Photo by : Skymet Weather
ଭୁବନେଶ୍ବର : ରାଜ୍ୟରେ ପାରଦ ଏବେ ଉପରମୁହାଁ ହୋଇଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଏହିଭଳି ତାତି ଜାରି ରହିବ। ଆଜି ପୁଣି ପଶ୍ଚିମ ଓଡ଼ିଶାର ଦୁଇ ସହରର ତାପମାତ୍ରା ୪୩ ଡିଗ୍ରି ଅତିକ୍ରମ କରିଛି। ୪୩.୨ ଡିଗ୍ରି ତାପମାତ୍ରା ସହ ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର ପାଲଟିଥିବା ବେଳେ ଏହା ପଛକୁ ରହିଛି ସୋନପୁର ସହର। ଏଠାରେ ଶନିବାର ଦିନ ତାପମାତ୍ରା ୪୩ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ରାଜ୍ୟର ୯ ସହର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାତି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଅନ୍ୟପଟେ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଆରମ୍ଭ ହୋଇଯିବ। ଫଳରେ ଅପରାହ୍ଣ ଆଡ଼କୁ ପରିବେଶ ଅପେକ୍ଷାକୃତ ଥଣ୍ଡା ରହିବ। ଆସନ୍ତାକାଲି ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଥିସହ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ଗଜପତି, ରାୟଗଡ଼ା, କନ୍ଧମାଳ, ଯାଜପୁର ଓ ଭଦ୍ରକ ଆଦି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ଥିବାରୁ ଆସନ୍ତାକାଲି ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ପାଣିପାଗ କେନ୍ଦ୍ର କହିଛି, ଆସନ୍ତା ୧୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଏହିଭଳି କାଳବୈଶାଖୀ ବର୍ଷା ଜାରି ରହିବ। ୧୬ ଓ ୧୭ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ସମଗ୍ର ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହି ସମୟରେ କାଳବୈଶାଖୀଜନିତ ବର୍ଷା ହେବ। ୧୮ ତାରିଖ ଦିନ କାଳବୈଶାଖୀର ବିସ୍ତୃତି କମିବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼ ଓ କେନ୍ଦୁଝର ଆଦି ଜିଲ୍ଲାରେ ୧୯ ତାରିଖ ଦିନ ଝଡ଼ବର୍ଷାର ସମ୍ଭାବନା ରହିଛି। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରି ମଧ୍ୟରେ ରହିବ।
Follow Us