ସ୍ମାର୍ଟସିଟି ବସ୍ତିରେ ବିକ୍ରି ହେଉଛି ପାଣି: ମିନିଟ୍ ପିଛା ୨ ଟଙ୍କା, ମାସକୁ ୫୦୦

Advertisment
ସ୍ମାର୍ଟସିଟି ବସ୍ତିରେ ବିକ୍ରି ହେଉଛି ପାଣି: ମିନିଟ୍ ପିଛା ୨ ଟଙ୍କା, ମାସକୁ ୫୦୦

MetroSaga

ରାଉରକେଲା : ବୋତଲ ଓ ପାଉଚ୍‌ରେ ପାଣି ବିକ୍ରିହେବା ଏକ ସମୟରେ କଳ୍ପନା କରି ହେଉ ନଥିଲେ ହେଁ ବର୍ତ୍ତମାନ ତାହା ସାଧାରଣ ହୋଇ ଯାଇଛି। ତେବେ ବୋରିଂ କରି ବା ଅନ୍ୟ ଉପାୟରେ ଟାଙ୍କିରେ ଜମାକରି ପିଇବା ପାଣି ବିକ୍ରିହେବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ। ପାଣି କିଣିବାକୁ ଇଚ୍ଛୁକ ଗ୍ରାହକ ନିଜ ଖର୍ଚ୍ଚରେ ନିଜ ଘରକୁ ପାଇପ୍‌ ‘କନେକ୍ସନ’ ନେଇଛନ୍ତି ଓ ସେହି ପାଇପ୍‌ ବାଟେ ପାଣି ବିକାଳି ପାଉଣା ଅନୁସାରେ ନିର୍ଦ୍ଦଷ୍ଟ ସମୟରେ ପାଣି ଛାଡୁଛନ୍ତି। ତା’ର ମଧ୍ୟ ଏକ ନିର୍ଦ୍ଦିଷ୍ଟ ଦର ରଖା ଯାଇଛି- ମିନିଟ୍ ପିଛା ପାଣି ଯୋଗାଣର ମୂଲ୍ୟ ୨-୩ ଟଙ୍କା। ପରିଚିତ ଓ ପୁରୁଣା ବା ନିୟମିତ ଗ୍ରାହକଙ୍କ ପାଇଁ ଅଲଗା ମାସିକ ଦର ରହିଛି। ଏଭଳି ଦୃଶ୍ୟ ବର୍ଷ ବର୍ଷ ଧରି ଦେଖିବାକୁ ମିଳୁଛି ରାଉରକେଲାର ଅନେକ ବସ୍ତିରେ। ଆଧୁନିକ ଇସ୍ପାତସହରର ଚାକଚକ୍ୟ ଓ ବିଶ୍ବସ୍ତରୀୟ ସ୍ମାର୍ଟସିଟି ସ୍ବୀକୃତିର ଆଢ଼ୁଆଳରେ ପିଇବା ପାଣି ଭଳି ମୌଳିକ ଆବଶ୍ୟକତା ଆଜିମଧ୍ୟ ସାଧାରଣ ଲୋକଙ୍କ ପାଇଁ କିଭଳି ଅପହଞ୍ଚ ହୋଇ ରହିଛି, ତାହା ପ୍ରମାଣିତ ହେଉଛି।

ଖରା ବଢ଼ିବା ସହିତ ଇସ୍ପାତ ସହରର ଜଳ କଷ୍ଟ ମଧ୍ୟ ବଢ଼ିବାରେ ଲାଗିଛି। ଖରା କଷ୍ଟଠାରୁ ଜଳ କଷ୍ଟ ବଳି ଯାଉଛି। ବିଶେଷକରି ରାଉରକେଲାର ଅନେକ ବସ୍ତିରେ ଏ ସମସ୍ୟା ଟାଣଖରାରେ ପୂର୍ବ ଅପେକ୍ଷା ଆହୁରି ଜଳଜଳ ହୋଇ ସ୍ପଷ୍ଟ ଦିଶୁଛି। ରାଉରକେଲା ମହାନଗରର ୧୩ ନମ୍ବର ଓ୍ବାର୍ଡକୁ ଏକ ଉଦାହରଣ ରୂପେ ନିଆ ଯାଇପାରେ। ଏହି ଓ୍ବାର୍ଡରେ ଟିମ୍ବର କଲୋନି, ଗୋପବନ୍ଧୁପାଲି, ଆନନ୍ଦଧାମ ବସ୍ତି, ଚନେୟା ବସ୍ତି, ଲୋହରାପଡ଼ା ବସ୍ତି, ବଙ୍ଗାଳୀପଡ଼ା ଓ ତେଲିପଡ଼ା ଆଦି ବସ୍ତି ରହିଛି। ଏଗୁଡ଼ିକରେ ୨୦ ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି। ସମସ୍ତେ ପାଣି ଟିକକ ପାଇଁ ଡ଼ହଳବିକଳ ହେଉଛନ୍ତି। ଏହାର ସୁଯୋଗ ନେଇ କିଛି ଲୋକ ବୋରିଂ କରି ଆଖପାଖରେ ରହୁଥିବା ଲୋକଙ୍କ ଘରକୁ ପାଣି ଯୋଗାଣ କରୁଛନ୍ତି। ଏହିସବୁ ବସ୍ତି ଅଞ୍ଚଳରେ ବର୍ତ୍ତମାନ ୧୦ରୁ ଅଧିକ ଲୋକ ଏଭଳି ପାଣି ବ୍ୟବସାୟ କରୁଥିବାର ଜଣା ପଡ଼ିଛି। କେବଳ ଚଳିତ ବର୍ଷ ନୁହେଁ, ଅନେକ ବର୍ଷ ତଳୁ ଏହି ବସ୍ତିଗୁଡ଼ିକରେ ଏଭଳି ପାଣି ବ୍ୟବସାୟ ଚାଲିଛି। କିନ୍ତୁ ପ୍ରଶାସନ ପାଣି ସମସ୍ୟାର ସମାଧାନ କରି ପାରିନାହିଁ। ଏହା ଭିତରେ ରାଉରକେଲା ସ୍ମାର୍ଟସିଟିର ମାନ୍ୟତା ପାଇଲାଣି। କିନ୍ତୁ ପାଣିକୁ ନେଇ ବସ୍ତିଗୁଡ଼ିକର ଡ଼ହଳବିକଳ ଏବେ ମଧ୍ୟ ଶେଷ ହୋଇନାହିଁ। ଅନ୍ୟପକ୍ଷରେ ଲୋକଙ୍କର ଆବଶ୍ୟକତା ଥିବାରୁ ପାଣି ବିକ୍ରିକୁ ଏକ ଅପରାଧ ବୋଲି କହି ହେବନାହିଁ।

ଅନେକ ଅପେକ୍ଷା ପରେ ଅର୍ବାନ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ ଡ଼େଭେଲପମେଣ୍ଟ ସ୍କିମ୍ ଫର୍ ସ୍ମଲ୍‌ ଆଣ୍ଡ ମିଡ଼ିୟମ୍ ଟାଉନ୍ସ (ୟୁଆଇଡ଼ିଏସ୍‌ଏସ୍‌ଏମ୍‌ଟି) ଯୋଜନାରେ ଟିମ୍ବର କଲୋନିରେ ୨ ଲକ୍ଷ ୫୦ ହଜାର ଲିଟର ପାନୀୟଜଳ ପ୍ରକଳ୍ପ ଗତ ଉତ୍କଳ ଦିବସରେ ଶୁଭାରମ୍ଭ ହୋଇଥିଲା। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ସେଥିରେ ମୁଖ୍ୟ ଅତିଥି ଥିଲେ, ଥିଲେ ମଧ୍ୟ ଜନସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ। ଏହିଭଳି ୧୨ଟି ସ୍ଥାନରେ ୮୯.୭୯ କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ କରାଯାଇଥିଲା। ଲୋକଙ୍କୁ ୨୪ ଘଣ୍ଟିଆ ଜଳ ଯୋଗାଇବାର ଘୋଷଣା ଯାଇଥିଲା। ଆରମ୍ଭ ହେବାର ୧୦ -୧୫ ଦିନ ଯାଏ ସକାଳ ଓ ସନ୍ଧ୍ୟା- ଦୁଇଓଳି ପାଣି ଆସିଲା। ତେବେ ପାଇପ୍ ସଂଯୋଗ ଠିକ୍ ଭାବରେ ହୋଇନଥିବାରୁ ପାଣି ବାହାରି ରାସ୍ତାଘାଟରେ ବର୍ଷାଦିନ ଭଲି ପରିସ୍ଥିତି ଦେଖିବାକୁ ମିଳିଥିଲା। ତେବେ ଅନେକ ବର୍ଷ ପରେ ପାଣି ମୁନ୍ଦେ ପାଉଥିବାରୁ ତା’କୁ ନେଇ ସ୍ଥାନୀୟ ଲୋକଙ୍କର ଅଭିଯୋଗ ନଥିଲା। କିନ୍ତୁ କିଛି ଦିନ ପରେ ପାଣି ଆସିବା ସଂପୂର୍ଣ୍ଣ ଠପ୍ ହୋଇଗଲା। ସେବେଠାରୁ ପ୍ରକଳ୍ପ ଅକାମୀ ହୋଇ ପଡ଼ିଛି।

ଏନେଇ ଟିମ୍ବର କଲୋନିର ଜଣେ ଲୋକ ‘ସମ୍ବାଦ’କୁ କହିଲେ, ‘‘ଆମ ପରିବାର ଏଠାରେ ୫୦ ବର୍ଷରୁ ଅଧିକ ସମୟ ଧରି ରହିଆସୁଛି। ରହିବା ଦିନଠାରୁ ପାଣି ସମସ୍ୟା ଲାଗିରହିଛି। ପ୍ରାୟ ୨୦୧୦ ମସିହାରୁ ଆମେ ପାଣି କିଣୁଛୁ। ପ୍ରଥମେ ମାସକୁ ୧୦୦ ଟଙ୍କା ନେଉଥିଲେ, ତା’ପରେ ୧୫୦ ଟଙ୍କା ଦେଲୁ, ଆଜି ଆସି ୫୦୦ ଟଙ୍କାରେ ପହଞ୍ଚିଲାଣି। ଆମେ ପୁରୁଣା ଗ୍ରାହକ ବୋଲି ମାସିକ ହିସାବରେ ଟଙ୍କା ଦେଉଛୁ। ଏବେ ‘କନେକ୍ସନ୍’ ନେଲେ ମିନିଟ୍ ହିସାବରେ ଟଙ୍କା ଦେବାକୁ ପଡ଼ୁଛି। ଗ୍ରାହକ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ପାଇପ୍ ପକାଇବ ଓ କେତେ ମିନିଟ୍ ପାଣି ଆବଶ୍ୟକ ତାହା ପୂର୍ବରୁ କହିବାକୁ ପଡ଼ିବ। ସେହି ଅନୁସାରେ ପାଣି ମାଲିକ ଚାବି ଖୋଲିବ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe