ଜଳସ୍ତର ବଢ଼ିଲା, ଜାଣିପାରିଲାନି ଠିକାସଂସ୍ଥା, ନିର୍ମାଣାଧୀନ ବୈତରଣୀ ବ୍ୟାରେଜରେ ଶ୍ରମିକ ମୃତ

Advertisment
ଜଳସ୍ତର ବଢ଼ିଲା, ଜାଣିପାରିଲାନି ଠିକାସଂସ୍ଥା, ନିର୍ମାଣାଧୀନ ବୈତରଣୀ ବ୍ୟାରେଜରେ ଶ୍ରମିକ ମୃତ

ଯାଜପୁରସଦର: ଯାଜପୁର ସହରର ନିକଟରେ ନିର୍ମାଣାଧୀନ ସପ୍ତମାତୃକା ବ୍ୟାରେଜରେ ଶୁକ୍ଜରବାର ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ କଳାହାଣ୍ଡି ଜିଲ୍ଲାର ସୋମନାଥ ପଟେଲ(୪୫)। ଆଜି ନଦୀର ଜଳସ୍ତର ବଢ଼ିବାରୁ ନିଷ୍କାସନ ପାଇଁ ଲାଗିଥିବା ପାଇପ୍‌ଗୁଡ଼ିକୁ ସୋମନାଥ କାଢ଼ୁଥିଲେ। ଏହି ସମୟରେ ମାଟି ଧସିବା ସହ ପ୍ରବଳ ସୁଅ ତାଙ୍କୁ ଭସାଇ ନେଇଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି।

ବୈତରଣୀ ନଦୀ ଦଶାଶ୍ବମେଧ ଘାଟର ଉଭୟ ପାର୍ଶ୍ବରେ ନଦୀଜଳ ସଂରକ୍ଷଣ କରିବା ପାଇଁ ବ୍ୟାରେଜ ନିର୍ମାଣ ଚାଲିଛି। ବର୍ତ୍ତମାନ ସପ୍ତମାତୃକା ମନ୍ଦିର ନିକଟରେ ନିର୍ମାଣ କାମ ଚାଲିଛି। ୨୫୦ କୋଟିରୁ ଊର୍ଦ୍ଧ ଟଙ୍କାରେ ହେଉଥିବା ଏହି‌ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଗୁରୁ ମହାରାଜ ଠିକାସଂସ୍ଥା କରୁଛି।

ଖରାଦିନ ଥିବାରୁ ନଦୀ ଜଳସ୍ତର ବହୁ କମ ରହିଥିଲା। ଜଳ ସ୍ରୋତକୁ ଅବରୋଧ କରାଯାଇ ବ୍ୟାରେଜ ନିର୍ମାଣ କରାଯାଉଥିଲା। ଜଳ ସଂପଦ ବିଭାଗ ଓ ଠିକାସଂସ୍ଥା ମଧ୍ୟରେ ତାଳମେଳ ଅଭାବ ଯୋଗୁଁ ଆଜି ନଦୀ ଜଳସ୍ତର ହଠାତ ବଢ଼ିଯାଇଥିଲା। ଏହା ଦେଖି ନଦୀରେ ଜଳ ନିଷ୍କାସନ ପାଇଁ ବସାଯାଇଥିବା ପାଇପ୍‌ଗୁଡ଼ିକୁ ଶ୍ରମିକମାନେ କାଢ଼ୁଥିଲେ। ଏହି ସମୟରେ ପ୍ରଖର ସ୍ରୋତରେ ସୋମନାଥ ଭାସିଯାଇଥିଲେ। ଉପସ୍ଥିତ ଅନ୍ୟ ଶ୍ରମିକମାନେ ତାଙ୍କୁ ଚେଷ୍ଟା କରି ମଧ୍ୟ ରକ୍ଷା କରିପାରି ନଥିଲେ।

ଖବର ପାଇ ଯାଜପୁର ଅଗ୍ନିଶମ ବିଭାଗ ପହଞ୍ଚି ନିର୍ମାଣାଧୀନ ବ୍ୟାରେଜ ଭିତରୁ ତାଙ୍କ ମୃତଦେହକୁ ଉଦ୍ଧାର କରିଥିଲା। ମୃତଦେହକୁ ଡାକ୍ତରଖାନା ନେବା ପାଇଁ ଠିକାସଂସ୍ଥା ପକ୍ଷରୁ କୌଣସି ଉଦ୍ୟମ କରାଯାଇ ନଥିଲା। କୌଣସି କର୍ମଚାରୀ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଇନଥିଲେ। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଦୁର୍ଘଟଣା ପରେ ମଧ୍ୟ ଶ୍ରମିକମାନେ ବିପଦପୂର୍ଣ୍ଣ ଭାବେ ବିନା ସୁରକ୍ଷାରେ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଥିଲା। ଏହି ନିର୍ମାଣ କାର୍ଯ୍ୟରେ ୫୦ରୁ ଊର୍ଦ୍ଧ୍ବ ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ଏଠାରେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି। କୋଟିକୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ ସମୟରେ ସୁରକ୍ଷା ନରହିବା ଓ ବିଭାଗୀୟ ଅଧିକାରୀ ତଥା ଠିକାସଂସ୍ଥାର କର୍ମଚାରୀ ଏହାକୁ ଅଣଦେଖା କରିବା ମଧ୍ୟ ଜଳସଂପଦ ବିଭାଗର  ଅପାରଗତାକୁ ପଦାକୁ ଆଣିଛି। କାହିଁକି ଜଳସ୍ତର ବଢ଼ିଲା ଏବଂ ଏନେଇ ଠିକା ସଂସ୍ଥାକୁ ସୂଚନା ‌ଦିଆଯାଇଥିବା କି ନାହିଁ ସେ ସଂପର୍କରେ ଜଳ ସଂପଦ ବିଭାଗର ଏସ୍‌ଇ ଧନେଶ୍ବର ସାମଲ କୌଣସି ସୂଚନା ଦେଇପାରି ନାହାନ୍ତି। ଏ ସଂପର୍କରେ ଗୁରୁ ମହାରାଜ ଠିକାସଂସ୍ଥାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe