିଡ଼ିଲେ ୪ ଆଦିବାସୀପଡ଼ାର ୮୦ ପରିବାରର ଲୋକେ। କାହା ଉପରେ ନିର୍ଭର ନକରି ମୁଣ୍ଡ ଖଟାଇ ନିଜେ କୌଶଳ ବାହାର କଲେ, ଆଉ ତାକୁ କାର୍ଯ୍ୟରେ ବି କରି ଦେଖାଇଲେ। ଶେଷରେ, ଦୁଇ କିଲୋମିଟର ପାହାଡ଼ ଉପରୁ ଗାଁକୁ ବାଉଁଶ ନଳୀ ଖଞ୍ଜି ପାହାଡ଼ି ଝରଣାର ପାଣି ଗାଁ ମୁଣ୍ଡକୁ ଆଣିଛନ୍ତି। ପାନୀୟଜଳ ମୁନ୍ଦାଏ ପାଇବା ପରେ ଆଜି ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଏହାହେଉଛି, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ଦୁର୍ଗମ ସୋନପୁର ପଞ୍ଚାୟତର ଅପହଞ୍ଚ ଦବେଡ଼ି ରାଜସ୍ୱ ଗ୍ରାମର ଡୁଗେଟମାହା, ବିନ୍ଧାଣି ସାହି, ପଦାସାହି ଓ ଛକସାହି ଭଳି ୪ଟି ପଡ଼ା ଗ୍ରାମର ଘଟଣା।

ଏହି ୪ ପଡ଼ା ଗ୍ରାମରେ ରହିଥିବା ବହୁ ପୁରାତନ ଦୁଇଟି କୂଅ ଓ ବହୁବର୍ଷ ପୂର୍ବେ ବସିଥିବା ୩ଟି ନଳକୂଅ କେବେଠୁ ଅଚଳ ହୋଇ ପଡ଼ିଛି। କୂଅପାଣି ଆଉ ବ୍ୟବହାରଯୋଗ୍ୟ ହୋଇପାରୁନି। ଏହାର ସମାଧାନ ପାଇଁ ଗ୍ରାମବାସୀ ବାରମ୍ବାର ପଞ୍ଚାୟତ ଜନପ୍ରତିନିଧି ଓ ବ୍ଲକ୍‌ ପ୍ରଶାସନକୁ ବର୍ଷ ବର୍ଷ ଧରି ନେହୁରା ହୋଇଛନ୍ତି। ହେଲେ, ଏହି ଗୁହାରି କାହାର କାନ‌ରେ ପଡ଼ିଲାନି। ଓଲଟି ଗ୍ରାମବାସୀ ବର୍ଷତମାମ ପିଇବା ପାଣି ଟୋପାଏ ପାଇଁ ଡହଳବିକଳ ହେଉଥିଲେ। ଏହି ଚାରିପଡ଼ା ଗ୍ରାମରେ ଆଦିବାସୀ ଓ ହରିଜନ ସଂପ୍ରଦାୟର ୮୦ ପରିବାରର ଜନସଂଖ୍ୟା ପାଖାପାଖି ୪୦୦ । ରୋଷେଇ ଠାରୁ ଆରମ୍ଭ କରି ପିଇବା, ଗାଧୋଇବା ଓ ଲୁଗାପଟା ସଫା କରିବା ପାଇଁ ଦୂରରେ ଥିବା ନାଳ ଓ ଚୁଆ ପାଣି ଉପରେ ନିର୍ଭର କରନ୍ତି। ବର୍ଷସାରା ଗ୍ରାମରେ ପାଣି ପାଇଁ ହାହାକାର ଲାଗି ରହୁଥିଲା। ଖରାଦିନେ ଏହି ଜଳଯନ୍ତ୍ରଣା ଦ୍ବିଗୁଣିତ ହୋଇଯାଉଥିଲା।

ବାରମ୍ବାର ନେହୁରା ହୋଇଥିଲେ ବି କେହି ଶୁଣି ନଥିଲେ
୨ କିଲୋମିଟର ପାହାଡ଼ି ଝରଣାରୁ ଗାଁ ପର୍ଯ୍ୟନ୍ତ ବାଉଁଶ ନଳ ଖଞ୍ଜିଲେ

publive-image

ତେବେ, ପ୍ରଶାସନକୁ ବାରମ୍ବାର ଅବଗତ କରି ନିରାଶ ହେବାପରେ ଶେଷରେ ଗ୍ରାମବାସୀ ଏକାଠି ହୋଇ ପାନୀୟଜଳ ବ୍ୟବସ୍ଥା କରିବାକୁ ଅଣ୍ଟା ଭିଡ଼ିଥିଲେ। ଏଥିରେ ଗ୍ରାମବାସୀଙ୍କୁ ସହଯୋଗାର ହାତ ବଢ଼ାଇଥିଲା ସ୍ଥାନୀୟ ଅଞ୍ଚଳରେ ସକ୍ରିୟ ଥିବା କନ୍ଧମାଳ ଜିଲ୍ଲା ସବୁଜ ବୈଦ୍ୟ ସଂଗଠନ। ପାହାଡ଼ ଉପରେ ଝରଣାକୁ ସଂଯୋଗ କରି ବାଉଁଶକୁ ବାଉଁଶ ଯୋଡ଼ି ପ୍ରାୟ ଦୁଇ କିଲୋମିଟର ଲମ୍ବ ନଳ ଗ୍ରାମ ଶେଷ ମୁଣ୍ଡକୁ ପକାଇଲେ। ସେଠାରେ ସିମେଣ୍ଟ ପାଣିକୁଣ୍ଡ କରି ପ୍ରଥମେ ପାଣି ସଂରକ୍ଷଣ କରିଛନ୍ତି। ସଂରକ୍ଷଣ ଜଳକୁ ଆଜି ପ୍ରଥମଥର ଘରକୁ ନେଇ ବ୍ୟବହାର କରିଛନ୍ତି।

ଗ୍ରାମବାସୀ କହିଛନ୍ତି, ‘ ଆଜିକୁ ୬ ଦିନ ଧରି ଗ୍ରାମବାସୀ ମିଳିମିଶି ଏଥିରେ ଶ୍ରମଦାନ କରିଛନ୍ତି। ଅଧା କାମ ସରିଛି। ବାକି କାମ ଆଉ ସପ୍ତାହେ ଭିତରେ ସାରିବାକୁ ଚେଷ୍ଟା ଚଳାଇଛୁ।’

ଏ ନେଇ ବିଡିଓ ଗଦାଧର ପାତ୍ରଙ୍କ ସହ ଯୋଗାଯୋଗ କରିବାରୁ, ପାଣି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe