ରାଉରକେଲା : ଦିନକୁ ସୁନ୍ଦରଗଡ ଜିଲ୍ଲାରେ ଅସହ୍ୟ ହେଉଛି ତାତି। ଏହା ସାଙ୍ଗକୁ ଦେଖା ଦେଉଛି ପାନୀୟ ଜଳ ସଙ୍କଟ। କେଉଁଠି ଗ୍ରାମାଞ୍ଚଳ ପାନୀୟ ଜଳ ଯୋଗାଣ ଓ ପରିମଳ ଯୋଜନା (ଆର୍ଡବ୍ଲ୍ୟୁଏସ୍ଏସ୍) ତ ଅନ୍ୟ କେଉଁଠି ଜନ ସ୍ବାସ୍ଥ୍ୟ ବିଭାଗ (ପିଏଚ୍ଡି) ଅବହେଳାରୁ ଜଳ ସଙ୍କଟ ସମସ୍ୟା ଆହୁରି ସଙ୍ଗିନ ହେଉଛି। ସରକାରଙ୍କ ‘ବସୁଧା’ ଯୋଜନା ସଠିକ୍ କାର୍ଯ୍ୟକ୍ଷମ ହେଉ ନଥିବାବେଳେ ଅଧିକାଂଶ ସଂସ୍ଥାରେ ପାଇପ ବିଛା କାମ ଅଧପନ୍ତରିଆ ହୋଇ ପଡିଛି। ସେମିତି ମରାମତି ଅଭାବରୁ ଗାଁ, ବସ୍ତି, ଟୋଲାରେ ବସିଥିବା ନଳକୂପ ଅଚଳ ହୋଇ ପଡିଛି। ଗାଁ, ବସ୍ତିରୁ ଏମିତି ଗଣ୍ଡା ଗଣ୍ଡା ଅଭିଯୋଗ ଆସୁଛି। ବିଭାଗୀୟ ଅଧିକାରୀ ଆଜି କାଲି କହି ଦିନ ପରେ ଦିନ ଗଡାଇ ଚାଲିଛନ୍ତି। ଫଳରେ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି ଶହ ଶହ ଗ୍ରାମବାସୀ।
ଏମିତି ଜଟିଳ ସମସ୍ୟା ଦେଖା ଦେଇଛି ସୁନ୍ଦରଗଡ ଜିଲ୍ଲାର ନୂଆଗାଁ, କୋଇଡା ବ୍ଲକରେ। ଦୁଇଟି ବ୍ଲକରେ ବସୁଧା ଓ ଅନ୍ୟାନ୍ୟ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବିଶୁଦ୍ଧ ପାନୀୟ ଯୋଗାଣର ବ୍ୟବସ୍ଥା ହୋଇଛି। କିନ୍ତୁ ଅଧିକାଂଶ ପଞ୍ଚାୟତରେ ଏସବୁ ଯୋଜନା କେବଳ ନାଁ ମାତ୍ର। ମାସ ମାସ ଧରି ନଳକୂପ ଅଚଳ ହୋଇ ପଡିଥିଲେ ହେଁ ମରାମତି କରିବାକୁ ଆସୁ ନାହାନ୍ତି କର୍ମଚାରୀ। ବସୁଧା ଯୋଜନାରେ ନିର୍ମାଣ ହୋଇଥିବା ଓଭରହେଡ୍ ପାଣି ଟାଙ୍କି ସେମିତି ଛିଡା ହୋଇଛି। ଟାଙ୍କିରୁ କେବେ ଲୋକଙ୍କୁ ପାନୀୟ ଜଳ ମିଳିବ ବିଭାଗୀୟ ଅଧିକାରୀଙ୍କ ପାଖରେ ସନ୍ତୋଷଜନ ଉତ୍ତର ନାହିଁ। କୋଇଡା ବ୍ଲକର ସମସ୍ୟା ଦିନକୁ ଦିନ ଜଟିଳ ହେବାକୁ ଯାଉଛି। ଏଠାରୁ ସରକାର ପାଣ୍ଠିକୁ ଯାଉଛି କୋଟି କୋଟି ଟଙ୍କାର ରାଜସ୍ବ। ବିଡମ୍ବନା, ଖଣି ଅଞ୍ଚଳର ବିକାଶ ଚିତ୍ର କିନ୍ତୁ ଓଲଟା। ବିଶୁଦ୍ଧ ପାନୀୟ ଜଳ ଅନେକଙ୍କ ପାଇଁ ସ୍ବପ୍ନ ହୋଇ ରହି ଯାଇଛି। କିଛି ଗାଁରେ ନା କାମ କରୁଛି ନଳକୂଅ ନା କୁଅ। ରାତି ପାହିଲେ ଗ୍ରାମବାସୀଙ୍କ ପାଣି ଚିନ୍ତା। ଖରା ଦିନେ ଝରଣାରୁ ନିର୍ଗତ ପାଣି ସେମାନଙ୍କ ସାହା ଭରସା ପାଟଲଟିଛି।
/sambad/media/post_attachments/wp-content/uploads/2021/04/water-p-rkl3.jpg)
କୋଇଡା ବ୍ଲକ ଅନ୍ତର୍ଗତ ପାଟମୁଣ୍ଡା ପଞ୍ଚାୟତର କ୍ରିୟାକୁଦର ଗ୍ରାମରେ ରହିଛି ଗୋଟିଏ ନଳକୂପ। ସେଠୁ ବାହାରୁଛି ନାଲି ଓ ଲୁହାଣିଆ ପାଣି । ମାନଙ୍କ ପାଇଁ ଝରଣା ହିଁ ଏକ ଭରସା। ଗ୍ରାମର ଶତାଧିକ ପରିବାର ଝରଣା ପାଣି ଉପରେ ସମ୍ପୂର୍ଣ୍ଣ ନର୍ଭରଶୀଳ। ତାହାବି ଏକ କିଲୋମିଟର ଦୂର ଜଙ୍ଗଲ ଭିତରେ। ସକାଳ ହେବା ମାତ୍ରେ ହାଣ୍ଡି, ଡେକ୍ଚି ଧରି ମହିଳାମାନେ ଯାଉଛନ୍ତି ଝରଣା ନିକକଟୁ। ଝରଣାରୁ ବୋହି ଯାଉଥିବା ପାଣିକୁ ସଂଗ୍ରହ କରି ଫେରୁଛନ୍ତି ଘରକୁ । ସମସ୍ୟା କେବଳ ଆଜିର ନୁହେଁ ବର୍ଷ ବର୍ଷ ଧରି ଲାଗିରହିଛି। ଦୂଷିତ ଝରଣା ପାଣିକୁ ବ୍ୟବହାର କରି ଲୋକେ ବିଭିନ୍ନ ସମୟରେ ନାନା ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହି ସମସ୍ୟା ବିଷୟରେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓ ପର୍ଯ୍ୟନ୍ତ ଗୁହାରି କରି ଆସୁଥିଲେ ମଧ୍ୟ ଗ୍ରାମବାସୀଙ୍କ କଥା କେହି ଶୁଣୁ ନାହାନ୍ତି। ତେବେ ଯଥାଶୀଘ୍ର ଏହି ସମସ୍ୟା ସମାଧାନ ନ ହେଲେ ଆଗାମୀ ଦିନରେ ବ୍ଲକ ଘେରିବା ସହ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ସେମିତି ଆଉ ଏକ ବ୍ଲକ ହେଉଛି ନୂଆଗାଁ। ବ୍ଲକର ସୋରଡା ପଞ୍ଚାୟତରେ ‘ବସୁଧା’ ଯୋଜନାରେ ନିର୍ମାଣ ହୋଇଛି ଓଭରହେଡ୍ ଟାଙ୍କି। ପାଣି ଟାଙ୍କିରୁ ପ୍ରତ୍ୟେକଙ୍କ ଘରକୁ ପାଇପ ବିଛାଯାଇଛି। କେତେବେଳେ ପାଣି ଆସୁଛି ତ ଅନ୍ୟ କେତେବେଳେ ନାହିଁ। ଗତ କିଛି ଦିନ ହେବ ବିଜୁଳି ସଂଯୋଗ କାଟି ଦିଆଯାଇଥିବାରୁ ପଞ୍ଚାୟତର ୨୦ ଗ୍ରାମର ପ୍ରାୟ ୫ ହଜାର ଲୋକ ପାନୀୟ ଜଳରୁ ବଞ୍ଚିତ ହେଉଛନ୍ତି।
/sambad/media/post_attachments/wp-content/uploads/2021/04/water-rkl-4a.jpg)
ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ଗ୍ରାମବାସୀ ଥରେ କି ଦୁଇ ଥର ନୁହେଁ ଅନେକବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଭାଗୀୟ ଅଧିକାରୀ ଠିକ୍ ହୋଇଯିବ ବୋଲି କହି କାମ ସାରି ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳର ବାସୁଦେବ ସାହୁ କହିଛନ୍ତି ଖରା ଦିନ ଆସିଲେ ପାଣି ସମସ୍ୟା ଉତ୍କଟ ହେଉଛି। ଓଭରହେଡ୍ ପାଣି ଟାଙ୍କିରୁ ଅଧିକାଂଶ ସମୟରେ ପାଣି ଆସୁନି। କହିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଆଜି କାଲି କହି କେବଳ ଦିନ ଗଡାଇ ଚାଲିଛନ୍ତି। ଗୌରିମଣି ପଣ୍ଡା ସେହି ସମାନ ଅଭିଯୋଗ କରିଛନ୍ତି। ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ସ୍ଥାନୀୟବାସିନ୍ଦା ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି। ଏଥିପ୍ରତି ବିଭାଗୀୟ ଉଚ୍ଚ ଅଧିକାରୀ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। କେବଳ ନୂଆଗାଁ, କୋଇଡା ନୁହେଁ ଜିଲ୍ଲା ଅଧିକାଂଶ ଉପାନ୍ତ ବ୍ଲକରେ ସେହି ସମାନ ସ୍ଥିତି ଉପଜିଛି। ଏବେଠୁ ଜଳ ସଙ୍କଟର ସମାଧାନ କରା ନଗଲେ ଆଗାମୀ ଦିନରେ ସ୍ଥିତି ଆହୁରି ସଙ୍ଗିନ ହେବ।
Follow Us