Ministry of Ports,Shipping and Waterways
ଭୁବନେଶ୍ବର: କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରଣାଳୟ ରୋ-ରୋ/ରୋ-ପାକ୍ସ ଫେରୀ ପରିବହନ ସେବାକୁ ପ୍ରୋତ୍ସାହନ ଦେଉଛି। ଏହି ଜଳ ଆଧାରିତ ପରିବହନ ବ୍ୟବସ୍ଥାକୁ ପରିବହନ ଖର୍ଚ୍ଚ କମାଇବା ଏବଂ ଯାତ୍ରା ସମୟ ହ୍ରାସ କରିବାର ଏକ ଉନ୍ନତ ମାର୍ଗ ଭାବେ ବିବେଚନା କରାଯାଉଛି। ଏହା ମଧ୍ୟ ସଡ଼କ, ରେଳ ମାର୍ଗରେ ଟ୍ରାଫିକ ଭିଡ଼ କମାଇବା ସହିତ ଶବ୍ଦ ପ୍ରଦୂଷଣ ହ୍ରାସ କରିବ। ବିଭିନ୍ନ ସୁବିଧାଜନକ ମାର୍ଗରେ ଉପକୂଳ ଜାହାଜ ଚଳାଚଳକୁ ପ୍ରେତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି ସେବାକୁ କାର୍ଯ୍ୟକାରୀ କରାଯାଉଛି।
ଭାରତ ସରକାର ମୋଟ ୧୯୦୦ କୋଟି ଟଙ୍କା ବ୍ୟୟରେ ଓଡ଼ିଶାର ୨ଟି ସ୍ଥାନ ସମେତ ଦେଶର ୪୫ଟି ସ୍ଥାନରେ ରୋ ପାକ୍ସ ଫେରୀ ସେବା ପ୍ରକଳ୍ପ ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ବିଭିନ୍ନ ସ୍ଥାନରେ ଫେରୀ ଘାଟ ନିର୍ମାଣ କରାଯାଇ ଜଳମାର୍ଗରେ ଯାତାୟାତ ପାଇଁ ସୁଗମ ବ୍ୟବସ୍ଥା କରାଯାଇଛି। ଇତିମଧ୍ୟରେ ଗୁଜରାଟର ଘୋଗା-ହାଜିରା ମଧ୍ୟରେ ରୋ-ପାକ୍ସ ଫେରୀ ସେବା ଆରମ୍ଭ କରାଯାଇଥିବା ବେଳେ ମହାରାଷ୍ଟ୍ରରେ ମୁମ୍ବାଇରୁ ମାଣ୍ଡୱା ମଧ୍ୟରେ ଏହି ଜଳମାର୍ଗ ଖୋଲିଛି। ଏସବୁ ପ୍ରକଳ୍ପ ମାଧ୍ୟମରେ ଏବେ ସୁଦ୍ଧା ୭ ଲକ୍ଷ ଯାତ୍ରୀ ଏବଂ ୧.୫ ଲକ୍ଷ ବାହନ ପରିବହନ କରାଯାଇଛି। ଆଗକୁ ଗୁଜରାଟର ପିପାଭାଓ ଏବଂ ମୂଳଦ୍ବାରକା ଏବଂ ମହାରାଷ୍ଟ୍ରର ଘୋଡ଼ବନ୍ଦର, ଭେଲଦୁର, ୱସାଇ, କାଶିଡ, ରେୱାସ, ମନୋରୀ ଏବଂ ଜେଏନ ବନ୍ଦରରେ ଏହି ସେବା ଆରମ୍ଭ କରାଯିବ। ତା’ଛଡ଼ା ଆନ୍ଧ୍ରପ୍ରଦେଶରେ ୪ଟି, ତାମିଲନାଡ଼ୁ ଓ ଗୋଆରେ ଗୋଟିଏ ଲେଖାଏଁ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି। ଓଡ଼ିଶାର ଦୁଇଟି ସ୍ଥାନରେ ରୋ ପେକ୍ସ ଫେରୀ ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି।
କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ରାଜ୍ୟସଭାରେ ଏକ ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ମନ୍ତ୍ରଣାଳୟ ପକ୍ଷରୁ ‘ଭାରତୀୟ ଉପକୂଳରେ ରୋ- ରୋ ଏବଂ ରୋ-ପାକ୍ସ ଫେରୀ ସେବା ପାଇଁ ଏକ ମାର୍ଗଦର୍ଶିକା’ ଜାରି କରାଯାଇଛି। ଏହା ଫେରୀ ସେବାର ବିକାଶ ଏବଂ ପରିଚାଳନାକୁ ସମରୂପ ଦେବ ଏବଂ ସୁବ୍ୟବସ୍ଥିତ କରିବ। ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହିତ କରିବା ସହିତ ଅହେତୁକ ବିଳମ୍ବ ଦୂର କରିବ ଏବଂ ଗ୍ରାହକଙ୍କ ପାଇଁ ଡିଜିଟାଲ ହସ୍ତକ୍ଷେପର ପ୍ରଚଳନ କରିବ।
Follow Us