ଜଳେଶ୍ୱର/ବସ୍ତା-୨: ବାଲେଶ୍ୱର ଜିଲ୍ଲା ଦେଇ ପ୍ରବାହିତ ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳପତ୍ତନ ବୃଦ୍ଧି ପାଉଥିବାରୁ ଉତ୍ତର ବାଲେଶ୍ୱରର ୪ଟି ବ୍ଲକ୍ବାସୀଙ୍କ ବନ୍ୟା ଚିନ୍ତା ବଢ଼ିଛି। ଉତ୍ତର ବାଲେଶ୍ୱର ଅଞ୍ଚଳରେ ବନ୍ୟା ପରିସ୍ଥିତିରେ ସୁଧାର ଆସୁ ନଥିବା ବେଳେ ବର୍ଷା ଲାଗି ରହିଥିବାରୁ ନଦୀତଟ ଓ ତଳିଆ ଅଞ୍ଚଳରେ ଚାଷଜମି ସବୁ ବୁଡ଼ିରହିଛି। ସୁବର୍ଣ୍ଣରେଖା ଓ ଜଳକାର ବନ୍ୟା ଜଳ ତଳିଆ ଅଞ୍ଚଳକୁ ମାଡ଼ିବାରେ ଲାଗିଛି।
ଜଳସମ୍ପଦ ବିଭାଗର ରିପୋର୍ଟ ଅନୁଯାୟୀ, ଆଜି ସନ୍ଧ୍ୟା ସୁଦ୍ଧା ଜଳକା ନଦୀର ଜଳପତ୍ତନ ମଥାନୀଠାରେ ୬.୪୮ ମିଟର ରହିଛି। ଏଠାରେ ବିପଦ ସଙ୍କେତ ୬.୫୦ ମିଟର ରହିଛି। ସେହିପରି ସୁବର୍ଣ୍ଣରେଖା ନଦୀ ଅବବାହିକାରେ ଗତ ୨୪ ଘଣ୍ଟା ମଧ୍ୟରେ ଜାମସେଦପୁରରେ ୨୭.୬ମିମି, ଘାଟଶିଳାରେ ୫୭.୮ମିମି, ଜାମଶୋଳାଘାଟରେ ୨୧.୮ମିମି, ଫେକଘାଟରେ ୪୪.୪ମିମି ଓ ରାଜଘାଟରେ ୫୪.୦ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଫଳରେ ଅପରାହ୍ଣ ୩ଟା ସୁଦ୍ଧା ନଦୀର ଉପର ଅବବାହିକା ଜାମଶୋଳାଘାଟରେ ୪୮.୮୬୦ ମିଟର ଓ ନିମ୍ନ ଅବବାହିକା ରାଜଘାଟ ଠାରେ ୮.୬୧ ମିଟର ଉଚ୍ଚରେ ଜଳ ପ୍ରବାହିତ ହେଉଛି। ଜାମଶୋଳାଘାଟରେ ପ୍ରତି ସେକେଣ୍ଡରେ ୧୯୨୧.୫୭ କ୍ୟୁସେକ୍ ଓ ରାଜଘାଟଠାରେ ପ୍ରତି ସେକେଣ୍ଡରେ ୨୦୩୩.୬୬ କ୍ୟୁମେକ୍ ପାଣି ନିଷ୍କାସିତ ହେଉଛି। ଜଳକା ବନ୍ୟାରେ ବସ୍ତା ବ୍ଲକ୍ର ମଥାନୀ, ବାହାର୍ଦ୍ଦା, ପତ୍ରଝଡ଼ା, କୁଡ଼ିଆ ପଞ୍ଚାୟତର ତଳି ଅଞ୍ଚଳରେ ପାଣି ପ୍ରବେଶ କରିଛି। ନଦୀର ଉପରମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡ଼ା ଓ ଶୁଳିଆପଦା ବ୍ଲକ୍ରେ ବର୍ଷା ଲାଗିରହିଛି। ଜଳସ୍ତର ବୃଦ୍ଧି ପାଇଲେ ଅନ୍ୟ ପଞ୍ଚାୟତ ବି ବନ୍ୟାରେ ପ୍ରଭାବିତ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
Follow Us