ପାନୀୟ ଜଳ ପ୍ରକଳ୍ପ ନାଁରେ ୪ କୋଟି ଚଳୁ; ମିଳୁନି ପାଣି, ୧୧ ହଜାର ପଦ୍ମପୁରବାସୀ ଶୋଷିଲା

ଦୁଇଟି ଟେଣ୍ଡର ସତ୍ତ୍ବେ ସ୍ବାଭାବିକ ହେଲାନି ଜଳଯୋଗାଣ

ପାନୀୟ ଜଳ ପ୍ରକଳ୍ପ ନାଁରେ ୪ କୋଟି ଚଳୁ; ମିଳୁନି ପାଣି, ୧୧ ହଜାର ପଦ୍ମପୁରବାସୀ ଶୋଷିଲା

ପଦ୍ମପୁର(ନୀଳମାଧବ ପାଢ଼ୀ): ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ସଦର ପଞ୍ଚାୟତରେ ବସୁଧା ଯୋଜନାରେ ୪ କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ କରାଯାଇଛି। କିନ୍ତୁ ଏହି ପ୍ରକଳ୍ପ ଦ୍ବାରା ନିୟମିତ ପାଣି ମିଳୁନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗତ ଏକ ସପ୍ତାହ ଧରି ପଦ୍ମପୁରକୁ ପାଣି ଯୋଗାଣ  ବନ୍ଦ ଥିବାରୁ ପଞ୍ଚାୟତର ୧୧ ହଜାର ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

publive-image

ପଦ୍ମପୁର ପଞ୍ଚାୟତର ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ୨୦୧୭ ଡିସେମ୍ବର ମାସରେ ୨ କୋଟି ୭୭ ଲକ୍ଷ ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ ନିମନ୍ତେ ଟେଣ୍ଡର ଆହ୍ବାନ କରାଯାଇଥିଲା। କାର୍ଯ୍ୟାଦେଶ ପାଇଥିବା ଠିକାଦାର ପାଣି ଟାଙ୍କି ନିର୍ମାଣ ସହିତ କିଛି ଅଞ୍ଚଳରେ ପାଇପ୍‌ ବିଛାଇଥିଲା। ଅନୁଦାନ ଶେଷ ହୋଇଯାଇଥିବା କହି ଠିକାଦାର ଅଧାରୁ ପ୍ରକଳ୍ପ କାମ ଛାଡ଼ି ଦେଇଥିଲା। ୨୦୨୧ ଏପ୍ରିଲ ୫ ତାରିଖରେ ଦ୍ୱିତୀୟ ପ୍ରକଳ୍ପର ଟେଣ୍ଡର ଆହ୍ବାନ କରି ୧ କୋଟି ୨୮ ଲକ୍ଷ ୯୧ ହଜାର ଟଙ୍କାର କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଯୋଜନା ମାଧ୍ୟମରେ ପ୍ରତ୍ୟେକ ଘରକୁ ପାଇପ୍‌ ଲାଇନ୍‌ ସଂଯୋଗ ଦିଆଗଲା। ୨୦୨୨ ମେ’ ୧୯ ତାରିଖରେ ପ୍ରକଳ୍ପର ଶୁଭ ଉଦଘାଟନ ହୋଇଥିଲା। ହେଲେ ପ୍ରକଳ୍ପ ନିର୍ମାଣରେ ଅନିୟମିତତା ଯୋଗୁ ଠିକ୍ ଭାବରେ ପଦ୍ମପୁରବାସୀଙ୍କୁ ପାଣି ମିଳିପାରୁନି। ପ୍ରକଳ୍ପର ଅନେକ ସ୍ଥାନରେ ଗେଟ୍‌ୱାଲ ଓ ଚାବି ନଥିବା ସହ ଅତି ନିମ୍ନମାନର ପାଇପ୍‌ ବିଛାଯାଇଥିବାରୁ ପାଇପ୍‌ ଫାଟି ରାସ୍ତାରେ ପାଣି ବୋହୁଛି। ଜିଲ୍ଲାପାଳଙ୍କ ଜନଶୁଣାଣି ବୈଠକରେ ପଦ୍ମପୁରବାସୀ ପାନୀୟ ଜଳ ପ୍ରକଳ୍ପର ଦୂରାବସ୍ଥାକୁ ନେଇ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ସ୍ଵଧା ଦେବ ସିଂ ସ୍ଥାନୀୟ ତହସିଲଦାର ଏବଂ ବିଡିଓଙ୍କୁ ପ୍ରକଳ୍ପକୁ ତୁରନ୍ତ ତ୍ବରାନିତ କରିବାକୁ ନିର୍ଦେଶ ଦେଇଥିଲେ। ଅଥଚ ଆଜି ସୁଦ୍ଧା ସ୍ଥିତି ଯଥା ପୂର୍ବଂ ତଥା ପରଂ। ନୂତନ ପ୍ରକଳ୍ପ  ପାଣି ସମସ୍ୟା ଦୂର କରିବା ବଦଳରେ ଦ୍ବିଗୁଣିତ କରିଥିବା ବେଳେ ସ୍ଥାନୀୟ ଲୋକ ପ୍ରତିନିଧି କିମ୍ବା ପ୍ରଶାସନିକ ଅଧିକାରୀ ସ୍ଥାୟୀ ପ୍ରତିକାର ଦିଗରେ ଦୃଷ୍ଟି ଦେଉନାହାନ୍ତି। ଅନ୍ୟପକ୍ଷରେ ବସୁଧା ଯୋଜନାରେ ପଦ୍ମପୁରର ୩୫ ବର୍ଷ ପୁରୁଣା ଟାଙ୍କିକୁ ରଙ୍ଗ ଦିଆଯାଇ ନୂତନ ଭାବେ ପ୍ରକଳ୍ପ ଭାବେ ଦେଖାଇ ଲକ୍ଷାଧିକ ଟଙ୍କା ହେରଫେର୍ କରାଯାଇଛି। ଗୁମୁଡାରୁ ପଦ୍ମପୁର ମୁଖ୍ୟ ପାଇପ ଲାଇନ ଫାଟି ରାସ୍ତାରେ ପାଣି ଯାଉଥିଲେ ମଧ୍ୟ ସ୍ଥାୟୀ ମରାମତି ହୋଇପାରୁନି। ଗତ ସପ୍ତାହେ ହେଲା ସହରର ଏକ ଧାନ ମିଲ୍ ନିକଟରେ ମୁଖ୍ୟ ପାଇପ୍ ଲାଇନ୍ ଫାଟି ପାଣି ବୋହି ଯାଉଥିବାରୁ ଘରକୁ ଯୋଗାଣ ହୋଇପାରୁନି। ପାଇପ ଲାଇନର ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ପରେ ବି ପାଣି ଯୋଗାଣ ସ୍ବାଭାବିକ ହୋଇପାରିନି। ଫଳରେ ୧୧ ହଜାର ପଦ୍ମପୁରବାସୀ ଶୋଷିଲା ହୋଇ ଦିନ କାଟୁଛନ୍ତି। କିଛି ନଳକୂପ ଓ ଅନ୍ୟ କିଛି ଲୋକ ବୋରୱେଲ୍ ସମେତ ନାଳ ପାଣିକୁ ବ୍ୟବହାର କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe