ସତର୍କ କଲା ଜଳସମ୍ପଦ ବିଭାଗ: ବୈତରଣୀ ଫୁଲୁଛି

ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ଚଳିତବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି। ଆଜି ଅପରାହ୍‌ଣରୁ ପର୍ଯ୍ୟାୟକ୍ରମେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ୟାରେଜର ୧୬ଟି ଗେଟ୍‌ ଖୋଲାଯାଇଛି।

river

ଆନନ୍ଦପୁର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ଚଳିତବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି। ଆଜି ଅପରାହ୍‌ଣରୁ ପର୍ଯ୍ୟାୟକ୍ରମେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ୟାରେଜର ୧୬ଟି ଗେଟ୍‌ ଖୋଲାଯାଇଛି। ଏହା ସତ୍ତ୍ବେ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ ଦୃଷ୍ଟି ରଖାଯାଇଛି ବୋଲି ବୈତରଣୀ ବ୍ୟାରେଜ୍‌ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ ସ୍ନେହାଶିଷ ବେହେରା କହିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝରରେ ୨୨.୩ ମିଲିମିଟର, ବାଂଶପାଳରେ ୧୮.୨ ମିମି, ତେଲକୋଇରେ ୧୨.୮ ମିମି, ପାଟଣାରେ ୩୫.୮ ମିମି, ସାହାରପଡ଼ାରେ ୩୯.୪ ମିମି, ଘଟଗାଁରେ ୧୯.୬ ମିମି, ହରିଚନ୍ଦନପୁରରେ ୧୬ ମିମି, ଆନନ୍ଦପୁରରେ ୧୯.୭ ମିମି, ଘସିପୁରାରେ ୨୭.୨ ମିମି, ହାଟଡିହିରେ ୭.୧ ମିମି, ଚମ୍ପୁଆରେ ୮୮.୨ ମିମି, ଯୋଡ଼ାରେ ୮୩.୬ ମିମି, ଝୁମ୍ପୁରାରେ ୩୩.୪ ମିମି ବର୍ଷା ରେକର୍ଡ କରାଯାଇଛି। ଆଜି ସନ୍ଧ୍ୟା ୭ଟା ସୁଦ୍ଧା ଘସିପୁରା ରାଜଘାଟଠାରେ ବୈତରଣୀର ଜଳସ୍ତର ୩୬.୫୬୦ ମିଟର ରହିଥିଲା। ଏଠାରେ ସତର୍କ ସୂଚନା ୩୭.୪୪୫ ମିଟର ରହିଥିବାବେଳେ ବିପଦ ସଂକେତ ୩୮.୩୬୦ ମିଟର ରହିଛି। ରାତି ୯ଟା ସୁଦ୍ଧା ୩୭.୦୨୦ ମିଟରରେ ବନ୍ୟାଜଳ ପ୍ରବାହିତ ହୋଇଥିଲା।

ଆନନ୍ଦପୁର ଜଳସମ୍ପଦ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସତର୍କ କରାଯାଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଜିଲ୍ଲାର ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଆନନ୍ଦପୁରରେ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଥିବା ନେଇ ଆନନ୍ଦପୁର ତହସିଲଦାର ସଂଗ୍ରାମ କେଶରୀ ଭଳ କହିଛନ୍ତି। ଆଖୁଆପଦା ବ୍ୟାରେଜ୍‌ଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବାବେଳେ ରାତି ୮ଟା ସୁଦ୍ଧା ୧୬.୭୬ ଓ ରାତି ୯ଟାରେ ୧୭.୦୨ ମିଟରରେ ବନ୍ୟାଜଳ ପ୍ରବାହିତ ହୋଇଥିଲା। ଘଣ୍ଟାକୁ ଘଣ୍ଟା ଜଳସ୍ତର ବଢ଼ୁଥିବାରୁ ଏହା ଆହୁରି ବଢ଼ିବ ବୋଲି ଆଖୁଆପଦା ବ୍ୟାରେଜ୍‌ କର୍ମଚାରୀ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe