୫୦ଫୁଟ୍‌ ଉଚ୍ଚ ଚାଷଜମିରେ ପହଞ୍ଚିଲା ପାଣି: ଉପାନ୍ତ ଚାଷୀଙ୍କ ଦେଶୀ ଯୋଗାଡ଼

Advertisment
୫୦ଫୁଟ୍‌ ଉଚ୍ଚ ଚାଷଜମିରେ ପହଞ୍ଚିଲା ପାଣି: ଉପାନ୍ତ ଚାଷୀଙ୍କ ଦେଶୀ ଯୋଗାଡ଼

ଝରିଗାଁ/ନବରଙ୍ଗପୁର: ବିଦ୍ୟୁତ୍‌ କିମ୍ବା ଇନ୍ଧନ ଚାଳିତ ମୋଟର ବ୍ୟବହାର ହୋଇନି। ତଥାପି ଭୂପୃଷ୍ଠରୁ ୫୦ଫୁଟ୍‌ ଉଚ୍ଚରେ ତଥା ପାହାଡ଼ ଉପର ଚାଷ ଜମି ହେଉଛି ଜଳସେଚିତ। ଏଥିପାଇଁ କେବଳ ବ୍ୟବହାର ହୋଇଛି କିଛି ଖଣ୍ଡ ବାଉଁଶ ଏବଂ ପ୍ଲାଷ୍ଟିକ ପାଇପ୍‌। ଝରିଗାଁ ବ୍ଲକ ତେଲନଦୀ ପଞ୍ଚାୟତର ଅପହଞ୍ଚ ଇଲାକା ଭାବେ ପରିଚିତ କୁନିନାଲ ଗ୍ରାମବାସୀ ଏମିତି ଦେଶୀ ଯୋଗାଡ଼ କରି ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। କୁନିନାଲ ଗ୍ରାମ ଠାରୁ କିଛି ଦୂରରେ ରହିଛି ଚିଙ୍ଗିଡ଼ାଡ଼ଙ୍ଗରୀ ଓ ସାନକୁନି ପାହାଡ଼। ଦୁଇ ପାହାଡ଼ ମଝିରେ ପ୍ରବାହିତ ହୋଇଛି ପଦାମ ନଦୀ। ନଦୀର ଜଳପତ୍ତନ ଠାରୁ ପ୍ରାୟ ୫୦ଫୁଟ୍‌ ଉଚ୍ଚରେ ଚି଼ଙ୍ଗିଡ଼ାଡ଼ଙ୍ଗରୀ ପାହାଡ଼କୁ ସମତୁଲ କରି ଚାଷ ଜମିରେ ପରିଣତ କରିଛନ୍ତି ଗ୍ରାମବାସୀ। ପୂର୍ବରୁ ଏହି ଢ଼ିପ ଜମିରେ ଗ୍ରାମବାସୀ କେବଳ ବର୍ଷା ଦିନେ ଚାଷ କରୁଥିଲେ। ଅନ୍ୟ ସମୟରେ ଜମି ପଡ଼ିଆ ପଡ଼ୁଥିବାରୁ ବର୍ଷ ତମାମ ଜମିକୁ ଜଳସେଚିତ କରିବାକୁ ଯୋଜନା କରିଥିଲେ। ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ ଭଳି ଚାଷ ଜମି ଠାରୁ ୧୫୦ମିଟର ଦୂରରେ ରହିଥିବା ସାନକୁନି ପାହାଡ଼ରୁ ଝରୁଥିବା ପାଣିକୁ ବ୍ୟବହାର କରିବାକୁ ଗାଁର ସଦା ଗୌଡ଼ ଉପାୟ ବାହାର କରିଥିଲେ। ଏଥିରେ ତାଙ୍କୁ ଲବ ଗୌଡ଼, ଖଗ ଜାନି ଏବଂ ଭଗବାନ ମୁଦୁଲି ସହାୟତା କରିଥିଲେ।

ପ୍ରଥମେ ଦୁଇଟି ପାହାଡ଼ ମଧ୍ୟରେ ବାଉଁଶ ସେତୁ ନିର୍ମାଣ କରିବା କାମ ଆରମ୍ଭ କରିଥିଲା। ଏଥିପାଇଁ ନଦୀରେ ବାଉଁଶ ପୋତି ୫୦ଫୁଟ୍‌ ଉଚ୍ଚର ଟାୱାର ଆକୃତି ନିର୍ମାଣ କରିଥିଲେ। ଏହାପରେ ଉକ୍ତ ଟାୱାରରେ ବାଉଁଶ ବାନ୍ଧି ପୋଲର ରୂପ ‌ଦିଆଯାଇଥିଲା। ଯାହାଫଳରେ ବାଉଁଶ ପୋଲ ଦୁଇ ପାହାଡ଼କୁ ଯୋଡ଼ିଥିଲା। ସାନକୁଡ଼ି ପାହାଡ଼ର ଝରଣା ପାଣିକୁ ଗୋଟିଏ ସ୍ଥାନରେ ଅଟକାଇ ତାହାକୁ ପ୍ଲାଷ୍ଟିକ୍‌ ପାଇପ ଯୋଗେ ବାଉଁଶ ପୋଲ ଦେଇ ଚିଙ୍ଗିଡ଼ାଡ଼ଙ୍ଗରୀ ପାହାଡ଼ରେ ରହିଥିବା ଚାଷ ଜମି ପର୍ଯ୍ୟନ୍ତ ନିଆଯାଇଛି। ମୋଟ ୩୦୦ ମିଟର ପାଇପ ବିଛା ଯାଇଛି। ବର୍ତ୍ତମାନ ଯେଉଁ ପ୍ଲାଷ୍ଟିକ୍‌ ପାଇପ ବ୍ୟବହାର କରାଯାଇଛି ତାହାର ଅନେକ ସ୍ଥାନରେ ଫାଟ ରହିଛି। ତେଣୁ ପାଣିର ବେଗ କମ ରହିଛି, ମରାମତି କରିବା ପରେ ବେଗ ବଢ଼ିବ। ଚାଷ ଜମି ପାଇଁ ପାଣି ଅଭାବ ହେବ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ବର୍ତ୍ତମାନ ୫ଏକର ଜମିରେ ଚାଷ କରିହେବ ବୋଲି ମଧ୍ୟ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କୁନିନାଲ ଗାଁକୁ ଏପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ହୋଇପାରିନି। ଖଦରାପାଣି ପର୍ଯ୍ୟନ୍ତ ରାସ୍ତା ରହିଥିବା ବେଳେ ଗାଁ ପର୍ଯ୍ୟନ୍ତ ୨କିଲୋମିଟର ପାହାଡ଼ିଆ ରାସ୍ତାରେ ଚାଲିଚାଲି ଯିବାକୁ ପଡ଼ୁଛି। ଚାଷ ଉପରେ ଗାଁର ସମସ୍ତ ପରିବାର ନିର୍ଭରଶୀଳ। ନିଜ ଉପାୟରେ ଜଳସେଚନ ବ୍ୟବସ୍ଥା କରିଥିବାରୁ ଆଗକୁ ଉତ୍ପାଦନ ବଢ଼ିବ। କିନ୍ତୁ ବିକ୍ରି କରିବା ପାଇଁ ଗାଁକୁ ରାସ୍ତା ନାହିଁ। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe