ସମ୍ବଲପୁରରେ ପାଣି କମୁଛି, ଦୁର୍ଦ୍ଦଶା ସରିନି ୧୬ ଆଶ୍ରୟସ୍ଥଳୀରେ ୩ ହଜାରରୁ ଅଧିକ ଲୋକ

Advertisment
ସମ୍ବଲପୁରରେ ପାଣି କମୁଛି, ଦୁର୍ଦ୍ଦଶା ସରିନି ୧୬ ଆଶ୍ରୟସ୍ଥଳୀରେ ୩ ହଜାରରୁ ଅଧିକ ଲୋକ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ୩ଟି ଗେଟ୍‌ ବନ୍ଦ ହେବା ସାଙ୍ଗକୁ ବର୍ଷା ବନ୍ଦ ହୋଇଯାଇଥିବାରୁ ବନ୍ୟାଞ୍ଚଳରେ ପାଣି କମିବାରେ ଲାଗିଛି। କିନ୍ତୁ ବର୍ତ୍ତମାନ ମଧ୍ୟ ସହରରୁ ନଈକୁ ଜଳ ନିଷ୍କାସନ କରୁଥିବା ଧୋବିଜୋର୍‌ର ବାଲିବନ୍ଧା ଓ ବିନାଖଣ୍ଡି ସ୍ଥିତ ସ୍ଲୁଇସ୍‌ ଗେଟ୍‌ ବନ୍ଦ ରହିଥିବାରୁ ସହର ମଝିର କିଛି ଅଞ୍ଚଳରେ ଲୋକେ ଜଳବନ୍ଦୀ ଭାବେ ରହିଛନ୍ତି। ଲଗାତାର ତୃତୀୟ ଦିନରେ ସମ୍ବଲପୁର ସହର ପାଣି ଘେରରେ ରହିଛି। ରବିବାର ରାତି ଯାଏ କ୍ଷେତରାଜପୁର, କ୍ଷେତରାଜପୁର ଗୁଡ଼େଶ୍ବର ବାବା ମନ୍ଦିର, ମନ୍ଦଲିଆ, ଝୁମ୍ପୁଡ଼ିପଡ଼ା, ଧୁବାପଡ଼ା, ସୁନାରୀପଡ଼ା, ରାମାୟଣ ଗଳି, ବଡ଼ବଜାର, ଚନ୍ଦନନଗର, ବାଲିବନ୍ଧା, ବିନାଖଣ୍ଡି,ହୀରାକୁଦ କଲୋନି, ରିକ୍ସାପଡ଼ା, ଚାରଭାଟି, କୁଲୁଥକାନି, ତୂରୀପଡ଼ା, ଗ‌ୋବିନ୍ଦତୋଲା, ଭତରା, ଖଣ୍ଡୁଆଳ ସାଇ ମନ୍ଦିର, ରଭାଟି, କୁଲୁଥକାନିର, ଗୋବିନ୍ଦତୋଲା ଡ୍ରାଇଭର୍‌ କଲୋନି, ପୁଲିସ୍‌ କଲୋନି, ଭତରା, ଧନୁପାଲି ଶିଶୁମନ୍ଦିର, ସରସ୍ବତୀ ବିହାର, କୋଲ୍‌ପଡ଼ା, ସ୍ବେରେଜ ପ୍ଲାଣ୍ଟ, ମୁଦିପଡ଼ାର ତଳି ଅଞ୍ଚଳ, ହୀରାକୁଦର ଖ୍ରିଷ୍ଟିଆନ୍‌ପଡ଼ାରେ ପାଣି ଜମି ରହିଛି।publive-image

ରବିବାର ସନ୍ଧ୍ୟା ସୁଦ୍ଧା ସହରର ବିଭିନ୍ନ ଅଞ୍ଚଳରୁ ୩ ହଜାର ଲୋକଙ୍କୁ ଉଦ୍ଧାର କରାଯାଇ ୧୬ଟି ବନ୍ୟା ଆଶ୍ରୟସ୍ଥଳୀକୁ ଅଣାଯାଇଛି। ଏହି ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କୁ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି। ବନ୍ୟା ଯୋଗୁଁ ଘର ବୁଡ଼ି ଯାଇଥିବା ବିଭିନ୍ନ ଅଞ୍ଚଳର ବହୁ ଲୋକ ସ୍କୁଲ, ନିକଟସ୍ଥ ଉଚ୍ଚ ସ୍ଥାନ, ଦୋକାନ ପିଣ୍ଡା, ମୁଖ୍ୟ ରାସ୍ତା ଉପରେ ରହୁଥିବା ଦେଖିବାକୁ ମିଳିଛି। ରବିବାର ରାତି ଯାଏ ମଧ୍ୟ ଗୁଣ୍ଡେରପୁରର ମାଳତି ବ୍ରିଜ ଉପ‌ରେ ପାଣି ଚାଲିବା ସହ ଲଗାତାର ତୃତୀୟ ଦିନ ପାଇଁ ସମ୍ବଲପୁର-ସୁବର୍ଣ୍ଣପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏବେ ବି ଗୁଣ୍ଡେରପୁର ଲିମ୍‌ସରିଏନ୍‌ ମନ୍ଦିର, ଘଣ୍ଟେଶ୍ବରୀ ମନ୍ଦିର ପାଣିରେ ବୁଡ଼ି ରହିଛି। ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରବିବାର ରାତି ଯାଏ ଅଗ୍ନିଶମ ବିଭାଗ ପକ୍ଷରୁ ତୁରୀପଡ଼ାରେ ଏକ ଘର ଭିତରେ ପଶି ରହିଥିବା ଜଣେ ବୃଦ୍ଧ ଓ ଶିଶୁପୁତ୍ରକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। କ୍ଷେତରାଜପୁର, ବିନାଖଣ୍ଡି ଓ ହୀରାକୁଦ କଲୋନିର ବିଭିନ୍ନ ଅଞ୍ଚଳରୁ ମଟର ପମ୍ପ ଯୋଗେ ପାଣି ନିଷ୍କାସନ ଜାରି ରହିଛି। କିନ୍ତୁ ବନ୍ୟା ସ୍ଥିତିରେ ବିଶେଷ କିଛି ସୁଧାର ଆସି ନାହିଁ। ସେପଟେ, ମହାନଦୀ କୂଳରେ ରହିଥିବା ବିଭିନ୍ନ ଅଞ୍ଚଳରେ ଏକର ଏକର ଚାଷଜମିରେ ବନ୍ୟା ପାଣି ପଶିଯିବା ଫଳରେ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି। ବିଭିନ୍ନ ଅଞ୍ଚଳ ଏବେ ସୁଦ୍ଧା ‌ଜଳ ଘେରରେ ରହିଥିବା ସମୟରେ ଗୃହପାଳିତ ପଶୁଙ୍କୁ ଖାଦ୍ୟ ବି ମିଳିପାରୁନଥିବା ଲୋକେ ଅଭିଯୋଗ କରୁଛନ୍ତି। ଜିଲ୍ଲାପାଳ ଶୁଭମ୍‌ ସକ୍‌ସେନା ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ରବିବାର ବିଭିନ୍ନ ଆଶ୍ରୟସ୍ଥଳୀ ପରିଦର୍ଶନ କରି ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe