ରୁଗୁଡ଼ିସାହିରେ ପାନୀୟଜଳ ସଙ୍କଟ     

ରୁଗୁଡ଼ିସାହିରେ ପାନୀୟଜଳ ସଙ୍କଟ     

ବାଂଶପାଳ: ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। କେଉଁଠି ନଳକୂଅରୁ ପାଣି ବାହାରୁ ନାହିଁ ତ ଆଉ କେଉଁଠି ଓଭରହେଡ଼ ଟାଙ୍କି ତାଲା ପଡ଼ିଥିବାରୁ ପାଣି ମିଳୁ ନାହିଁ। ନଦୀକୁ ଯିବାକୁ ପଡ଼ୁଛି। ବର୍ଷା ଦିନରେ ବି ଏଭଳି ସାଂଘାତିକ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ କଲଣ୍ଡା ପଞ୍ଚାୟତର ରୁଗୁଡ଼ିସାହି ଗ୍ରାମରେ।

ଗ୍ରାମବାସୀ ପିଇବା ପାଣି ପାଇଁ ଦୀର୍ଘଦଶନ୍ଧି ହେଲା ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।  ସକାଳ ହେଲେ ଗ୍ରାମବାସୀଙ୍କ ପାଣିଚିନ୍ତା। ପାହାନ୍ତିଆରୁ ହାତରେ ଗରା ବାଲଟି ଧରି ମହିଳାମାନେ ବାହାରି ପଡୁଛନ୍ତି ୧ କିଲୋମିଟର ଦୂରରେ ଥିବା ନଈ ତୁଠକୁ l ଏବେ ବର୍ଷା ଦିନରେ ଦୂଷିତ ପାଣି ପ୍ରବାହିତ ହେଉଥିବା ବେଳେ ଲୋକେ ବାଧ୍ୟହୋଇ ଏହାକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି। ଗ୍ରାମରେ ଥିବା ୪୦ ଟି ପରିବାର ଦୂଷିତ ପାଣି ପିଇ ମ୍ୟାଲେରିଆ, ଡାଇରିଆ, ଜ୍ୱର ଆଦି ବିଭିନ୍ନ ରୋଗେରେ ପଡୁଛନ୍ତି। ଏହାକୁ ନେଇ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି।

ଗ୍ରାମରେ ଗୋଟିଏ ମାତ୍ର ନଳକୂପ ରହିଛି। ତାହା ପୁଣି ଅଚଳ।  ବର୍ଷ ବର୍ଷ ଧରି ନଦୀ ତୁଠରେ ଥିବା ଚୁଆ ଉପରେ ଭରସା କରୁଛନ୍ତି ଲୋକେ। ଏ ନେଇ ଗ୍ରାମବାସୀ ସରପଞ୍ଚଙ୍କ ଠାରୁ ବିଡିଓଙ୍କ ପର୍ଯ୍ୟନ୍ତ ବାରମ୍ବାର ଗୁହାରି କରିଥିଲେ ହେଁ କେହି ସେମାନଙ୍କ କଥା ଶୁଣୁ ନଥିବା ସେମାନେ ଅଭିଯୋଗ କରିଛନ୍ତି। ଗାଁରେ ଥିବା ପାନୀୟଜଳ ସମସ୍ୟାକୁ ଦୂରକରିବାକୁ ସନିବାରି ମୁଣ୍ଡା, ରଇବାରି ମୁଣ୍ଡା, ସୁଶୀଳା ମୁଣ୍ଡା, ରାଇମୁନି ମୁଣ୍ଡା ପ୍ରମୁଖ ଦାବି କରିଛନ୍ତି। ଅନ୍ୟପଟେ ଖୁବ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ବ୍ଲକ ଅଧ୍ୟକ୍ଷ ମାନସ କୁମାର ଦେହୁରୀ ଓ କଲଣ୍ଡା  ସରପଞ୍ଚ ଲଛମା ଦେହୁରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe