‘ଗଛ କାଟିବାର ଅଧିକାର ଆମର ନାହିଁ’

ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣ ଯୋଗୁ ମାଟି, ପାଣି, ପବନ ସବୁକିଛି ବିଷାକ୍ତ ହେବାରେ ଲାଗିଛି। ବେଳ ଥାଉଥାଉ ଏହାକୁ ରୋକିବାକୁ ପ୍ରୟାସ କରାଯିବା ଦରକାର। ବାରିପଦା ସହରରେ ବନୀକରଣକୁ ଗୁରୁତ୍ବ ଦେବାକୁ ପଡ଼ିବ।

sfshfddd

ବାରିପଦା: ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣ ଯୋଗୁ ମାଟି, ପାଣି, ପବନ ସବୁକିଛି ବିଷାକ୍ତ ହେବାରେ ଲାଗିଛି। ବେଳ ଥାଉଥାଉ ଏହାକୁ ରୋକିବାକୁ ପ୍ରୟାସ କରାଯିବା ଦରକାର। ବାରିପଦା ସହରରେ ବନୀକରଣକୁ ଗୁରୁତ୍ବ ଦେବାକୁ ପଡ଼ିବ। ଯଦି ଆମେ ଚାରାଟିଏ ରୋପଣ କରିପାରୁନେ, ତେବେ ଗଛଟିଏ କାଟିବାର ଅଧିକାର ଆମର ନାହିଁ। ଗଛକୁ ସୁରକ୍ଷା ଦେବାସହ ଜଙ୍ଗଲକୁ ବନାଗ୍ନି ଦାଉରୁ ରକ୍ଷା କରିବାକୁ ପଡ଼ିବ। କଂକ୍ରିଟ୍‌ ସହର ଭିତରେ ରହି ନିଜ ପରିବେଶର ସୁରକ୍ଷାକୁ ପାସୋରି ଦେଲେ ଭୟାବହ ପରିଣାମ ଭୋଗିବାକୁ ପଡ଼ିବ ବୋଲି ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମ‌ରେ ମତ ପ୍ରକାଶ ପାଇଛି।

ଗଛ ଲଗାଇ ସନ୍ତାନ ଭଳି ଯତ୍ନ ନେବାକୁ ହେବ: ପ୍ରକାଶ ସୋରେନ

ବାରିପଦା ସହର ଉପକଣ୍ଠ ଡିଭାଇନ୍‌ କଲେଜ ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ପ୍ରକାଶ ସୋରେନ ଯୋଗଦେଇ କହିଲେ ବାରିପଦା ସହରରେ ଏକାଧିକ ବିଶାଳ ଜଳାଶୟ ରହିଛି। ଏହା ସହରର ପରିବେଶକୁ ଶୀତଳ ରଖୁଥିଲା। ହେଲେ ଏବେ ସେଥିରେ ପର୍ଯ୍ୟାପ୍ତ ପାଣି ରହୁନି। ସହର ଆଖପାଖରେ ସବୁଜିମା ହ୍ରାସ ପାଉଛି। ତେଣୁ ପରିବେଶ ସନ୍ତୁଳନ ନଷ୍ଟ ହେଉଛି। କେବଳ ଜନପ୍ରତିନିଧି, ବନ ବିଭାଗ କିମ୍ବା ଗଣମାଧ୍ୟମ ପରିବେଶ ସୁରକ୍ଷା ପାଇଁ ଚିନ୍ତା କଲେ ହେବନି। ସମସ୍ତଙ୍କୁ ହାତରେ ହାତ ମିଶାଇ ଆଗକୁ ଆସିବାକୁ ପଡ଼ିବ। ଗଛଟିଏ ଲଗାଇ ଏହାକୁ ନିଜର ସନ୍ତାନ ପରି ଯତ୍ନ ନେବା‌କୁ ହେବ ବୋଲି ବିଧାୟକ ଶ୍ରୀ ସୋରେନ କହିଥିଲେ। ଏଥିସହ ‘ସମ୍ବାଦ’ ଦ୍ବାରା ଆୟୋଜିତ ଏଭଳି କାର୍ଯ୍ୟକ୍ରମ ସମାଜରେ ଜାଗୃତି ଆଣିବ ବୋଲି ସେ ଆଶା ପୋଷଣ କରିଥିଲେ।

ଅନ୍ୟତମ ଅତିଥି ପରିବେଶବିତ୍‌ ପୂର୍ଣ୍ଣଚନ୍ଦ୍ର ବୁଗୁଡ଼େଇ କହିଲେ ବାରିପଦା ସହରରେ ସବୁଜଗୃହ ଗ୍ୟାସ୍‌ର ପ୍ରଭାବ ରୋକିବାକୁ ହେଲେ ପର୍ଯ୍ୟାପ୍ତ ବୃକ୍ଷରୋପଣ ସହ ଗଛକୁ ସୁରକ୍ଷା ଦେବାକୁ ପଡ଼ିବ। ଆସନ୍ତା ୧୦ ବର୍ଷ ଯାଏଁ ଏହି ଧାରା ଜାରି ରହିଲେ ବାରିପଦା ପୁଣି ସବୁଜ, ସୁନ୍ଦର ହୋଇଉଠିବ। ସେହିପରି ପରିବେଶବିତ୍‌ ବିପ୍ଳବ ବୁଗୁଡ଼େଇ କହିଲେ, କରୋନାରେ ଅମ୍ଳଜାନ କିପରି ଆବଶ୍ୟକ ପଡ଼ୁଥିଲା ଆମେ ଅଙ୍ଗେ ନିଭାଇଛେ। ଆମ ପରପିଢ଼ିକୁ ଅମ୍ଳଜାନ କିଣିବା ଭଳି ସମୟ ନଆସୁ ବୋଲି ସେ ଚେତାଇ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଡିଭାଇନ୍‌ ଇଞ୍ଜିନିୟରିଂ କଲେଜର ଛାତ୍ରଛାତ୍ରୀ, ଅନୁଷ୍ଠାନର କର୍ମକର୍ତ୍ତା ‌ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe