ଭସାଣି ପାଇଁ ନାହିଁ ଗାଇଡଲାଇନ: ଜଳଭଣ୍ଡାରରେ ବିସର୍ଜନ ହେଉଛି ମୂର୍ତ୍ତି, ପ୍ରଦୂଷିତ ହେଉଛି ପାଣି 

Advertisment
ଭସାଣି ପାଇଁ ନାହିଁ ଗାଇଡଲାଇନ: ଜଳଭଣ୍ଡାରରେ ବିସର୍ଜନ ହେଉଛି ମୂର୍ତ୍ତି, ପ୍ରଦୂଷିତ ହେଉଛି ପାଣି 

ଭଞ୍ଜନଗର: ଜନସାଧାରଣଙ୍କ ସୁରକ୍ଷାକୁ ମୁଖ୍ୟ ଆୟୁଧ କରି କୋଭିଡ କଟକଣା ଜାରି କରି ପୂଜାକୁ ସୀମିତ ରୀତିନୀତିରେ ସମ୍ପନ୍ନ କରାଗଲା। ପୂଜାକୁ ନିରାଡମ୍ବର ଭାବେ ପାଳନ କରିବା ସହ ଜନଗହଳିକୁ ଏଡାଇବା ପାଇଁ ଲମ୍ବା ଗାଇଡ ଲାଇନ ପ୍ରସ୍ତୁତ କରିଥିଲା ଜିଲ୍ଲା ପ୍ରଶାସନ। କିନ୍ତୁ ଜନସାଧାରଣଙ୍କ ପାଇଁ ପାଣିର ମହତ୍ତ୍ବ ବହୁ ଗୁରୁତ୍ବପୂର୍ଣ୍ଣ ରହିଥିବା ବେଳେ ସହରବାସୀଙ୍କୁ ପାନୀୟ ଜଳ ଯୋଗାଣ ହେଉଥିବା ଭଞ୍ଜନଗର ଜଳଭଣ୍ଡାରରେ ଚଳିତ ବର୍ଷ ପାର୍ବଣ ସମୟରେ ହୋଇଥିବା ମୃଣ୍ମୟୀ ମୂର୍ତ୍ତି ଗୁଡ଼ିକୁ ସିଧାସଳଖ ଭସାଣ କରାଯାଇଥିବାରୁ ପାଣି ପ୍ରଦୂଷିତ ହେବାରେ ଲାଗିଛି।

ଏହି ଜଳ ଭଣ୍ଡାରରୁ ପାଣି ଚାଷ କାର୍ଯ୍ୟ ପାଇଁ ବ୍ୟବହାର କରାଯାଉଥିବାର ବେଳେ ପ୍ରତିଦିନ ସହରାଞ୍ଚଳ ପାନୀୟ ଜଳ ଯୋଗାଣ ବିଭାଗ ଦ୍ବାରା ପ୍ରାୟ ୩୦ ଲକ୍ଷ ଲିଟରରୁ ଊର୍ଦ୍ଧ୍ୱ ପାଣି ପାନୀୟ ଜଳ ଯୋଗାଣ ପାଇଁ ବ୍ୟବହାର କରାଯାଉଛି। ଏହି ବିଭାଗ ଅଧୀନରେ ନୂତନ ଜଳ ବିଶୋଧନ ପ୍ଳାଣ୍ଟ୍ ନିର୍ମାଣ ହୋଇନଥିବା ବେଳେ ପାରମ୍ପରିକ ପଦ୍ଧିତିରେ ଜଳ ବିଶୋଧନ କରାଯାଉଥିବାରୁ ତାହା ସଂପୂର୍ଣ୍ଣ ବିଶୋଧନ ହୋଇନପାରୁ ନାହିଁ। ଜଳଭଣ୍ଡାରରୁ ସିଧାସଳଖ ଗୋଳିଆ ପାଣି ଜନସାଧାରଣଙ୍କୁ ଯୋଗାଣ ହେଉଛି। ଏଭଳି ସ୍ଥିତିରେ ରସାୟନିକ ରଙ୍ଗରେ ପ୍ରସ୍ତୁତ ମୂର୍ତ୍ତି ଗୁଡ଼ିକୁ ସିଧା ଜଳଭଣ୍ଡାର ମଧ୍ୟରେ ବିସର୍ଜନ କରାଯାଉଥିବାରୁ ଜଳ ଆହୁରି ପ୍ରଦୂଷିତ ହେବାରେ ଲାଗିଛି।

ଜଳଭଣ୍ଡାରର ଜଳକୁ ପରିଷ୍କାର କରି ସ୍ବଚ୍ଛ ପାଣି ଲୋକଙ୍କୁ ଯୋଗାଇବା ବଦଳରେ ଏଭଳି ପ୍ରଦୂଷିତ ପାଣି ଲୋକଙ୍କୁ ଯୋଗାଇବା ଦ୍ବାରା ପ୍ରଦୂଷିତ ପାଣି ବ୍ୟବହାର କରି ଲୋକ ମାନେ ବହୁ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏଥିସହ ଜଳଭଣ୍ଡାରର ଆଖପାଖ ଇଲାକାର ଲୋକ ମାନେ ଗାଧୋଇବା ଠାରୁ ଆରମ୍ଭ କରି ଜଳଭଣ୍ଡାରର ପାଣିକୁ ଦୈନନ୍ଦିନର ବିଭିନ୍ନ କାର୍ଯ୍ୟ ପାଇଁ ବ୍ୟବହାର କରିଥାନ୍ତି। ଏହି ଜଳଭଣ୍ଡାର ନିକଟରେ ଥିବା ବେଲେଶ୍ବର ପୀଠକୁ ଶତାଧିକ ଶ୍ରଦ୍ଧାଳୁ ଆସୁଥିବା ବେଳେ ଜଳଭଣ୍ଡାର ମନୋରମ ଦୃଶ୍ୟକୁ ଉପଭୋଗ କରୁଥିବା ବେଳେ ମୂର୍ତ୍ତି ଗୁଡ଼ିକର ଆର୍ବଜନା ପାଣିରେ ଭାସୁଥିବା ଦେଖି ବିମୁଖ ମଧ୍ୟ ହେଉଛନ୍ତି। ନିକଟରେ ଥିବା ଶ୍ମଶାନକୁ ଆସୁଥିବ ବ୍ୟକ୍ତି ମାନେ ମଧ୍ୟ ଜଳଭଣ୍ଡାରର ପାଣିକୁ ବ୍ୟବହାର କରିଥାନ୍ତି।

publive-image

ବର୍ତ୍ତମାନ ପୂଜାର ବ୍ୟବହୃତ ଫୁଲ, ପଲିଥିନ୍, ପ୍ଳାଷ୍ଟିକ ଜିନିଷ ଭଳି ବିଭିନ୍ନ ସାମଗ୍ରୀକୁ ପାଣି ଭିତରେ ଫୋପଡା ଯାଇଥିବା ବେଳେ ମୂର୍ତ୍ତି ଅବଶିଷ୍ଟାଶଂ ପାଣିରେ ଭାସୁଥିବା ଦେଖିବାକୁ ମିଳିଛି। ଯାହାକି ସଂପୂର୍ଣ୍ଣ ବ୍ୟବହାର ଅନୁପଯୋଗୀ ହୋଇପଡିଛି। ଅନ୍ୟପକ୍ଷରେ ଏହି ଜଳଭଣ୍ଡାରରେ ଅନେକ ଜଳଜୀବ ରହିଥିବା ବେଳେ ରସାୟନିକ ପଦାର୍ଥ ପାଣିରେ ମିଶିବା ଯୋଗୁ ସେମାନଙ୍କ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ଜଳ ଉତ୍ସ ଗୁଡ଼ିକୁ ଏହି ସମୟରେ ପ୍ରଦୂଷଣରୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କୃତ୍ରିମ ପୋଖରୀ ନିର୍ମାଣ କରି ସେଠାରେ ମୂ୍ର୍ତ୍ତି ଗୁଡ଼ିକୁ ବିସର୍ଜନ କରିବା ପରେ ତାକୁ ପୋତି ଯିବା ବ୍ୟବସ୍ଥା କରାଯାଉଥିବା ବେଳେ ଭଞ୍ଜନଗରରେ ଏହି ବ୍ୟବସ୍ଥାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଯାହା ଫଳରେ ଜଳଭଣ୍ଡାରର ପାଣି ପ୍ରଦୂଷିତ ହେବା ସହ ଏହାକୁ ବ୍ୟବହାର କରୁଥିବା ଲୋକଙ୍କ ଉପରେ ସମସ୍ୟା ସୃଷ୍ଟି କରୁଛି। ପରିବେଶ ପ୍ରଦୂଷତକୁ ରୋକିବା ନିମନ୍ତେ ବ୍ୟପକ ସଚେତନ କାର୍ଯ୍ୟକ୍ରମ ହାତକୁ ନିଆଯିବା ସହ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ବାସ୍ତବିକ ସ୍ଥିତିରେ ପରିବେଶକୁ ସୁରକ୍ଷା ଦେବା ଓ ଏହାକୁ ଯତ୍ନ ନେବା ଦିଗରେ କେହି ସଚେତନ ନଥିବା ଭଳି ଏଭଳି ଚିତ୍ରରୁ ସ୍ପଷ୍ଟ ହେଉଛି।

(ଏହି ଆଲେଖ୍ୟଟି ‘ସମ୍ବାଦ ଡିଜିଟାଲ୍’ର ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ-ୱାନ୍ ଆର୍ଥ, ୟୁନାଇଟ୍ ଫର୍ ଇଟ୍’ର ଅଂଶବିଶେଷ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe