ନୂଆଗାଁରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଏମିତି : ଲୋକଙ୍କୁ ମିଳୁନି ପାଣି, ନଦୀ ଚୁଆ ହିଁ ଭରସା

ନୂଆଗାଁରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଏମିତି : ଲୋକଙ୍କୁ ମିଳୁନି ପାଣି, ନଦୀ ଚୁଆ ହିଁ ଭରସା

ନୂଆଗାଁ : ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ସରକାରୀ କର୍ମଚାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ସବୁ ଯୋଜନା ବାଟବଣା ହେବାରେ ଲାଗିଛି। ନୂଆଗାଁ ବ୍ଲକ୍ ଉଦୟପୁର ପଞ୍ଚାୟତ ବଡ଼କାଠବାରୀ ଗ୍ରାମରେ ନିର୍ମାଣ ହୋଇଥିବା ଲକ୍ଷାଧିକ ଟଙ୍କାର ପାନୀୟ ଜଳ ପ୍ରକଳ୍ପ ଲୋକଙ୍କ କାମରେ ଆସୁନଥିବା ଅଭିଯୋଗ ହୋଇଛି। ଲୋକମାନେ ନଦୀ ଚୁଆ ଉପରେ ଏବେ ବି ଭରସା କରିଛନ୍ତି।

publive-image

ସୂଚନା ଥାଉକି, ବଡ଼କାଠବାରୀ ଗ୍ରାମ ନିକଟରେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଛି। ଏହି ପ୍ରକଳ୍ପରୁ ଉଦୟପୁର, ଶିଖରଗୋଛା, ଜିଗିନିପଡ଼ା ଆଦି ଗାଁର ଲୋକମାନେ ଶୁଦ୍ଧ ପାନୀୟ ଜଳ ପାଇବାକୁ ଲକ୍ଷ୍ୟ ରହିଥିଲା। ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେବା ପୂର୍ବରୁ ପ୍ରଥମେ ପାଣିର ପରୀକ୍ଷା ନିରୀକ୍ଷା କରିବା ପରେ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା କାର୍ଯ୍ୟକାରୀ ହେଲା। ଏହା ପରେ ଟେଣ୍ତର୍‌ କରି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା। କିନ୍ତୁ ଏବେ ପ୍ରକଳ୍ପରୁ ବାହାରୁଥିବା ପାଣି ବ୍ୟବହାର ଉପଯୋଗୀ ହେଉନଥିବାରୁ ଲୋକମାନେ ନଦୀ ଚୁଆରୁ ପାଣି ସଂଗ୍ରହ କରୁଛନ୍ତି। ସେହି ପ୍ରକଳ୍ପରୁ ଆସୁଥିବା ପାଣିରେ ରୋଷେଇ କଲେ ଭାତ, ତରକାରୀ ହଳଦିଆ ପଡ଼ିବା ସହିତ କଳା ପଡ଼ି ଯାଉଥିବା ଗ୍ରାମବାସୀମାନେ କହିଛନ୍ତି। ସେତିକି ନୁହଁ, ଏହି ପାଣିରେ ଦାନ୍ତ କଷରା ପଡ଼ିବା ସହିତ ପେଟବ୍ୟଥା ହେଉଥିବା ଅଭିଯୋଗ ହୋଇଛି। ଏମିତି ଦିନେ କି ଦୁଇଦିନ ନୁହଁ, ପ୍ରତିଦିନ ମହିଳାମାନେ ଦେଢ଼ କିଲୋମିଟର ଜହରିଆଖାଲରୁ ଚୁଆ କରି ପାନୀୟ ଜଳ ସଂଗ୍ରହ କରୁଛନ୍ତି। ମହିଳାମାନେ ଖାଲି ପାଦରେ ଚାଲିଚାଲି ଯାଇ ନଦୀରେ ଚୁଆ ଖୋଳି ମୁଣ୍ତରେ ପାଣି ଧରି ଘରକୁ ଆସୁଛନ୍ତି। ତେବେ ଏହି ପ୍ରକଳ୍ପ କାହା ଉଦ୍ଦେଶ୍ୟରେ ହୋଇଥିଲା ବୋଲି ବଡ଼କାଠବାରୀ ଗ୍ରାମବାସୀମାନେ ପ୍ରଶ୍ନ ଉଠାଇଛନ୍ତି। ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ବିଭିନ୍ନ ଗାଁ’ର ଲୋକେ ପାଣି ପାଇଁ ନାରଖାର ହେଉଛନ୍ତି। ଲକ୍ଷାଧିକ ଟଙ୍କାର ବ୍ୟୟବରାଦରେ ହୋଇଥିବା ପ୍ରକଳ୍ପରୁ ବାହାରୁଥିବା ପାଣିରେ ଗାଡ଼ିମୋଟର ଓ କଂସାବାସନ ଧୁଆ ହେଉଥିବା ସେମାନେ କହିଛନ୍ତି। ଏ ସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe