ଅସହ୍ୟ ହେଲାଣି ଜଳ ସଂକଟ : କାଗଜପତ୍ରରେ ସଚଳ, କାମ ବେଳକୁ ଅଚଳ; କାମରେ ଆସୁନି କୋଟିକୋଟି ଟଙ୍କାର ପ୍ରକଳ୍ପ

Advertisment

ଭୁଆଁ ବୁଲାଉଛନ୍ତି ବିଭାଗୀୟ ଯନ୍ତ୍ରୀ

ଭୁଆଁ ବୁଲାଉଛନ୍ତି ବିଭାଗୀୟ ଯନ୍ତ୍ରୀ

ଅସହ୍ୟ ହେଲାଣି ଜଳ ସଂକଟ : କାଗଜପତ୍ରରେ ସଚଳ, କାମ ବେଳକୁ ଅଚଳ; କାମରେ ଆସୁନି କୋଟିକୋଟି ଟଙ୍କାର ପ୍ରକଳ୍ପ

ଦଶପଲ୍ଲା : ବର୍ଷ ପରେ ବର୍ଷ ବିତି ଚାଲିଛି। ହେଲେ କାମରେ ଆସୁନି କୋଟିକୋଟି ଟଙ୍କା ବ୍ୟୟରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ। ଏପଟେ କରୋନା ସଂକ୍ରମଣକୁ ନେଇ କଟକଣା ଜୋର୍‌ଦାର୍ ହୋଇଥିବା ବେଳେ ପଞ୍ଚାୟତବାସୀଙ୍କ ପାଇଁ ଅସହ୍ୟ ହୋଇପଡ଼ିଲାଣି ଜଳ ସଂକଟ। କିନ୍ତୁ ବଡ଼କଥା ହେଉଛି, ଏହି ପ୍ରକଳ୍ପଟି କାଗଜପତ୍ରରେ ସଚଳ ଥିବା ଦର୍ଶାଇ ଡାହା ମିଛ କହି ଭୁଆଁ ବୁଲାଇ ଚାଲିଛନ୍ତି ବିଭାଗୀୟ ଯନ୍ତ୍ରୀ। ଏଭଳି ଘଟଣା ଦେଖିବାକୁ ମିଳିଛି, ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ନଛିପୁର ପଞ୍ଚାୟତର ପଥୁରିଆଠାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟରେ।

ନଛିପୁର ଏବଂ ପଥୁରିଆ ଗ୍ରାମର ଶତାଧିକ ପରିବାରକୁ ପାନୀୟ ଜଳ ଯୋଗାଇବା ପାଇଁ ବିଭିନ୍ନ ସ୍ଥାନରେ ପ୍ରକଳ୍ପ ପରେ ପ୍ରକଳ୍ପ ନିର୍ମାଣ ହୋଇ ଚାଲିଛି। ଯାହାକୁ ନେଇ ଦୀର୍ଘ ପ୍ରାୟ ୧୦ ବର୍ଷ ହେଲା ଏହି ପଞ୍ଚାୟତରୁ ପାନୀୟ ଜଳ ସମସ୍ୟା ପିଛା ଛାଡ଼ୁନି। ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଟାଙ୍ଗିଆପଲ୍ଲୀ ଏବଂ ନଛିପୁରଠାରେ ଦୁଇ ଦୁଇଟି ପ୍ରଡକ୍ସନ୍‌ ଓ୍ବେଲ୍‌ ନିର୍ମାଣ ହୋଇଥିଲା। ପାଇପ୍ ବିଛା ଯିବା ସହ ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ ମଧ୍ୟ ଶେଷ ହୋଇଥିଲା। ହେଲେ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ପାଇଁ ଏହା ଭାତହାଣ୍ତି ପାଲଟିଥିବା ବେଳେ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେବା ପୂର୍ବରୁ ମାଟିରେ ମିଶିଗଲା। ପୁନର୍ବାର ପଥୁରିଆଠାରେ ଅନ୍ୟ ଏକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରାଯାଇ ପ୍ରକଳ୍ପ ନିର୍ମାଣ କରାଗଲା। ପ୍ରାୟ କୋଟିଏ ଟଙ୍କା ବ୍ୟୟରେ ଡଗ୍ଓ୍ବେଲ୍ ନିର୍ମାଣ କରାଯିବା ସହ ପୁନର୍ବାର ଗାଁ ଗାଁକୁ ପାଇପ୍ ବିଛା ଯାଇ ଟ୍ୟାପ୍ ନିର୍ମାଣ କରାଯାଇଛି। ମାତ୍ର ବଡ଼କଥା ହେଉଛି ପ୍ରକଳ୍ପଟି କାର୍ଯ୍ୟକ୍ଷମ ହୋଇନଥିବା ବେଳେ ଡଗ୍ଓ୍ବେଲ୍ ଚାରିକାନ୍ଥ ଫାଟିଥିବା ବେଳେ ଏ ପର୍ଯ୍ୟନ୍ତ ଜନସାଧାରଣ ପାଣି ପାଇ ପାରୁନାହାନ୍ତି। ଏଭଳି ପ୍ରାୟ ୧୦ ବର୍ଷ ହେଲା ପ୍ରକଳ୍ପ ନିର୍ମାଣ ନାଁ’ରେ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ନିର୍ମାଣ ହୋଇ କୋଟି କୋଟି ଟଙ୍କା ବ୍ୟୟ କରାଯାଉଥିବା ବେଳେ ଏହାର କାର୍ଯ୍ୟକ୍ଷମ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି।

publive-image

ଏନେଇ ସରପଞ୍ଚ ରଘୁନାଥ ନାୟକଙ୍କ କହିବା ଅନୁଯାୟୀ, ବିଭାଗୀୟ ଯନ୍ତ୍ରୀଙ୍କୁ ବାରମ୍ବାର କୁହାଯାଉଛି। ନିରାଶ ହେବା ପରେ ଶେଷରେ ‘ବସୁଧା’ ହେଲ୍ପ ଲାଇନ୍‌କୁ ଫୋନ୍ କରି ଅଭିଯୋଗ କରାଗଲା। କିନ୍ତୁ ନିଜ ଦୋଷ ଘୋଡ଼ାଇବାକୁ ଯାଇ ବିଭାଗୀୟ ଯନ୍ତ୍ରୀ ଡାହା ମିଛ କହି ଘଟଣାକୁ ଚାପି ରଖିଛନ୍ତି। ବିଭାଗୀୟ ଯନ୍ତ୍ରୀ ମଦନ ସିଂଙ୍କୁ ଏ ସମ୍ପର୍କରେ ପଚାରିବାରୁ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ଥିବା କହି ଏଡ଼ାଇ ଯାଇଛନ୍ତି। ଏ ପଟେ ଜିଲ୍ଲାପାଳ ପ୍ରତ୍ୟେକ ନଳକୂପ ଓ ପାନୀୟ ଜଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ତାଗିଦ୍‌ କରିଛନ୍ତି। କରୋନା କଟକଣା ସାଙ୍ଗକୁ ଅସହ୍ୟ ଖରାରେ ଏବେ ଗାଁ’ ଗାଁ’ରେ ପାନୀୟ ଜଳ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏଭଳି କିଛି କର୍ମଚାରୀଙ୍କ ପାଇଁ ସରକାରଙ୍କ ଯୋଜନା ବାଟବଣା ହୋଇଚାଲିଛି। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସରପଞ୍ଚ ଶ୍ରୀ ନାୟକ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe