ବଡ଼ଭଉଣୀମାନଙ୍କୁ ଦେଖି ଆମେ ବି ଖେଳିଲୁ: ଜାତୀୟ, ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରେ ସମ୍ବଲପୁରର ୩୬ ମହିଳା

‘ବଡ଼ ଭଉଣୀ କାର୍ମି ମୁଣ୍ଡା ଜାତୀୟ ଫୁଟବଲ ଖେଳାଳି। ଆମ ପଡ଼ାର ଅହଲ୍ୟା ମୁଣ୍ଡା, ଲୋଚନା ମୁଣ୍ଡା, ଠୁନକି ମୁଣ୍ଡା, ଇନ୍ଦିରା ପ୍ରମୁଖଙ୍କ ଭଳି ବଡ଼ ଭଉଣୀମାନେ ଜାତୀୟ ଏବଂ ଅନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖେଳିଛନ୍ତି। ସେମାନଙ୍କୁ ଦେଖି ଆମ ପିଢ଼ିର ଝିଅମାନଙ୍କ ଫୁଟବଲ ପ୍ରତି ଆଗ୍ରହ ହୋଇଥିଲା।

gdgdgcv

ସମ୍ବଲପୁର: ‘ବଡ଼ ଭଉଣୀ କାର୍ମି ମୁଣ୍ଡା ଜାତୀୟ ଫୁଟବଲ ଖେଳାଳି। ଆମ ପଡ଼ାର ଅହଲ୍ୟା ମୁଣ୍ଡା, ଲୋଚନା ମୁଣ୍ଡା, ଠୁନକି ମୁଣ୍ଡା, ଇନ୍ଦିରା ପ୍ରମୁଖଙ୍କ ଭଳି ବଡ଼ ଭଉଣୀମାନେ ଜାତୀୟ ଏବଂ ଅନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖେଳିଛନ୍ତି। ସେମାନଙ୍କୁ ଦେଖି ଆମ ପିଢ଼ିର ଝିଅମାନଙ୍କ ଫୁଟବଲ ପ୍ରତି ଆଗ୍ରହ ହୋଇଥିଲା। ଫୁଟବଲ କୋଚ୍‌ ବଳରାମ ମଟାରି ଖେଳ ପ୍ରତିଭା ଦେଖି ସମ୍ବଲପୁର ଜିଲ୍ଲା ଦଳରେ ସାମିଲ କରାଇଥିଲେ। ସେଠାରୁ ହିଁ ଖେଳ ଜୀବନ ଆରମ୍ଭ ହୋଇ ଜାତୀୟସ୍ତରୀୟ ସିନିୟର, ଜୁନିୟର, ଇଣ୍ଡିଆନ୍‌ ମହିଳା ଲିଗ୍‌ ସମେତ ସାଉଦି ଆରବରେ ଆୟୋଜିତ ଆନ୍ତର୍ଜାତୀୟ ଫୁଟବଲ ପ୍ରଶିକ୍ଷଣ ଶିବିରରେ ସାମିଲ ହେବାର ସୁଯୋଗ ମିଳିଥିଲା। ବର୍ତ୍ତମାନ ତ୍ରିପୁରାରେ ଆୟୋଜିତ ସର୍ବଭାରତୀୟ ପୁଲିସ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଛି’। ଆଗାମୀ ଦିନରେ ଅନ୍ତର୍ଜାତୀୟ ଫୁଟବଲ ଖେଳିବାର ସ୍ବପ୍ନ ଥିବା କହିଛନ୍ତି ସମ୍ବଲପୁର ଭୁତାପଡ଼ାର ଯଶୋଦା ମୁଣ୍ଡା (୨୪)। 

ସମ୍ବଲପୁର ସହରର ସାମାଜିକ ଏବଂ ଆର୍ଥିକ କ୍ଷେତ୍ରର ଅତି ପଛୁଆ ଜନଜାତିଙ୍କ ବସତି ଭୁତାପଡ଼ା। ଯେଉଁଠିକୁ ଯିବାକୁ ହେଲେ ଅତି ସଂକୀର୍ଣ୍ଣ ରାସ୍ତା ଦେଇ ଅତିକ୍ରମ କରିବାକୁ ପଡ଼େ। ପଡ଼ାର ଅଧିକାଂଶ ଅଧିବାସୀ ଅତି ଗରିବ ଶ୍ରମିକ ପରିବାର। କିନ୍ତୁ ଏହିଠାରୁ ପ୍ରତିବର୍ଷ ପ୍ରତିଭାବାନ ଖେଳାଳିଙ୍କର ଆବିର୍ଭାବ ହେଉଛି। ମହିଳା ଫୁଟବଲ ଦଳର କୋଚ୍‌ ବଳରାମ ମଟାରିଙ୍କ କହିବାନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ବଲପୁରର ୩୬ ଜଣ ମହିଳା ଖେଳାଳି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଖେଳ ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଏହି ପଡ଼ାର। ତ୍ରିପୁରାରେ ଆୟୋଜିତ ସର୍ବଭାରତୀୟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ଯଶୋଦାଙ୍କ ବାପା ଜଣେ ମିସ୍ତ୍ରି। ଯଶୋଦା ଜାତୀୟ ସିନିୟର, ଜୁନିୟର ଓ ଇଣ୍ଡିଆନ ମହିଳା ଲିଗ୍ ଆଦି ବଡ଼ ଟୁର୍ଣ୍ଣାମେଣ୍ଟରେ ଖେଳି ଅନେକ ନାଁ କମାଇଛନ୍ତି। ତାଙ୍କ ସହିତ ଓଡ଼ିଶା ପୁଲିସ ଦଳରେ ପ୍ରତିନିଧିତ୍ବ କରୁଛନ୍ତି ସମ୍ବଲପୁରର ଆଉ ଜଣେ ଖେଳାଳି କାମିନୀ ମୁଣ୍ଡା (୧୯)। ଅଟୋ ଚାଳକ ରାମ ମୁଣ୍ଡା ଏବଂ ଫୁଲମନି ମୁଣ୍ଡାଙ୍କ ଝିଅ କାମିନୀ ପୂର୍ବରୁ ଜାତୀୟ ଦଳରେ ଖେଳିଛନ୍ତି। ଉଭୟ ଯଶୋଦା ଏବଂ କାମିନୀ ନିଜ ଖେଳ ପ୍ରତିଭା ଯୋଗୁଁ ପୁଲିସରେ ଚାକିରି ପାଇ ଫୁଟବଲରେ ଓଡ଼ିଶାକୁ ଗୌରବାନ୍ବିତ କରୁଛନ୍ତି। ଚଳିତ ବର୍ଷ ଜାତୀୟ ଦଳରେ ଭାଗ ନେବାର ସୁଯୋଗ ପାଇଥିବା ଆଉ ଜଣେ ଖେଳାଳି ହେଉଛନ୍ତି ରାନୀ ବାଗ। ତାମିଲନାଡ଼ୁରେ ଆୟୋଜିତ ଜାତୀୟ ସିନିୟର ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସେ ଓଡ଼ିଶାରୁ ପ୍ରତିନିଧିତ୍ବ କରିଥିଲେ।

ରାନୀ ଭଲ ପ୍ରଦର୍ଶନ କରି ପ୍ରଶଂସା ସାଉଁଟୁଛନ୍ତି। ସେହିପରି ସମ୍ବଲପୁରର ଲୋଚନା, ଅହଲ୍ୟା, ଝିଲି ମୁଣ୍ଡା, ଡଲି ମୁଣ୍ଡା, ମୀନା ଆଇନ୍ଦ, ଦୀପ୍ତି କିସାନ, ଇନ୍ଦିରା ମୁଣ୍ଡା, ଶାନ୍ତି ଖାଲଖୋ, ଠୁନକି ମୁଣ୍ଡା, ସୁମିତ୍ରା ମୁଣ୍ଡା, ନନ୍ଦିନୀ ମୁଣ୍ଡା, ରାଜେଶ୍ବରୀ ମୁଣ୍ଡା, ରୁନୁ ଥାପା, ପାର୍ବତୀ ମୁଣ୍ଡା, ସନ୍ତୋଷିନୀ ଓରାମ, ଦ୍ରୌପଦୀ ମୁଣ୍ଡା, ବନ୍ଦନା ଓରାମ, ସୁନିତା ସୋରେନ, ମଧୁମିତା ମେହେର, କାମିନୀ ମୁଣ୍ଡା, ସୁବାସିନୀ ବାଗ, ସରିତା ପଣ୍ଡା, ମିନତି ତିର୍କି, ରତ୍ନୀ ମୁଣ୍ଡା, ପ୍ରିୟା ଓରାମ, ଲିଲି କୁଜୁର, ପ୍ରେମା ମୁଣ୍ଡା, ସୁସ୍ମିତା ଓରାମ, ରଜନୀ ଓରାମ ଜଣେ ଜଣେ ମହିଳା ଫୁଟବଲର ଭାବେ ଚର୍ଚ୍ଚିତ। ଖେଳ ପରବର୍ତ୍ତୀ ଜୀବନରେ ଏମାନେ ପୁଲିସ, ରେଳବାଇ, ବ୍ୟାଙ୍କ ଏବଂ ଶିକ୍ଷୟିତ୍ରୀ ଭଳି ଚାକିରିରେ ଅଧିଷ୍ଠିତ। ଖେଳ ସେମାନଙ୍କୁ ସାମାଜିକ ସ୍ବୀକୃତି ସହିତ ଆର୍ଥିକ ସମୃଦ୍ଧି ଦେଇଛି। ଜଣେ ମହିଳା ଆଗକୁ ବଢ଼ିଲେ କେବଳ ନିଜେ ବଢ଼େ ନାହିଁ, ଅନ୍ୟ ମହିଳାଙ୍କୁ ମଧ୍ୟ ବାଟ ଦେଖାଏ। ସମ୍ବଲପୁର ମହିଳା ଫୁଟବଲ ଖେଳାଳିମାନେ ହେଉଛନ୍ତି ଏହାର ଜ୍ବଳନ୍ତ ଉଦାହରଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe