ହନୁମନ୍ତିଆ ନାଳର କାଠପୋଲ ଉପରେ ପାଣି

Advertisment
ହନୁମନ୍ତିଆ ନାଳର କାଠପୋଲ ଉପରେ ପାଣି

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ସଲେଇକେନା ପଞ୍ଚାୟତ ଦାମୋଦରଗୌଣି ଗ୍ରାମର ହନୁମନ୍ତିଆ ନାଳ ପଣ୍ଡାପଡ଼ା ଘାଟରେ ନିର୍ମାଣ ହୋଇଥିବା କାଠପୋଲ ଉପରେ ୩ ଫୁଟ ଉଚ୍ଚର ବର୍ଷାପାଣି ପ୍ରବାହିତ ହୋଇଛି। ଫଳରେ ଏହି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ପଣ୍ଡାପଡ଼ା ଘାଟରେ ପୋଲ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନ, ବିଧାୟକ ଓ ମନ୍ତ୍ରୀଙ୍କୁ ଗୁହାରି କରିଥିଲେ। ହେଲେ ପୋଲ ନିର୍ମାଣ ହୋଇପାରୁ ନାହିଁ। ୩ ବର୍ଷ ତଳେ ସ୍ଥାନୀୟ ଦଣ୍ଡାହୁଳି ଗ୍ରାମବାସୀ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏଠାରେ ଏକ କାଠପୋଲ ନିର୍ମାଣ କରିଥିଲେ। ସିମେଣ୍ଟ ଓ ଲୁହାଛଡ଼ରେ ଖୁଣ୍ଟ ନିର୍ମାଣ କରିବାପରେ ଉପରେ ଲୁହା ଆଙ୍ଗେଲ, କାଠ ଓ ବାଉଁଶ ପକାଇ ପୋଲ ନିର୍ମାଣ କରିଥିଲେ।

ବର୍ଷାଦିନେ ଉପରମୁଣ୍ଡ କାଞ୍ଜିପାଣି ଘାଟିରେ ପ୍ରବଳ ବର୍ଷା ହେଲେ ନାଳର ସ୍ରୋତ ପ୍ରଖର ହେଉଛି। ଫଳରେ ପୋଲରେ ଲାଗିଥିବା କାଠ, ବାଉଁଶକୁ ଧୋଇନେଉଛି। ଗତବର୍ଷ ମଧ୍ୟ ପୋଲଟି କ୍ଷତିଗ୍ରସ୍ତ ହୋଇଥିଲେ। ସ୍ଥାନୀୟ ଲୋକେ ଏହାକୁ ମରାମତି କରିଥିଲେ। ଏହି ରାସ୍ତା ଉପରେ ସଲେଇକେନା, ଛାମୁଣ୍ଡା, ଦୋବଲାପାଳ ଓ ଜଗମୋହନପୁର ପଞ୍ଚାୟତର ଜନସାଧାରଣ ନିର୍ଭର କରୁଛନ୍ତି। ବର୍ଷାଦିନେ ଯାତାୟାତରେ ସମସ୍ୟା ହେଉଛି।

ଦଣ୍ଡାହୁଳି ଗ୍ରାମବାସୀ ୫ କିମି ଦୂରରେ ଥିବା ପଞ୍ଚାୟତ କାର୍ଯ୍ୟାଳୟକୁ ଆସିପାରୁ ନାହାନ୍ତି। ସେମାନେ ଓରିଆବିରିଦା ପଞ୍ଚାୟତ ଅନ୍ତର୍ଗତ କାଳିଆପାଣି-ପୁରୁଣାପାଣି-ଧନୁର୍ଜୟପୁର-କତରାପାଲି-ଜଟ-ଡିମିରିଆ ଆଦି ଗ୍ରାମ ଦେଇ ୨୦ କିମି ଅତିକ୍ରମ କରି ଯାତୟାତ କରୁଛନ୍ତି। ଦାମୋଦରଗୌଣି ଗ୍ରାମର ଚାଷଜମି ନାଳର ଅପରପାର୍ଶ୍ବରେ ଥିବାରୁ ଲୋକେ ବିପଦପୂର୍ଣ୍ଣ ଭାବେ ନାଳ ପାର ହୋଇ ଚାଷଜମିକୁ ଆସୁଛନ୍ତି।

ତୁରନ୍ତ ଏଠାରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ସଲେଇକେନା ସରପଞ୍ଚ ପାଙ୍ଗେଲା ମୁଣ୍ଡାଙ୍କୁ ପଚାରିବାରୁ, ହନୁମନ୍ତିଆ ନାଳରେ ପୋଲ ନିର୍ମାଣ ପାଇଁ ବିଡିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ବିଭାଗୀୟ ମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଯାଇଛି। କୌଣସି ସୁଫଳ ମିଳୁନି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe