କନ୍ଧମାଳରେ ବଢିଲା ତାତି, ତାପମାତ୍ରା ୩୮ ଡିଗ୍ରୀ ଟପିଲା : କମିଲା ଜଳସ୍ତର; ଝରଣା ଓ ଚୁଆରୁ ପାଣି ସଂଗ୍ରହ ପାଇଁ ମହିଳାଙ୍କ ଲମ୍ବା ଲାଇନ

Advertisment
କନ୍ଧମାଳରେ ବଢିଲା ତାତି, ତାପମାତ୍ରା ୩୮ ଡିଗ୍ରୀ ଟପିଲା : କମିଲା ଜଳସ୍ତର; ଝରଣା ଓ ଚୁଆରୁ ପାଣି ସଂଗ୍ରହ ପାଇଁ ମହିଳାଙ୍କ ଲମ୍ବା ଲାଇନ

ଫୁଲବାଣୀ :କନ୍ଧମାଳରେ ବଢିଲା ତାତି। ଗତକାଲି ୩୮ ଥିବା ବେଳେ ଆଜି ତାପମାତ୍ରା ୩୮.୪ରେ ପହଞ୍ଚିଛି। ଗ୍ରୀଷ୍ମପ୍ରଭାବ ଜୋର ହେଉଥିବାରୁ ତାପମାତ୍ରା ଆହୁରି ବଢିବାର ସମ୍ଭାବନା ଦେଖା ଦେଇଛି। ଅବଶ୍ୟ କରୋନା ଲକ୍ ଡାଉନ ପାଇଁ ସମସ୍ତେ ଘରେ ରହୁଛନ୍ତି। ଖରାରେ କେହି ପ୍ରଭାବିତ ହେଉ ନାହାନ୍ତି। ହେଲେ ଗ୍ରୀଷ୍ମପ୍ରବାହ ଯେତିକି ବଢୁଛି ଜଙ୍ଗଲ ଓ ପାହାଡ ଘେରା କନ୍ଧମାଳରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ନଳକୂପରୁ ଆଉ ଆବଶ୍ୟକ ପାଣି ବାହାରୁ ନାହିଁ। ନଦୀ ଓ ପୋଖରୀ ଶୁଖିବାକୁ ଆରମ୍ଭ ହେଲାଣି। ପାଣି ସମସ୍ୟା ଯୋଗୁଁ ଗ୍ରାମାଞ୍ଚଳରେ ହାହାକାର ପଡିଲାଣି। ଝରଣା ହେଉ କି ଚୁଆ। ପାଣି ସଂଗ୍ରହ ପାଇଁ ମହିଳାଙ୍କ ଲମ୍ବା ଲାଇନ ଲାଗୁ ଥିବା ଦେଖିବାକୁ ମିଳିଲାଣି। ସହରାଞ୍ଚଳରେ ପାଣି ସମସ୍ୟା ସୁଧୁରି ଥିବା ବେଳେ ଗ୍ରାମାଞ୍ଚଳରେ ଏବେ ବି ପାଣି ସମସ୍ୟା ଲାଗି ରହିଛି। ବିକଳ୍ପ ବ୍ୟବସ୍ଥା ସ୍ବରୂପ ବହୁ ଗାଁରେ ଜଳଯୋଗାଣ ପ୍ରକଳ୍ପ ବସିଛି। ହେଲେ ଅଧିକାଂଶ ପ୍ରକଳ୍ପ କାମ କରୁ ନାହିଁ।

ଖରା ଦିନରେ ପାଣି ସମସ୍ୟା ପାଇଁ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହୁଏ। ଏମିତି କି ଗରା ମାଠିଆ ଧରି ମହିଳାମାନେ ରାଜରାସ୍ତାକୁ ଓହ୍ଲାଇ ଆସନ୍ତି। ଏଥିରେ ପ୍ରଶାସନ ହସ୍ତକ୍ଷେପ କରି ପାଣି ଦୂର ପାଇଁ ଗାଁକୁ ଜଳଯୋଗାଣ ବ୍ୟବସ୍ଥା କରାଯାଇ ଥାଏ। ହେଲେ ଚଳିତ ବର୍ଷ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇ ଯାଇଥିଲେ ବି କରୋନା ମୁକାବିଲା ନିମନ୍ତେ ସମସ୍ତେ ବ୍ୟସ୍ତ ରହୁଥିବାରୁ କାହାର ଚିନ୍ତା କରିବାକୁ ସମୟ ନାହିଁ। ଖରା ଦିନ ପୁର୍ବରୁ ଗ୍ରୀଷ୍ମ ଓ ଅଂଶୁଘାତ ମୁକାବିଲା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ହୁଏ। ଏଥିରେ ପାଣି ସମସ୍ୟାକୁ ଗୁରୁତ୍ବ ଦିଆଯାଇ ଥାଏ। ହେଲେ କରୋନା ପାଇଁ ଅଦ୍ୟାବଧି ପ୍ରସ୍ତୁତି ବୈଠକ ବସି ପାରି ନାହିଁ। କେଉଁ ଜାଗାରେ ଜଳଛତ୍ର ଖୋଲା ଯାଇ ନାହିଁ। ଲୋକମାନେ ଘରେ ରହୁଛନ୍ତି। ବାହାରକୁ ବାହାରୁ ନାହାନ୍ତି। ତେଣୁ ଜଳଛତ୍ର ଖୋଲିବା ଜରୁରୀ ନୁହେଁ ବୋଲି କିଛି ଅଧିକାରୀ କହିଛନ୍ତି। ହେଲେ କରୋନା ପାଇଁ ଭୋକିଲା ରହୁଥିବା ବୁଲା ଗାଈ ଓ ଗୋରୁଙ୍କ ପାଇଁ ପାଣିର ବ୍ୟବସ୍ଥା କରିବା ଯେ ଜରୁରୀ ହୋଇ ପଡିଛି ତାହା ନିସନ୍ଦେହରେ କୁହାଯାଇ ପାରେ। ଏଥି ସହ ଅଚଳ ନଳକୂପ ମରାମତି ଓ ଜଳଯୋଗାଣ ବ୍ୟବସ୍ଥା ମଧ୍ୟ ହେବା ଦରକାର। କରୋନା ମୁକାବିଲା ଭଳି ଗ୍ରୀଷ୍ମପ୍ରବାହ ଓ ଅଂଶୁଘାତ ମୁକାବିଲା ମଧ୍ୟ ଜରୁରୀ ହୋଇ ହୋଇ ପଡିଛି। ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସବୁ ମହଲରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe