ନଗଡ଼ା: କୋଟିଏ ଟଙ୍କା ଖର୍ଚ୍ଚ ପରେ ବି ଚୁଆପାଣି, ଦୁର୍ନୀତିରେ ପରଦା ଢାଙ୍କିବାକୁ ଉଦ୍ୟମ

Advertisment

ସର୍ବୋଚ୍ଚ ଯନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଛନକା

ସର୍ବୋଚ୍ଚ ଯନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଛନକା

ନଗଡ଼ା: କୋଟିଏ ଟଙ୍କା ଖର୍ଚ୍ଚ ପରେ ବି ଚୁଆପାଣି, ଦୁର୍ନୀତିରେ ପରଦା ଢାଙ୍କିବାକୁ ଉଦ୍ୟମ

କାଳିଆପାଣି : ସୁକିନ୍ଦା ବ୍ଲକ୍‌ର ବହୁ ଚର୍ଚ୍ଚିତ ନଗଡ଼ା ଓ ଏହା ପାର୍ଶ୍ବବର୍ତ୍ତୀ ପାହାଡ଼ି ଇଲାକା ଗୁହିଆଶାଳ, ତୁମୁଣି ଓ ନାଲିଆଡାବ ବସ୍ତିକୁ ପାନୀୟ ଜଳ ଯୋଗାଣ ନାଁରେ ଗତ ୫ ବର୍ଷ ମଧ୍ୟରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଏବଂ ଜିଲ୍ଲା ଖଣିଜ ନ୍ୟାସ (ଡିଏମ୍‌ଏଫ୍‌) ପାଣ୍ଠିରୁ ପାଖାପାଖି କୋଟିଏ ଟଙ୍କା ଖର୍ଚ୍ଚ ହୋଇଛି। ଲୋକଙ୍କୁ ପିଇବା ପାଇଁ ଯୋଗାଇବାକୁ ଥିବା ପ୍ରକଳ୍ପ ବ‌ର୍ଷ ବର୍ଷ ଧରି ଅଚଳ କିମ୍ବା ବିପର୍ଯ୍ୟସ୍ତ ଅବସ୍ଥାରେ ଥିବାରୁ ଲୋକେ ଚୁଆରୁ ପାଣି ସଂଗ୍ରହ କରୁଛନ୍ତି। ଗତ ୧୧ ତାରିଖରେ ‘ସମ୍ବାଦରେ ‘କୋଟିଏ ଖର୍ଚ୍ଚ ପରେ ବି ଚୁଆପାଣି ! ଶୀର୍ଷକ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ ସ୍ତରରେ ତତ୍‌ପରତା ପ୍ରକାଶ ପାଇଥିଲା। ସର୍ବୋଚ୍ଚ ଯନ୍ତ୍ରୀ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି। ସପ୍ତାହକ ମଧ୍ୟରେ ତଦନ୍ତ ରିପୋର୍ଟ ଦେବା ସହ ଲୋକଙ୍କୁ ପାଣି ଯୋଗାଇବାକୁ କହିଛନ୍ତି। ତଦନ୍ତ କେଉଁ ବାଟରେ ଯାଇଛି ତାହା ଜଣାପଡିନଥିଲେ ମଧ୍ୟ ସଂପୃକ୍ତ ପ୍ରକଳ୍ପଗୁଡ଼ିକ କିନ୍ତୁ କାର୍ଯ୍ୟକ୍ଷମ ହୋଇନି। ଏଣେ ବିଭାଗୀୟ ଦୁର୍ନୀତିକୁ ଚପାଇଦେବା ପାଇଁ ଜୋରଦାର୍‌ ଉଦ୍ୟମ ଆରମ୍ଭ ହୋଇଛି।

ଓମ୍‌ବାଡସି ଅନୁଦାନରେ ପ୍ରଥମ ପର୍ଯ୍ୟାୟରେ ପାଖାପାଖି ଶହେ କୋଟି ବ୍ୟୟରେ ଖଣି ପ୍ରଭାବିତ ୮ଟି ପଞ୍ଚାୟତ ଲାଗି ମେଗା ପାନୀୟ ଜଳ ପ୍ରକଳ୍ପ ଜରିଆରେ ପିଇବାପାଣି ଯୋଗାଇ ଦେବା କାର୍ଯ୍ୟ ଅନ୍ତିମ ଚରଣରେ ପହଞ୍ଚିଛି। ବ୍ରାହ୍ମଣୀ ନଦୀ ଅବବାହିକାର ସୁକିନ୍ଦା ବ୍ଲକ ଅଧୀନ ବଞ୍ଜା-ମଙ୍ଗରାଜପୁର ଜଳଉତ୍ସରୁ ସଂଗୃହୀତ ଜଳରାଶିକୁ ପାଇପ୍‌ ଯୋଗେ କାଙ୍କଡ଼ପାଳ ଜଳ ବି‌ଶୋଧନ କେନ୍ଦ୍ର(ଡବ୍ଲ୍ୟୁଟିପି)କୁ ପ୍ରେରଣ ହେଉଛି।

ଡବ୍ଲ୍ୟୁଟିପିରେ ସଂରକ୍ଷଣ ଓ ବିଶୁଦ୍ଧୀକରଣ ପରେ ଏହି ଜଳକୁ ପାଇପ୍‌ ଯୋଗେ ବିଭିନ୍ନ ଗାଁଗଣ୍ଡାକୁ ଯୋଗାଇ ଦେବା ବ୍ୟବସ୍ଥା ହୋଇଛି। ତେବେ ମେଗା ପ୍ରକଳ୍ପରୁ ପାଣି ଯୋଗାଣ କାର୍ଯ୍ୟ ପ୍ରଥମକରି ସୀମାନ୍ତ ଚିଙ୍ଗୁଡ଼ିପାଳ ପଞ୍ଚାୟତର ନଗଡ଼ାରୁ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଉପର ନଗଡ଼ା, ମଝି ନଗଡ଼ା ଓ ତଳ ନଗଡ଼ା ବସ୍ତିକୁ ବାରମ୍ବାର ପରୀକ୍ଷଣ ଭିତ୍ତିରେ ପାନୀୟଜଳ ଯୋଗାଣ କାର୍ଯ୍ୟ ସଂପନ୍ନ ହୋଇଛି। ଉକ୍ତ କାର୍ଯ୍ୟର ଚୁକ୍ତି ଆଧାରିତ ନିର୍ମାଣ ଅବଧି ବର୍ଷକ ତଳୁ ଶେଷ ହୋଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏବେ ନଗଡ଼ାକୁ ନେଇ ତତ୍ପରତା ଦେଖାଉଛନ୍ତି। ଏହା ମୂଳରେ କେବଳ ଦୁର୍ନୀତି ଢାଙ୍କିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। କାରଣ ସେହି ଚିଙ୍ଗୁଡ଼ିପାଳ ପଞ୍ଚାୟତର ଅନ୍ୟ ସୀମାନ୍ତ ଇଲାକା ନାତୋର ମୌଜା, ବାଘୁଆସାହି, ଛତାଟାଙ୍ଗର, ପୋଡ଼ାହରା, ଏକଲାଟୋଲା, ଖୁଣ୍ଟାପଶି, ଅରଡ଼ାପାଳ ଇତ୍ୟାଦି ଗାଁ ଭିତରକୁ ଏଯାବତ୍ ମେଗା ପାନୀୟ ଜଳ ପ୍ରକଳ୍ପର ପାଇପ୍ ପଡ଼ିନାହିଁ ବୋଲି ସରପଞ୍ଚ ନୀଳେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି। କେଉଁ କାରଣରୁ ନଗଡ଼ା ପ୍ରତି ଏତେ ଧାଁ ଧପଡ଼ ଚାଲିଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe