ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେଲା ୱାଟର୍‌ ସ୍ପୋର୍ଟସ୍‌

Advertisment
ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେଲା ୱାଟର୍‌ ସ୍ପୋର୍ଟସ୍‌

ସମ୍ବଲପୁର : ଗୁରୁବାର ହୀରାକୁଦ ଜଳଭଣ୍ଡାର (ବୁର୍ଲା ଅଶୋକ ନିବାସ ନିକଟ)ରେ ଆଧୁନିକ ଜଳ କ୍ରୀଡ଼ା (ୱାଟର୍‌ ସ୍ପୋର୍ଟସ୍‌) ଆରମ୍ଭ ହୋଇଛି। କଟକର ଅକେଲା ୱାଟର୍‌ ସ୍ପୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ସଂସ୍ଥା ପକ୍ଷରୁ ହୀରାକୁଦ ରାଇଟ୍‌ ଡାଇକ୍‌ର ମାଁ ଝାଙ୍କରାଣୀ ମନ୍ଦିର ନିକଟରେ ଏହି ଜଳକ୍ରୀଡ଼ା କେନ୍ଦ୍ର ଆରମ୍ଭ କରାଯାଇଛି। ବାଣିଜ୍ୟ ଓ ପରିବହନ ତଥା ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ଏହାକୁ ଉଦ୍‌ଘାଟନ କରି କହିଲେ, ୱାଟର୍‌ ସ୍ପୋର୍ଟସ୍‌ ହୀରାକୁଦର ଆବଶ୍ୟକତା ଥିଲା। ଓଡ଼ିଶାବାସୀ ହୀରାକୁଦ ବନ୍ଧକୁ ନେଇ ଗର୍ବିତ ଓ ଉତ୍ସୁକ ଥିଲେ ବି ଏହା ବିଷୟରେ ଅଧିକ ଜାଣିବାର ସୁଯୋଗ ନଥିଲା। ଏବେ ଏହି ୱାଟର୍‌ ସ୍ପୋର୍ଟସ ଲୋକଙ୍କୁ ହୀରାକୁଦ ସହ ଅଧିକ ପରିଚିତ କରାଇବ।

ସମ୍ମାନିତ ଅତିଥି ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ କେମିତି ପର୍ଯ୍ୟଟନର ବିକାଶ ହେବ ଓ ଏଠାକୁ ଅଧିକ ପର୍ଯ୍ୟଟକ ଆସିବେ ତା’ ଉପରେ ସବୁବେଳେ ଗୁରୁତ୍ବ ଦେଉଛନ୍ତି। ଯେଉଁମାନେ ପର୍ଯ୍ୟଟନ ଭିତ୍ତିକ ବ୍ୟବସାୟ କରୁଛନ୍ତି ତାଙ୍କୁ ଆମେ ପ୍ରୋତ୍ସାହିତ କରୁଛୁ। ଏହି କ୍ରମରେ ହୀରାକୁଦରେ ୱାଟର୍‌ ସ୍ପୋର୍ଟସ୍ ଆରମ୍ଭ ହୋଇଛି। ଏଥି ପାଇଁ ସରକାର ତୁରନ୍ତ ଅନୁମତି ଦେବା ସହ ସବ୍‌ସିଡି ବି ପ୍ରଦାନ କରିଛନ୍ତି। ତେଣୁ ଯେଉଁ ମାନେ ଏଭଳି ଛୋଟଛୋଟ ପର୍ଯ୍ୟଟନ ଭିତ୍ତିକ କାର୍ଯ୍ୟ କରୁଛନ୍ତି ସେମାନେ ଆମ ବିଭାଗ ସହ ଯୋଗାଯୋଗ କଲେ ଆମେ ସେମାନଙ୍କୁ ସହଯୋଗ କରିବୁ ବୋଲି ଶ୍ରୀମତୀ ମିଶ୍ର କହିଥିଲେ।

publive-image

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶୁଭମ୍ ସକ୍‌ସେନା, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ ତ୍ରିପାଠୀ, ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ହେମନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଚନ୍ଦ୍ରଭାଗା ବେଳାଭୂମିରେ ୱାଟର୍‌ ସ୍ପୋର୍ଟସ୍‌ ପରିଚାଳନା କରୁଥିବା କଟକର ଅକେଲା ୱାଟର୍‌ ସ୍ପୋର୍ଟସ୍‌ ପ୍ରାଇଭେଟ୍ ଲିମିଟେଡ୍ ନାମକ ସଂସ୍ଥା ଏହି ଜଳକ୍ରୀଡ଼ା କେନ୍ଦ୍ର ପରିଚାଳନା କରିବ। ଏହି ୱାଟର୍‌ ସ୍ପୋର୍ଟସ କଂପ୍ଲେକ୍ସରେ ଟିକଟ୍‌ କାଟି ପର୍ଯ୍ୟଟକ ମାନେ ବିଭିନ୍ନ ପ୍ରକାର ଆଧୁନିକ ମୋଟର୍‌ ଚାଳିତ ଓ ସ୍ବୟଂଚାଳିତ ବୋଟ୍‌ର ମଜା ନେଇ ପାରିବେ। ଏଥିରେ ଜେଟ୍‌ସ୍କି (୪୦୦ ଟଙ୍କା), ୱାଟର୍‌ ସ୍କୁଟର୍‌ (ଦେଢ଼ କିଲୋମିଟର୍‌ ୩୦୦ ଟଙ୍କା), ସ୍ପିଡ୍ ବୋଟ୍‌ (ଦେଢ଼ କିଲୋମିଟର୍‌କୁ ଜଣ ପିଛା ୨୦୦ ଟଙ୍କା), ବନାନା ବୋଟ୍‌ (୧୫୦୦ ଟଙ୍କା), ବମ୍ପର୍‌ ବୋଟ (୧ ରାଉଣ୍ଡ ୮୦୦ ଟଙ୍କା), ଫ୍ୟାମିଲି ବୋଟ୍‌ (୨୦ ମିନିଟ୍‌ ୩୦୦ ଟଙ୍କା), କାୟାକ୍ (୨୦ ମିନିଟ୍‌କୁ ୧୦୦ ଟଙ୍କା), ୪ ଜଣିଆ ପେଡାଲ୍ ବୋଟ୍‌ (୨୦ ମିନିଟ୍‌କୁ ୨୦୦ ଟଙ୍କା) ଓ ୨ ଜଣିଆ ପେଡାଲ୍ ବୋଟ୍‌ (୨୦ ମିନିଟ୍‌କୁ ୧୫୦ ଟଙ୍କା) ଆଦିର ବ୍ୟବସ୍ଥା ରହିଛି। ଏହା ବର୍ଷ ସାରା ସକାଳ ୮ଟାରୁ ସଂଧ୍ୟା ୫ଟା ଯାଏ ଖୋଲା ରହିବ। ପ୍ରତି ବୋଟ୍‌ ସହ ଲାଇଫ୍ ଜ୍ୟାକେଟ୍‌, ଲାଇଫ୍ ଗାର୍ଡ ଆଦିର ବ୍ୟବସ୍ଥା ରହିବ ବୋଲି ପରିଚାଳନାକାରୀ ସଂସ୍ଥା ପକ୍ଷରୁ କହାଯାଇଛି। ଏହାପୂର୍ବରୁ ହୀରାକୁଦ ଇକୋ ରିଟ୍ରିଟ୍‌ରେ ଏହି ଜଳକ୍ରୀଡ଼ା ଆଦୃତ ହୋଇଥିଲାବେଳେ ହୀରାକୁଦ ଜଳଭଣ୍ଡାରରେ ଏହାକୁ ସ୍ଥାୟୀ ଭାବେ ଚଳାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe