Photo: The New Indian Express
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ ଶୂନ୍ୟ ହୋଇଯାଇଛି। ୨୬ ତାରିଖ ସକାଳ ୮ଟାରୁ ୨୭ ତାରିଖ ସକାଳ ୮ଟା ମଧ୍ୟରେ ଜଳଭଣ୍ଡାରକୁ ହାରାହାରି ଜଳପ୍ରବେଶ ଆଦୌ ହୋଇନାହିଁ ବା ଶୂନ କ୍ୟୁସେକ୍ ହୋଇଛି ବୋଲି ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣା ପଡ଼ିଛି। ସୂଚନା ଅନୁସାରେ, ସେହିସମୟରେ ଜଳଭଣ୍ଡାରରୁ ହାରାହାରି ୬,୦୦୭ କ୍ୟୁସେକ୍ ପାଣି ନିଷ୍କାସିତ ହୋଇଥିଲା। ସେଥିରୁ ୪,୭୫୩ କ୍ୟୁସେକ୍ ପାୱାର୍ ଚାନେଲ୍, ୫୦୦ କ୍ୟୁସେକ୍ ଶାସନ କେନାଲ, ୬୬ କ୍ୟୁସେକ୍ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରି, ୨୯୯ କ୍ୟୁସେକ୍ ଶିଳ୍ପସଂସ୍ଥା ପାଇଁ ଛଡ଼ା ଯାଉଥିଲାବେଳେ ୩୮୯ କ୍ୟୁସେକ୍ ପାଣି ବାଷ୍ପୀଭୂତ ହୋଇଥିଲା। ୨୭ ତାରିଖ ସକାଳ ୮ଟା ବେଳେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୭.୨୩ ଫୁଟ୍ ଥିଲା। ଅବଶ୍ୟ ଅଣମୌସୁମୀ ଋତୁରେ ଜଳଭଣ୍ଡାରକୁ ଜଳପ୍ରବେଶ ନଗଣ୍ୟ ବା ନାମକୁ ମାତ୍ର ହୋଇଥାଏ। ତେବେ,ଏହା ସଂପୂର୍ଣ୍ଣ ଶୂନ୍ୟ ହୋଇ ନଥାଏ ଏବଂ ପ୍ରଚଳିତ ଗାଣିତିକ ସୂତ୍ରରେ ନଗଣ୍ୟ ପରିମାଣ ହିସାବକୁ ଆସେନାହିଁ ବୋଲି ହୀରାକୁଦ ବନ୍ଧ ମୁଖ୍ୟଯନ୍ତ୍ରୀ ତଥା ମହାନଦୀ ଉପର ଅବବାହିକା ପ୍ରବନ୍ଧକ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି।
ହୀରାକୁଦ ବନ୍ଧରେ ଥିବା ଫାଟ ମରାମତି ସଂପର୍କରେ ସୂଚନା ଦେଇ ଇଂ. ସାହୁ କହିଛନ୍ତି, ପାଣି ଭିତରେ ରହୁଥିବା ଫାଟର ଯାଞ୍ଚ୍ କେନ୍ଦ୍ରୀୟ ମୃତ୍ତିକା ଓ ପଦାର୍ଥ ଗବେଷଣା କେନ୍ଦ୍ର (ସିଏସ୍ଏମ୍ଆର୍ଏସ୍) କରିଥାଏ। ଅନ୍ୟ ଘରୋଇ ସଂସ୍ଥା ଜରିଆରେ ବି ସର୍ଭେ କରାଯାଇଥିଲା। କିନ୍ତୁ, ସରକାର ନିଜ ସଂସ୍ଥା ଜରିଆରେ ପୁଣିଥରେ ସର୍ଭେ କରାଇବାକୁ ଚାହୁଁଛନ୍ତି। ଏଥିପାଇଁ ପ୍ରଥମେ କେନ୍ଦ୍ରୀୟ ଜଳ ଓ ଶକ୍ତି ଗବେଷଣା କେନ୍ଦ୍ର (ସିଡବ୍ଲୁପିଆର୍ଏସ୍)କୁ ଅନୁରୋଧ କରା ଯାଇଥିଲା। କିନ୍ତୁ, ସେମାନେ ପାଣି ଭିତରେ ଥିବା ଅଂଶର ଯାଞ୍ଚ କରନ୍ତି ନାହିଁ ବୋଲି କହିଥିଲେ। ଏହାପରେ ସିଏସ୍ଏମ୍ଆର୍ଏସ୍କୁ ଚିଠି ଲେଖାଗଲା। ତାଙ୍କ କଂକ୍ରିଟ୍ ବିଶେଷଜ୍ଞଙ୍କ ସହ ଆଜି କଥାବାର୍ତ୍ତା ହୋଇଛି। ସେମାନେ ଏହି ଜାନୁଆରିରେ ଆସି ଯେଉଁ ସାମାନ୍ୟ ଫାଟ ରହିଛି, ତାର ମରାମତି ପାଇଁ ଉଦ୍ୟମ କରିବେ ବୋଲି ସେ କହିଛନ୍ତି। ତେବେ, ଏହି ଫାଟ ଆଦୌ ଚିନ୍ତାଜନକ ନୁହେଁ। ଏହା ବନ୍ଧ ପାଇଁ କୌଣସି ଦୃଷ୍ଟିରୁ ବି ବିପଜ୍ଜନକ ନୁହେଁ ବୋଲି ଶ୍ରୀ ସାହୁ ସ୍ପଷ୍ଟ କରିଛନ୍ତି।
Follow Us