ପାନୀୟଜଳ ଯୋଗାଣ ବାଟହୁଡ଼ିଛି

ପ୍ରଥମାଖଣ୍ଡ ଗାଁରେ ଜଳସଙ୍କଟ ଉତ୍କଟ, ପାଣି ପିଉଛନ୍ତି କିଣି

ପାନୀୟଜଳ ଯୋଗାଣ ବାଟହୁଡ଼ିଛି

Times of India

ରସୁଲପୁର: ରସୁଲପୁର ବ୍ଲକର ପ୍ରଥମାଖଣ୍ଡ ପଞ୍ଚାୟତରେ ପିଇବା ପାଣି ମୁନ୍ଦାଏ ପାଇଁ ସଂଘର୍ଷ ଦେଖିବାକୁ ମିଳିଲାଣି। ଶହଶହ କୋଟିର ବୃହତ୍‌ ପାନୀୟଜଳ ପ୍ରକଳ୍ପ ଏଯାଏ ଲୋକଙ୍କୁ ପାଣି​ ଯୋଗାଇପାରି ନାହିଁ। ଏଣେ ପଞ୍ଚାୟତରେ ଥିବା ବସୁଧା ଗ୍ରାମ୍ୟ ପାନୀୟଜଳ ପ୍ରକଳ୍ପ ମଧ୍ୟ ପାଣି ଯୋଗାଇବାରେ ବିଫଳ ହୋଇଛି। ଏଭଳି ଅବ୍ୟବସ୍ଥା ଭିତରେ ବିଭିନ୍ନ ଗାଁରେ ଜଳସଙ୍କଟର ବିକଳ ଚିତ୍ର ଦେଖିବାକୁ ମିଳିଲାଣି। ଗାଁ ଲୋକେ ଦୈନିକ ୩୦ ଟଙ୍କା ଦେଇ ପାଣି ଜାର୍‌ କିଣିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କହିଛନ୍ତି ପ୍ରଥମାଖଣ୍ଡର ବାସିନ୍ଦା ତଥା ପୂର୍ବତନ ପ୍ୟାକ୍ସ ସଭାପତି ମୁକୁନ୍ଦ ମହାନ୍ତି। ତାଙ୍କ କହିବା ଅନୁସାରେ ପରିବାରର ଆବଶ୍ୟକତା ପୂରଣ ପାଇଁ ପ୍ରତିଦିନ ୩୦ ଟଙ୍କା ଦେଇ ଗୋଟିଏ ପାଣି ଜାର୍‌ କିଣୁଛୁ। ଗ୍ୟାସ୍‌ ସିଲିଣ୍ଡର ଭରିବା ଲାଗି ୧୧୦୦ ଟଙ୍କା, ତା’ ଉପରେ ପୁଣି ପାଣି ଖର୍ଚ୍ଚ; ପରିବାର ଚଳାଇବା କଷ୍ଟକର ହୋଇପଡ଼ିଲାଣି ବୋଲି ସେ କହନ୍ତି। ଗାଁର ମାନସ ମହାନ୍ତି, ଗୋଲକ ବାରିକ, ଅକ୍ଷୟ ମହାନ୍ତି ଓ ଦାମୋଦର ମହାନ୍ତିଙ୍କର ମଧ୍ୟ ସମାନ ସମସ୍ୟା। ଭଲ ପାଣି ମିଳୁନି। ଯେଉଁ ନଳକୂଅରେ ପାଣି ମିଳୁଛି, ତାହା ଲୌହଯୁକ୍ତ। ତେଣୁ ବାଧ୍ୟହୋଇ ୩୦ ଟଙ୍କା ଦେଇ ୨୦ ଲିଟରର ପାଣି ଜାର୍‌ କିଣୁଛୁ ବୋଲି କହିଛନ୍ତି। ଗାଁର ଅଧିକାଂଶ ପରିବାର ଏପରି ପାଣି କିଣୁଛନ୍ତି। ଅତି ଗରିବ ଲୋକମାନେ ସେହି ଲୌହ ମିଶା ପାଣି ପିଇବାକୁ ବାଧ୍ୟ ହେଉଥିବା କହିଛନ୍ତି।

ଗାଁ ଲୋକଙ୍କ କହିବା କଥା, ପ୍ରାୟ ୬ମାସ ହେଲାଣି ବର୍ଷା ହୋଇନଥିବାରୁ ଗଡ଼ିଆ, ପୋଖରୀ ସବୁ ଶୁଖିଗଲାଣି। କୂଅଗୁଡ଼ିକର ଜଳସ୍ତର ମଧ୍ୟ ତଳକୁ ଚାଲିଯାଇଛି। ମାର୍ଚ୍ଚ ମାସ ପୂର୍ବରୁ ପ୍ରଥମାଖଣ୍ତ ପଞ୍ଚାୟତରେ ଏପରି ଅବସ୍ଥା ଦେଖି ଆଗକୁ କ’ଣ ହେବ ବୋଲି ଗ୍ରାମବାସୀ ଚିନ୍ତାପ୍ରକଟ କରିଛନ୍ତି। ପଞ୍ଚାୟତରେ ଥିବା ଅଧିକାଂଶ ଆଇଏମ-୨ ମଡେଲର ନଳକୂଅ ଅଚଳ ପଡ଼ିଛି। ଯେଉଁ କେତେକ ଭଲ ଅଛି, ସେଥିରୁ ଲୌହମିଶା ପାଣି ବାହାରୁ ଥିବାରୁ ପିଇବା ଉପେଯାଗୀ ହେଉନାହିଁ। ଏହି ପଞ୍ଚାୟତରେ ୨ ବର୍ଷରୁ ଅଧିକ ସମୟ ହେଲା ନିର୍ମାଣ ହୋଇଥିବା ବସୁଧା ଯୋଜନାର ସୁଉଚ୍ଚ ପାଣିଟାଙ୍କି କାର୍ଯ୍ୟକ୍ଷମ ହେଉନାହିଁ। ପ୍ରଥମାଖଣ୍ତରେ ରହିଥିବା ଆରଡବ୍ଲ୍ୟୁଏସଏସ ପମ୍ପରୁ ସକାଳେ ଦେଢ଼ଘଣ୍ଟା ଓ ଅପରାହ୍‌ଣରେ ଏକଘଣ୍ଟା ପାଣି ଦିଆଯାଉଛି। ଅନେକ ସମୟରେ ଏହା ମଧ୍ୟ ଚାଲୁନାହିଁ। ନିୟମିତ ଏଥିରୁ ପାଣି ଆସୁନଥିବାରୁ ବହୁ ଅସୁବିଧା ହେଉଛି ବୋଲି ତଳସାହିର ଶ୍ୟାମସୁନ୍ଦର ମଳିକ, କୃଷ୍ଣ ମଳିକ କହିଛନ୍ତି। ପାଣି ଯୋଗାଡ଼ କରି ରୋଷେଇ କରିବା କଷ୍ଟକର ହେଉଛି। ରୋଷେଇ ବନ୍ଦ ହେଲେ ମୁଢ଼ି, ଚୁଡ଼ା ଖାଇ ରହିବାକୁ ପଡୁଛି ବୋଲି ଦଳିତ ସାହିର ଲୋକମାନେ କହିଛନ୍ତି। ଏହି ସାହିରେ ଥିବା ଏକମାତ୍ର ଆଇଏମ୍‌-୨ ମଡେଲ୍ ହ୍ୟାଣ୍ତ ପମ୍ପ୍‌ଟି ପ୍ରାୟ ୩ ବର୍ଷ ତଳୁ ଅଚଳ। ସଜାଡ଼ିବା ପାଇଁ ସରପଞ୍ଚଙ୍କଠାରୁ ବିଡିଓଙ୍କ ପର୍ଯ୍ୟନ୍ତ ଜଣାଇଥିଲେ ବି ସଚଳ କରାଯାଉନାହିଁ। ଯାହାର ପଇସା ଅଛି ପାଣି କିଣୁଛନ୍ତି, ଆମ ପରି ଗରିବ ଲୋକ ଲୌହ ମିଶା ପାଣି ପିଇବାକୁ ବାଧ୍ୟ ହେଉଛୁ ବୋଲି ଦଳିତ ସାହିର ବାସିନ୍ଦା କହିଛନ୍ତି।

ରାଜେନ୍ଦ୍ରପୁର, ଅତଲାପୁର ପଞ୍ଚାୟତରେ ମଧ୍ୟ ଜଳସଙ୍କଟ ଲାଗି ରହିଛି। ଅଧିକାଂଶ ଆଇଏମ୍‌-୨ ମଡେଲ୍ ନଳକୂଅ ଅଚଳ। ଅନ୍ୟପଟେ ବ୍ଲକ୍ ଅଞ୍ଚଳରେ କୌଣସି ନଳକୂଅ ଅଚଳ ହୋଇନାହିଁ ବୋଲି ଆରଡବ୍ଲ୍ୟୁଏସଏସ କନିଷ୍ଠ ଯନ୍ତ୍ରୀ ବିଶ୍ବନାଥ ରଥ କହିଛନ୍ତି। ଏହି ଧରଣର ମାତ୍ର ୬ଟି ନଳକୂଅ ଖରାପ ଅଛି। ସେଗୁଡ଼ିକୁ ଖୁବ୍ ଶୀଘ୍ର ସଜାଡ଼ି ଦିଆଯିବ। ପାନୀୟଜଳ ସମସ୍ୟା ସଂପର୍କରେ ତାଙ୍କ ପାଖରେ କୌଣସି ଅଭିଯୋଗ ଆସିନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe