୨୦ ଦିନ ଧରି ଚେରକା ଗ୍ରାମକୁ ଜଳଯୋଗାଣ ବନ୍ଦ, ୧୪୦ ପରିବାର ଦୁର୍ଦ୍ଦଶାରେ

Advertisment
୨୦ ଦିନ ଧରି ଚେରକା ଗ୍ରାମକୁ ଜଳଯୋଗାଣ ବନ୍ଦ, ୧୪୦ ପରିବାର ଦୁର୍ଦ୍ଦଶାରେ

ବୈପାରିଗୁଡା: ୨୦ ଦିନ ଧରି ଚେରକା ଗ୍ରାମକୁ ଜଳଯୋଗାଣ ସଂପୂର୍ଣ୍ଣ ଠପ୍ ହୋଇପଡିଛି। ଯାହାଫଳରେ ଗ୍ରାମରେ ବାସ କରୁଥିବା ୧୪୦ ପରିବାର ପିଇବା ପାଇଁ ପାଣି ଟୋପାଏ ନପାଇ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ତେବେ ଏଭଳି ଜଳକଷ୍ଟ ମନୁଷ୍ୟ କୃତ ବୋଲି ଜଣାପଡ଼ିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗ୍ରାମୀଣ ଜଳ ଯୋଗାଣ ବିଭାଗ ତରଫରୁ ଚେରକା ଗ୍ରାମର ପ୍ରବେଶ ପଥରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ତେବେ ପୋଲ ନିର୍ମାଣ ସମୟରେ ମାଟି ଖୋଳୁଥିବା ବେଳେ ପାଇପ୍ ଟିକୁ ସଂପୂର୍ଣ୍ଣ ଭାଙ୍ଗି ଦିଆଯାଇଛି। ଯାହାଫଳରେ ଗ୍ରାମରେ ରହିଥିବା ଟ୍ୟାପ୍ ଯାଏ ପାଣି ପହଞ୍ଚି ପାରୁନାହିଁ। ଗ୍ରାମବାସୀମାନେ ଏସଂପର୍କରେ ସଂପୃକ୍ତ ଠିକାଦାରଙ୍କୁ ଜଣାଇଥିଲେ ମଧ୍ୟ ସେ ଆବଶ୍ୟକୀୟ ପଦକ୍ଷେପ ନେଇ ନାହାନ୍ତି। ଖରାର ପ୍ରକୋପ ବଢୁଥିବା ବେଳେ ପାନୀୟ ଜଳର ଅଭାବ ଲୋକଙ୍କ ପାଇଁ ଯନ୍ତ୍ରଣା ଦାୟକ ହୋଇପଡିଛି। ଯେଉଁ କେତୋଟି ନଳକୂପ ରହିଛି, ତାହା ୧୪୦ ପରିବାର ପାଇଁ ଯଥେଷ୍ଟ ନୁହେଁ। ଏହାଛଡା ନଳକୂପ ଗୁଡ଼ିକର ଜଳସ୍ତର କମିଯିବା ଫଳରେ ପାଣି ପାଇଁ ଲୋକଙ୍କୁ ଗରାଏ ପାଣି ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଏହାକୁ ନେଇ ଆଜି ଗ୍ରାମର ସମସ୍ତ ମହିଳା ଖାଲି ମାଠିଆ ନେଇ ପଞ୍ଚାୟତ କାର୍ଯ୍ୟାଳୟ ପହଞ୍ଚିଥିଲେ।

ତେବେ ସରପଞ୍ଚଙ୍କ ଅନୁପସ୍ଥିତିରେ ପିଇଓ ମରାମତି ପାଇଁ ସ୍ବତନ୍ତ୍ର ଫଣ୍ଡ ଗଠନ କରି ପାଇପ୍ ନିର୍ମାଣ କରାଯିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏସଂପର୍କରେ କୋରାପୁଟ ଜିଲ୍ଲା ବୈପାରିଗୁଡା ଗ୍ରାମ୍ୟ ଜଳଯୋଗାଣ କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ୍ ଯୋଗେ ଗ୍ରାମବାସୀ ଯୋଗାଯୋଗ କରିଥିଲେ। ପାଞ୍ଚ ଛଅ ଦିନ ମଧ୍ୟରେ ପାଇପ୍ ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଗ୍ରାମବାସୀ କହିଛନ୍ତି। ତେବେ ପାଞ୍ଚ ଦିନ ମଧ୍ୟରେ ଜଳଯୋଗାଣ ସ୍ବାଭାବିକ ନହେଲେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକେଇ ଦିଆଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe