ଅନ୍ୱେଷା ହଷ୍ଟେଲରେ ଜଳ ଯନ୍ତ୍ରଣା: ପାଣି ନେବାକୁ ହାତରେ ବାଲ୍‌ତି ସାଙ୍ଗକୁ ରାସ୍ତାରେ ପିଲାଙ୍କ ଲମ୍ବାଧାଡ଼ି

Advertisment
ଅନ୍ୱେଷା ହଷ୍ଟେଲରେ ଜଳ ଯନ୍ତ୍ରଣା: ପାଣି ନେବାକୁ ହାତରେ ବାଲ୍‌ତି ସାଙ୍ଗକୁ ରାସ୍ତାରେ ପିଲାଙ୍କ ଲମ୍ବାଧାଡ଼ି

ଘୁ.ଉଦୟଗିରି : ପାଣି ବାଲ୍‌ତିଏ ପାଇଁ ରାସ୍ତା କଡେ ଲାଗିଛି ଲମ୍ବାଲାଇନ। କାହାକୁ ମିଳୁଛି ତ , କାହାକୁ ନାହିଁ। ବାଲ୍‌ତିଏ ପାଣି ପାଇଲେ ଏହା ଗାଧୁଆପାଧୁଆରୁ ଆରମ୍ଭ କରି ପିଇବା ପାଇଁ ସାଇତିବାକୁ ପଡ଼ିବ। ‌ତେଣୁ ହାତରେ ବାଲ୍‌ତି ନେଇ ଲମ୍ବାଲାଇନରେ ଛିଡ଼ା ହୋଇଛନ୍ତି କୋମଳମତି କୁନି ପିଲା। ସ୍ଥାନୀୟ ଏନ୍‌ଏସିର ୪ ନମ୍ୱର ୱାର୍ଡ ଶ୍ରୀରାମପଦା ଠାରେ ଅନ୍ୱେଷା ହଷ୍ଟେଲରେ ଦେଖାଦେଇଛି ଏଭଳି ଜଳଯନ୍ତ୍ରଣା।  ଗତ ଦୁଇଦିନ ହେବ ବିଦ୍ୟୁତ୍ ନ ଥିବା କାରଣରୁ ପିଲାମାନେ ପାଣି ପାଇ ପାରୁନାହାନ୍ତି। ଫଳରେ ୪୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧାର ଶିକାର ହୋଇଛନ୍ତି।

ପାଣିନଥିବାରୁ ଛାତ୍ରମାନେ ରାଜରାସ୍ତା ନିକଟରେ ରହିଥିବା ଜନସ୍ୱାସ୍ଥ୍ୟ ବିଭାଗ ଷ୍ଟାଣ୍ଡପୋଷ୍ଟରୁ ପାଣି ପାଇଁ ଲମ୍ବାଲାଇନ କରି ବାଲ୍‌ତି ଧରି ଜଣେ ପରେ ଜଣେ ପାଣି ନେଉଥିବା ଦେଖିବାକୁ ମିଳିଛି। ପିଲାମାନେ ସୁଭଦ୍ରା ମହତାବ ସେବାସଦନ ଗେଟ୍ ନିକଟ ରାସ୍ତାକଡ଼ରେ ଲମ୍ବାଲାଇନ୍ କରି ଅପରାହ୍‌ଣ ୨ଟାରେ ଟାଣ ଖରାରେ ଠିଆ ହୋଇ ଏଭଳି ପାଣି ବୋହି ନେଉଥିବା ଦେଖିବାକୁ ମିଳିଛି। ତେବେ ହଷ୍ଟେଲରେ ଏହି ପାନୀୟ ଜଳ ସମସ୍ୟା ବହୁ ଦିନର। କୌଣସି ସ୍ଥାନରେ ବୋରିଂ ଖୋଳିଲେ ମଧ୍ୟ ପାଣି ବାହାରୁ ନଥିବା ବେଳେ ଅଳ୍ପ ପାଣି ବାହାରୁଥିବା ନଳକୂପ ଠାରୁ ମଟର ଲଗାଇ ପାଣି ଟାଙ୍କିକୁ ସଂଯୋଗ ହୋଇଛି। ଛାତ୍ରଛାତ୍ରୀ ଏହି ପାଣିକୁ ବ୍ୟବହାର କରୁଛନ୍ତି।

ଏନେଇ ଉପସ୍ଥିତ ଥିବା ହଷ୍ଟେଲ ୱାର୍ଡ଼େନଙ୍କ ପ୍ରତିକ୍ରିୟା ନେବାରୁ ବିଦ୍ୟୁତ୍ ବିଭାଗ କୌଣସି ପ୍ରକାରେ ଅଭିଯୋଗ କଲେ ଶୁଣୁନାହାନ୍ତି ବୋଲି କହିଛନ୍ତି। ସେପଟେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଂଯୋଗ ହୋଇଥିବା ପାଇପ୍‌ରେ ଯେତିକି ସମୟ ପାଣି ଯୋଗାଣ ହେଉଛି ଚାରିଶହରୁ ଊର୍ଦ୍ଧ୍ବ ପିଲାଙ୍କୁ ଯେତିକି ସମୟରେ ଗୋଟିଏ ଗ୍ଲାସ୍ ଲେଖାଁଏ ପାଣି ମିଳିବ। ଅତି ଛୋଟ ପାଇପ ହଷ୍ଟେଲ ନିମନ୍ତେ ସଂଯୋଗ କରାଯାଇଛି। ଯାହା ଫଳରେ ପାଣି ପାଇବା କଷ୍ଟସାଧ୍ୟ ହୋଇଛି।

ସରକାରଙ୍କ ଦ୍ବାରା ଚାଲୁଥିବା ଏହି ଅନ୍ୱେଷା ହଷ୍ଟେଲରେ ବିଭିନ୍ନ ଇଂରାଜୀ ମାଧ୍ୟମ ସ୍କୁଲ୍‌ରେ ପଢୁଥିବା ଛୋଟ ପିଲାମାନେ ରହୁଛନ୍ତି। ସେମାନଙ୍କର ସ୍କୁଲ୍ ସମୟ ସକାଳୁ ହୋଇଥିବା ବେଳେ ସମସ୍ତେ ଏକାଥରେ ପାଣି ବ୍ୟବହାର କରି ସ୍କୁଲ୍ ନିମନ୍ତେ ସମ୍ଭବପର ହେଉନି। ସରକାରଙ୍କ ସୁବିଧା ପାଇବା ପାଇଁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପିଲାମାନଙ୍କ ଅଭିଭାବକ ସେମାନଙ୍କର ପିଲାଙ୍କୁ ଆଣି ଏଠାରେ ଛାଡ଼ିଥିବା ବେଳେ ଏଠାରେ କୌଣସି ସୁବ୍ୟବସ୍ଥା ନ ଥିବା ପରିତାପର ବିଷୟ। ତେବେ ଯଥାଶୀଘ୍ର ଏହାର ସମାଧାନ କରିବାକୁ ଅଭିଭାବକ ମହଲରେ ଦାବି ହୋଇଛି । ଜଳକଷ୍ଟ ଭିତରେ କୋମଳମତି ଶିଶୁମାନେ ନିଜ ଭବିଷ୍ୟତ ଗଢୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe