Representational image
ରାଉରକେଲା: ସର୍ବାଧିକ ଆସନ ବିଶିଷ୍ଟ ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପାଇଁ ରାଉରକେଲାର ନାଁ ଗିନିଜ୍ ବୁକ୍ରେ ଲିପିବଦ୍ଧ ହୋଇଛି। ଅପରପକ୍ଷରେ ପାନୀୟ ଜଳର ଅଭାବଯୋଗୁଁ ଏହି ସ୍ମାର୍ଟସିଟିବାସୀ ପାଣି କିଣୁଛନ୍ତି। ସମ୍ଭବତଃ, ରାଜ୍ୟର ଅନ୍ୟ କୌଣସି ମହାନଗର କିମ୍ବା ସ୍ମାର୍ଟସିଟିରେ ଜନସାଧାରଣ ପାଣି କିଣୁଥିବାର ଦୃଶ୍ୟ ଦେଖିବାକୁ ମିଳିନପାରେ। କିନ୍ତୁ ସ୍ମାର୍ଟସିଟି ରାଉରକେଲାର ଗୋପବନ୍ଧୁପଲ୍ଲୀରେ ଏହା ଦେଖିବାକୁ ମିଳୁଛି। ବିଡ଼ମ୍ବନା ଏହା ଯେ, କେବଳ ଚଳିତ ବର୍ଷ ନୁହେଁ; ବରଂ ଗତ ବେଶ୍ କିଛି ବର୍ଷ ହେଲା ଏହି ଧାରା ଅବ୍ୟାହତ ରହିଛି। ବଞ୍ଚିବାକୁ ଭଲ ପାଣି ମୁନ୍ଦିଏ ପାଇଁ ଲୋକେ ପାଣି କିଣିବାକୁ ବାଧ୍ୟ ହେଉଥିବାବେଳେ ପାଖାପାଖି ୧୦/୧୨ ଜଣି ଅସାଧୁ ବ୍ୟକ୍ତି ଏହାକୁ ବେପାରଭାବେ ଆପଣେଇଛନ୍ତି।
ଗୋପବନ୍ଧୁପଲ୍ଲୀରେ ୨୧ଟି ବସ୍ତି ଥିବାବେଳେ ପାଖାପାଖି ୫୦ ହଜାର ଲୋକ ବସବାସ କରୁଛନ୍ତି। ପ୍ରାୟ ସବୁ ବସ୍ତି ୩୦/୪୦ ବର୍ଷ ପୁରୁଣା। ଏଠାରେ ପ୍ରାୟତଃ ଦିନ ମଜୁରିଆ, କୁଲି, ସ୍ବିପର, ବୁଲା ବିକାଳି, ରାଜମିସ୍ତ୍ରୀ ଆଦି ବର୍ଗର ଲୋକ ରହୁଛନ୍ତି। ଦିନ ଯାକ ଖଟିଲେ ହିଁ ଘରେ ଚୁଳି ଜଳିଥାଏ। ଅଞ୍ଚଳର ମୋଟ୍ ଜନସଂଖ୍ୟା ମଧ୍ୟରୁ ପାଖାପାଖି ୧୦/୧୫ ହଜାର ଲୋକଙ୍କ ପାଇଁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ଦିବାସ୍ବପ୍ନ ପାଲଟିଛି। ବିଶେଷକରି ଟିମ୍ବର କଲୋନି ପାହାଡ଼ ଉପରେ ଥିବା ଯୁଗ ନିର୍ମାଣ ବସ୍ତି, ବୈଷ୍ଣୋ ମନ୍ଦିର ପାଦ ଦେଶରେ ଥିବା ବିହାରୀ ପଡ଼ା, ତେଲି ପଡ଼ା, ମୁଣ୍ଡା ପଡ଼ା, ଲୋହାର ପଡ଼ା, ଫାଣ୍ଡି ପଛପଟ ବସ୍ତି, କୁଲି ଖଟାଲ, ପାହାଡ଼ି ବସ୍ତି, ଅମରନାଥ ବସ୍ତି, ପାହାଡ଼ି କୁଆଁ ବସ୍ତି, ମହାବୀର ଛକ, ଆନନ୍ଦ ଛକ, ଆନନ୍ଦ ଧାମ ଅଞ୍ଚଳରେ ସ୍ଥିତି ଉଦ୍ବେଗଜନକ। ବିଭିନ୍ନ ବସ୍ତିରେ ଥିବା ନଳକୂଅ ବର୍ଷାଧିକ କାଳ ଅଚଳ ହୋଇ ପଡ଼ିରହିଥିବାବେଳେ କେଉଁଠି ଭାଙ୍ଗିରୁଜି ଗଲାଣି। ଆଉ ଏହାର ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟକ୍ତି।
/sambad/media/post_attachments/wp-content/uploads/2023/04/water-rkl-750x430.jpg)
ଗୋପବନ୍ଧୁପଲ୍ଲୀ, ଟିମ୍ବର କଲୋନି ଅଞ୍ଚଳରେ ପ୍ରାୟ ୧୦/୧୨ ଜଣ ପାଣି ବେପାରି ଅଛନ୍ତି। ଏମାନଙ୍କର ନିଜସ୍ବ ଗଭୀର ନଳକୂପ ଥିବାବେଳେ ମୋଟର ଯୋଗେ ପାଣି ଉଠାଇଥାନ୍ତି। ଏମାନେ ବର୍ଷ ସାରା ବେପାର ଚଳାଇଥିବାବେଳେ ଗ୍ରୀଷ୍ମ ଦିନରେ ବ୍ୟାପାର ଆଶାତୀତ ବୃଦ୍ଧି ପାଇଥାଏ। ପାଣି ବ୍ୟବସାୟ ଏଠାରେ ଖୁଲମଖୁଲ୍ଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏମାନେ ମାସିକ ୩୫୦/୪୦୦ ଟଙ୍କା ନେଉଛନ୍ତି। ଜଣେ ଗ୍ରାହକଙ୍କୁ ଦୈନିକ ୮/୧୦ ମିନିଟ୍ ପାଇଁ ପାଣି ଦିଆଯାଇଥାଏ। ଏହି ସମୟରେ ମୋଟର ମାଧ୍ୟମରେ ଯେତିକି ପାଣି ବାହାରିଲା, ବାସ୍ ସେତିକି ହିଁ ଦିଆଯିବ। ହାରାହାରା ଜଣେ ଗ୍ରାହକ ଦିନକୁ ମାତ୍ର ୩/୪ଟି ବାଲ୍ଟି(୮୦ ଲିଟର) ହିଁ ପାଣି ପାଉଛନ୍ତି। ଅବିଶ୍ବସନୀୟ ଦିଗ ଟି ହେଲା, ପାଣି କିଣିବାକୁ ଇଚ୍ଛୁକ ବ୍ୟକ୍ତିକୁ ଆଗୁଆ ୨ ହଜାର ଟଙ୍କା ପୈଠ କରିବା ବାଧ୍ୟତାମୂଳକ।
ଯିଏ ଅଗ୍ରୀମ ନଦେଲା, ତାଙ୍କୁ ପାଣି ଦିଆଯାଉନି। ପ୍ରତ୍ୟେକ ବର୍ଷ ଅଞ୍ଚଳରେ ଜଳ ସଙ୍କଟ ଲାଗି ରହୁଥିବାରୁ ଏମାନଙ୍କ ପାଣି ବେପାର ବି ତଦନୁଯାୟୀ ବ୍ୟାପକ ହେଉଛି। ଗତବର୍ଷ ମାସିକ ପାଣି ଦର ୨୫୦/୩୦୦ ଟଙ୍କା ଥିବାବେଳେ ଏଥର ସେଥିରେ ବୃଦ୍ଧି କରାଯାଇଛି। ବାସ୍ତବରେ ଲୋକଙ୍କ ଡହଳବିକଳ ପାଇଁ କେବଳ ଜିଲ୍ଲା ପ୍ରଶାସନ ହିଁ ଦାୟୀ। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟିମ୍ବର କଲୋନିରେ ଅଢ଼େଇ ଲକ୍ଷ ଲିଟର ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ କରାଯାଇଥିଲା। ଗତବର୍ଷ ଏପ୍ରିଲ ୧ ତାରିଖରେ ଏହା ଉଦ୍ଘାଟିତ ହୋଇଥିଲା। ଅଞ୍ଚଳର ପ୍ରତ୍ୟେକ ଘରକୁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ କରିବାକୁ ସେତେବେଳେ ଘୋଷଣା ହୋଇଥିଲା। କିନ୍ତୁ ଉଦ୍ଘାଟନକୁ ବର୍ଷେ ପୁରିଲା; ଏଯାଏଁ ଏଠାରୁ ପାଣି ଯୋଗାଣ ସମ୍ଭବ ହୋଇପାରିନି। ଫଳରେ ଅନନ୍ୟୋପାୟ ହୋଇ ବହୁସଂଖ୍ୟକ ସ୍ଥାନୀୟ ବାସିନ୍ଦା ପାଣି କିଣିବାକୁ ବାଧ୍ୟ ହେଉଛନ୍ତି।
Follow Us