ପାନୀୟଜଳ ପ୍ରକଳ୍ପ ଅଛି, ହେଲେ ଲୋକଙ୍କ ପାଖରେ ପହଞ୍ଚୁନି ପାଣି

ଆରଡବ୍ଲୁଏସ୍‌ଏସ୍‌ କେଳେଙ୍କାରୀ: ତଦନ୍ତ କରିବେ ଲୋକାୟୁକ୍ତଙ୍କ ଟିମ୍‌

ବ୍ରହ୍ମବରଦା : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମଙ୍ଗରାଜପୁର, ରାଉତରାପୁର ଅର୍ଥଙ୍ଗା, ବ୍ରହ୍ମବରଦା, ମହେଶ୍ବରପୁର, ବନ୍ଧଡିହ, ଝାଲପଡ଼ା ପଞ୍ଚାୟତରେ କୋଟିକୋଟି ଟଙ୍କାର ପ୍ରକଳ୍ପ ଛିଡ଼ାହୋଇଛି। ହେଲେ କୌଣସିଟି ଲୋକଙ୍କୁ ପାଣି ଯୋଗାଇବାରେ ସଫଳ ହୋଇନାହିଁ।

ମଙ୍ଗରାଜପୁର ପଞ୍ଚାୟତ ବାଲିଗୁଡ଼ା ଗ୍ରାମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ୨ଟି ପାନୀୟଜଳ ପ୍ରକଳ୍ପ ନିର୍ମାଣ ହୋଇଛି। ଗୋଟିଏ ଆରମ୍ଭରୁ ଖରାପ। ଅନ୍ୟଟି ୩ ବର୍ଷ ହେଲା ସମ୍ପୂର୍ଣ୍ଣ ହୋଇ ପାରୁନାହିଁ। ବାଲିଗୁଡା ଓ ଲଙ୍କାବାଲିସାହି ଗ୍ରାମର ୪ ଟି ୱାର୍ଡର ୨ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ପାଣି ଯୋଗାଇବାକୁ ଏହି ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ୩ ବର୍ଷ ହେଲା ଏଠି ପାଇପ ପୋତା କାର୍ଯ୍ୟ ଚାଲୁ ରହିଛି ଯେ ସରୁନାହିଁ। ଏପଟେ ପାଇପ୍‌ଗୁଡ଼ିକ ଏଠିସେଠି ପଡ଼ି ନଷ୍ଟ ହେଉଛି। ସେହିପରି ବ୍ରହ୍ମବରଦା, ମହେଶ୍ବରପୁର ଦୁଇଟି ପଞ୍ଚାୟତ ପାଇଁ ଏକ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ବ୍ରହ୍ମବରଦା ବଉଳାଘାଇ ଦାଣ୍ତିରେ ନିର୍ମାଣ ହୋଇଥିଲା। ୧୫ ହଜାର ଲୋକ ଏହି ପ୍ରକଳ୍ପ ଉପରେ ଭରସା କରିଥିଲେ। ଏହା ସମସ୍ତଙ୍କୁ ପାଣି ଯୋଗାଇ ପାରୁ ନଥିବା ଅଭିଯୋଗ ହୋଇଛି। ପାଇପ୍ ସଂଯୋଗ ହୋଇଥିବା ଅଞ୍ଚଳରେ କିଛି କିଛି ସ୍ଥାନରେ ଫାଟିଯାଇଛି। ଏହାକୁ ମରାମତି କରାଯାଉ ନାହିଁ। ଅନ୍ୟ କେତେକ ସ୍ଥାନକୁ ଆଜିଯାଏ ପାଇପ୍‌ ସଂଯୋଗ ଦିଆଯାଇନାହିଁ।
publive-image

ବନ୍ଧଡିହ ପଞ୍ଚାୟତ ଭଗବତୀପୁରଠାରେ ପ୍ରକଳ୍ପ ନିର୍ମାଣ ହେବା ଦିନଠାରୁ ପାନୀୟ ଜଳ ଯୋଗାଇ ପାରିନାହିଁ। ଏବେ ତାହା ସମ୍ପୂର୍ଣ୍ଣ ବନ୍ଦ ହୋଇ ପଡ଼ିଛି। ଗତ ଦୁଇବର୍ଷ ହେଲା ଆଉଏକ ପ୍ରକଳ୍ପ ନିର୍ମାଣ ହେଉଥିବାବେଳେ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟରେ ଲାଗିପାରୁ ନାହିଁ। ଘରୋଇ ନଳକୂଅରୁ ଭଲ ପାଣି ବାହାରୁ ନଥିବାରୁ ଲୋକେ ଲୌହମିଶା ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ୫ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ସରକାର ଏଠାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପ୍ରକଳ୍ପ ନିର୍ମାଣ କରିଥିଲେ ମଧ୍ୟ ତାହା ଗୋଟିଏଦିନ ପାଣି ଯୋଗାଇବାରେ ସଫଳ ହୋଇ ପାରିଲା ନାହିଁ। ସେହିପରି ଅର୍ଥଙ୍ଗା ପଞ୍ଚାୟତ ଚଅପୋଇ ମେଳଣ ପଡ଼ିଆରେ ହୋଇଥିବା ପ୍ରକଳ୍ପ ଆରମ୍ଭରୁ ସ୍ବଚ୍ଛ ପାଣି ଯୋଗାଇବାରେ ବିଫଳ ହୋଇଛି। ରାଉତରାପୁର ପଞ୍ଚାୟତର କୁଣ୍ତପାଟଣା ହାଟ ନିକଟରେ ନିର୍ମାଣ ହୋଇଥିବା ପାନୀୟଜଳ ପ୍ରକଳ୍ପ ଅବସ୍ଥା ମଧ୍ୟ ଅନୁରୂପ। ଗ୍ରାମବାସୀ ଏହାର ମରାମତି ପାଇଁ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରଭାବ ପଡୁନାହିଁ। ସରକାରଙ୍କ ପକ୍ଷରୁ ୨୦୧୨ ରେ ଏହାର ନିର୍ମାଣ କରାଯାଇଥିଲା। ଉଦ୍‌ଘାଟନ ପୂର୍ବରୁ ଏହା ଖରାପ ହୋଇଗଲା। ଅନ୍ୟଏକ ପ୍ରକଳ୍ପ କାଳିକାହୁଡ଼ା ଗ୍ରାମରେ ୩ ବର୍ଷ ହେଲା ନିର୍ମାଣ ଚାଲିଛି। କେବେ ସରିବ ତାହା ପ୍ରଶ୍ନବାଚୀ ହୋଇ ରହିଛି। ସେହିପରି ଯାଜପୁର ବ୍ଲକ ଝାଲପଡ଼ା ପଞ୍ଚାୟତରେ ନିର୍ମାଣ ହୋଇଥିବା ଦେଢ଼କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ପୂର୍ବରୁ ଖରାପ ହୋଇ ପଡ଼ିଛି। କେତେବେଳେ ଘଣ୍ଟାଏ ଚାଲୁଛି ପୁଣି ମାସମାସ ବନ୍ଦ ରହୁଛି। ଏ ଦିଗରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe