ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବା ଯୋଜନା : ପ୍ରଶାସନ-ଆ‌‌ନ୍ଦୋଳନକାରୀ ମୁହାଁମୁହିଁ

Advertisment

ଗାଡ଼ି ଆଗରେ ବସି ରହିଲେ ପ୍ରତିବାଦକାରୀ; ଫେରିଗଲା କଂପାନି, ମା, ମାଟିର ସୁରକ୍ଷା ପାଇଁ ଆଗେଇ ଆସ: ସଂଗ୍ରାମ ସମିତି

ଗାଡ଼ି ଆଗରେ ବସି ରହିଲେ ପ୍ରତିବାଦକାରୀ; ଫେରିଗଲା କଂପାନି, ମା, ମାଟିର ସୁରକ୍ଷା ପାଇଁ ଆଗେଇ ଆସ: ସଂଗ୍ରାମ ସମିତି

ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବା ଯୋଜନା : ପ୍ରଶାସନ-ଆ‌‌ନ୍ଦୋଳନକାରୀ ମୁହାଁମୁହିଁ

କେନ୍ଦ୍ରାପଡ଼ା/ରାଜକନିକା : ଖରସ୍ରୋତାରେ ପ୍ରସ୍ତାବିତ ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଲାଗି ରହିଥିବା ଆନ୍ଦୋଳନ ଆଜି ବିସ୍ଫୋରକ ରୂପ ନେଇଛି ା ପ୍ରକଳ୍ପ କାମ ଆରମ୍ଭ କରିବାକୁ ଆସିଥିବା କଂପାନି କର୍ତ୍ତୃପକ୍ଷ ଓ ପ୍ରଶାସନିକ ଅଧିକାରୀ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର କର୍ମକର୍ତ୍ତା ଏବଂ ସ୍ଥାନୀୟ ଅଂଚଳବାସୀଙ୍କ କଡ଼ା ବିରୋଧର ସମ୍ମୁଖୀନ ହୋଇଛନ୍ତି। ଖରସ୍ରୋତା ପୋଲ ଆପ୍ରୋଚ ରାସ୍ତା ଉପରେ ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ‘ମରିବୁ ପଛେ, ଖରସ୍ରୋତାରୁ ବୁନ୍ଦାଏ ପାଣି ଦେବୁ ନାହିଁ’ ବୋଲି ନାରା ଦେଇ ବସି ରହିବାରୁ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ା ଗୋଟିଏ ପଟେ ପ୍ରକଳ୍ପ ସପକ୍ଷରେ ଜନମତ ସୃଷ୍ଟି ପାଇଁ ଆଳି ବିଧାୟକ ପ୍ରତାପ କେଶରୀ ଦେବ ଉଦ୍ୟମ ଚଳାଇଥିବା ବେଳେ ଅନ୍ୟପଟେ ଏହା ବିରୋଧରେ ଆନ୍ଦୋଳନ ଦିନକୁ ଦିନ ଜୋର୍‌ ଧରିବା ଘଟଣା ପ୍ରକଳ୍ପର ଭବିଷ୍ୟତକୁ ନେଇ ଲାଗି ରହିଥିବା ଅନିଶ୍ଚିତତାକୁ ଦୂର କରିପାରୁନାହିଁ।

ଉଲ୍ଲେଖଯୋଗ୍ୟ, ବସୁଧା ଯୋଜନାରେ ପ୍ରତ୍ୟେକଙ୍କ ଘରେ ପାଇପ୍ ପାଣି ପହଞ୍ଚାଇବା ଉଦ୍ଦେଶ୍ୟରେ ସରକାର କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲା ପାଇଁ ଏକ ବୃହତ୍ ପାନୀୟ ଜଳ ପ୍ରକଳ୍ପ ଘୋଷଣା କରିଛନ୍ତି ା ଖରସ୍ରୋତା ନଦୀରୁ ଜିଲ୍ଲାର ଆଳି ଓ ରାଜକନିକାକୁ ପାଣି ଯୋଗାଣ ପାଇଁ ୨୬୮‌କୋଟି ୧୧ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ପାଇଁ ୮୯୨କୋଟି ଟଙ୍କାର ପ୍ରକଳ୍ପ ରହିଛି ା ମାତ୍ର ଖ‌ରସ୍ରୋତାରୁ ଭଦ୍ରକ ଜିଲ୍ଲାକୁ ପାଣି ଗଲେ ସ୍ଥାନୀୟ ଅଂଚଳରେ ଜଳ ସଂକଟ ଉତ୍କଟ ହେବା ସହ ଭୂତଳରେ ଲୁଣି ପାଣି ମାଡ଼ି ଯାଇ ଚାଷ ପ୍ରଭାବିତ ହେବ ଆଶଙ୍କା କରି ଖରସ୍ରୋତ ବଂଚାଅ ସଂଗ୍ରାମ ସମିତି ପ୍ରସ୍ତାବିତ ପ୍ରକଳ୍ପକୁ ବିରୋଧ କରି ଆସୁଛି। ଗଲା କିଛିଦିନ ହେବ ଏହା ବିରୋଧରେ ଆନ୍ଦୋଳନ ଲାଗି ରହିଥିବା ବେଳେ ଆଜି କିନ୍ତୁ ପ୍ରଶାସନ ପକ୍ଷରୁ ପ୍ରକଳ୍ପ କାମ ଆରମ୍ଭ କରିବାକୁ ଉଦ୍ୟମ ହୋଇଥିଲା ା ପ୍ରଶାସନ ଓ ପୁଲିସ ଫୋର୍ସ ସହାୟତାରେ କଂପାନି କର୍ତ୍ତୃପକ୍ଷ ଦିନ ପ୍ରାୟ ୧୦ଟାରେ ପ୍ରସ୍ତାବିତ ରାଜକନିକାର ଭାରିଗଦାକୁ ଯାଉଥିଲେ ା ମାତ୍ର ଧାରଣାରେ ବସିଥିବା ସମିତିର କର୍ମକର୍ତ୍ତା ଓ ଅଞ୍ଚଳବାସୀ ପ୍ରଶାସନ ଓ କମ୍ପାନି ଗାଡି ଆଗରେ ବସିଥିଲେ।

publive-image

ଖରସ୍ରୋତା ପୋଲର ଆପ୍ରୋଚ ରୋଡ ଉପରେ ସମିତି ସଭାପତି ଦୁର୍ଯ୍ୟୋଧନ ମହାନ୍ତିଙ୍କ ନେତୃତ୍ବରେ ଆନ୍ଦୋଳନକାରୀ ମାନେ ବସି ରହିବାରୁ କଂପାନି କର୍ତ୍ତୃପକ୍ଷ ପ୍ରକଳ୍ପ ସ୍ଥଳକୁ ଯାଇପାରି ନ ଥିଲେ ା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ରଂଜନ ଦେଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ବୁଝାସୁଝା କରିଥିଲେ ମଧ୍ୟ ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ନିଜ ଜିଦ୍‌ରେ ଅଡ଼ି ବସିବାରୁ ଶେ‌ଷରେ କଂପାନି କର୍ତ୍ତୃପକ୍ଷ ଖାଲି ହାତରେ ଫେରିବାକୁ ବାଧ୍ୟ ହୋଇଥିଲେ।

ଅନ୍ୟପକ୍ଷରେ ଆସନ୍ତା ୨୨ ତାରିଖରେ ସମିତିର ହେବାକୁ ଥିବା ସମାବେଶ ପରେ ଏ ସଂକ୍ରାନ୍ତରେ ପୁଣି ଆଲୋଚନା କରାଯିବ ବୋଲି ଅତିରିକ୍ତ ଜିଲ୍ଲିପାଳ ଶ୍ରୀ ରାଉତ ସୂଚନା ଦେଇଥିଲେ। ଏହି ଆନ୍ଦୋଳନରେ ସଭାପତି ଶ୍ରୀ ମହାନ୍ତିଙ୍କ ସମେତ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ଉମେଶ ମଲ୍ଲ, ଶରତ ରାଉତ, ରବୀନ୍ଦ୍ର ସ୍ବାଇଁ, କାଳୀପ୍ରସାଦ ନାୟକ, କ୍ଷୀରୋଦ ବେହୁରା, ସବିତା ବରଜ, ମୂରଲୀଧର ବେହେରା, ଉମେଶ ପରିଡା, ପ୍ରଦୀପ ପଣ୍ଡା, ନିମାଇଁ ରାଉତ, ବିକି ଦାସ, ଆଶିଷ ବେହେରା, ଶୈଳେନ୍ଦ୍ର ଜେନା, ସୁବଳ ରାଉତ, ପ୍ରେମ୍ କୁମାର ପାତ୍ର ପ୍ରମୁଖ ସାମିଲ୍ ହୋଇଥିଲେ ା

ମା, ମାଟିର ସୁରକ୍ଷା ପାଇଁ ଆଗେଇ ଆସ: ସଂଗ୍ରାମ ସମିତି
ମେଗା ପ୍ରକଳ୍ପ ଜରିଆରେ ଖରସ୍ରୋତା ନଦୀରୁ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାକୁ ପାଣି ଦେବାକୁ ହୋଇଥିବା ଯୋଜନାକୁ ବିରୋଧ କରୁଥିବା ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ମା ଓ ମାଟିର ସୁରକ୍ଷା ପାଇଁ ଜନସାଧାରଣ ଆଗେଇ ଆସିବାକୁ ଆହ୍ବାନ ଦେଇଛି ା ସମିତି ପକ୍ଷରୁ କୁହାଯାଇଛି ଯେ ରାଜକନିକା ଓ ଆଳି ବ୍ଲକ୍ ଅଂଚଳର ଲୋକମାନେ ଚାଷ ପାଇଁ ଖରସ୍ରୋତା ନଦୀ ଉପରେ ନିର୍ଭର କରିଥାନ୍ତି ା ମଧୁର ପାଣି ହୋଇଥିବା ହେତୁ ଧାନ ଫସଲଠୁ ପନିପରିବା, ମୁଗ, ବିରି, ବାଦାମ, ତରଭୁଜ ଇତ୍ୟାଦି ଭଲ ହୋଇଥାଏ ା ମାତ୍ର ଏବେ ଏହି ନଦୀରୁ ପାଣି ନେବାକୁ ଯେଉଁ ଯୋଜନା ହୋଇଛି, ତାହା ଆଳି ଓ କନିକାବାସୀଙ୍କ ପେଟରେ ଲାତ ମାରିବା ସଦୃଶ ହୋଇଛି ା ନଦୀରୁ ପାଣି ନିଆଗଲେ ଲୁଣା ପାଣି ମାଡ଼ି ଆସିବ। ଏହାଦ୍ବାରା ଚାଷ ବୁଡ଼ିଯିବ ଏବଂ ଅଂଚଳରେ ବିଭୀଷିକା ପଡ଼ିଯିବ ବୋଲି ସମିତି ଅଭିଯୋଗ କରିଛି ା ଏଣୁ ପ୍ରକଳ୍ପ ସପକ୍ଷରେ ଯେଉଁ ଶାସକ ଦଳର ନେତା ଓ ଲୋକ ମାନେ ଯୁକ୍ତି ବାଢ଼ୁଛନ୍ତି, ସେମାନଙ୍କୁ ଉଚିତ୍ ଦେବାର ସମୟ ଆସିଯାଇଛି ା ମା, ମାଟିର ସୁରକ୍ଷା ପାଇଁ ଖରସ୍ରୋତା ବଞ୍ଚାଅ ନାଁରେ ଚାଲିଥିବା ଅଭିଯାନ ନାଁରେ ଦଳମତ ନିର୍ବିଶେଷରେ ସାମିଲ ହୋଇ ଆନ୍ଦୋଳନକୁ ସଫଳ କରିବା ପାଇଁ ସମିତି ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe