ଓଡ଼ିଆ ଭାଷାପ୍ରତି ଲୋକଙ୍କ ଦୃଷ୍ଟିକୋଣରେ ପରିବର୍ତ୍ତନ ଲୋଡ଼ା

ଓଡ଼ିଆ ଭାଷାପ୍ରତି ଲୋକଙ୍କ ଦୃଷ୍ଟିକୋଣରେ ପରିବର୍ତ୍ତନ ଲୋଡ଼ା

ପାଶ୍ଚାତ୍ୟ ଭାଷା ପଛରେ ପଡ଼ି ଓଡ଼ିଆ ଭାଷା ସାହିତ୍ୟରୁ ଦୂରେଇ ଯିବା ଶୁଭଙ୍କର ନୁହେଁ। ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ପ୍ରଥମ ଦିବସରେ ଆୟୋଜିତ ‘ଓଡ଼ିଆ ଭାଷାର ଉଦ୍‌ଭବ ଓ ବିକାଶ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ଅତିଥିମାନେ ଏଭଳି କହିଛନ୍ତି। ବରିଷ୍ଠ ଭାଷାବିଜ୍ଞାନୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସ୍ୱଭାବକବି ଗଙ୍ଗାଧର ମେହେର କକ୍ଷରେ ଆୟୋଜିତ ଏହି ଆଲୋଚନା ସଭାରେ ଅତିଥିମାନେ ‘ଓଡ଼ିଆ ଭାଷାର ପ୍ରାଚୀନତା ଓ ବିକାଶକୁ’ ନେଇ ସାରଗର୍ଭକ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ସଭାଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଓଡ଼ିଆ ଭାଷା ପ୍ରତି ସାଧାରଣ ଜନତାଙ୍କ ଦୃଷ୍ଟିକୋଣରେ ପରିବର୍ତ୍ତନ ଲୋଡ଼ା ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ପ୍ରଫେସର ସବିତା ପ୍ରଧାନ ଯୋଗ ଦେଇ ଓଡ଼ିଆ ଭାଷାର ୨,୦୦୦ ବର୍ଷର ପ୍ରାଚୀନ ଇତିହାସ ରହିଛି ବୋଲି କହିଥିଲେ। ଓଡ଼ିଆ ଭାଷାରେ ପାର୍ସି, ଯାବନିକ ଓ ଇଂରାଜୀ ଶବ୍ଦ ବ୍ୟବହାରରେ ଲେଖକମାନେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ଐତିହସିକ ପ୍ରଫେସର ସୁବ୍ରତ କୁମାର ଆଚାର୍ଯ୍ୟ ଯୋଗଦେଇ ଓଡ଼ିଶାରେ ଷଷ୍ଠରୁ ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଶିଳାଲେଖଗୁଡ଼ିକରେ ସଂସ୍କୃତ ଭାଷାର ବହୁଳ ବ୍ୟବହାର ପରିଲକ୍ଷିତ ହୋଇଥିଲା ବୋଲି କହିଥିଲେ। ଅନ୍ୟତମ ଅତିଥି ବିଶିଷ୍ଟ ଲିପିତତ୍ତ୍ୱବିଦ୍ ଅନିର୍ବାଣ ଦାସ ଭାରତୀୟ ଉପମହାଦେଶରେ ବ୍ରାହ୍ମୀଲିପିର ପ୍ରଚଳନ ଭାରତୀୟ ଭାଷାର ଜନନୀ ଭାବରେ ପରିଗଣିତ ବୋଲି କହିଥିଲେ। ଅନ୍ୟତମ ଅତିଥି କବି ପ୍ରସନ୍ନ କୁମାର ମହାନ୍ତି, ଓଡ଼ିଆ ଭାଷା ଓ ବଙ୍ଗୀୟ ଭାଷା ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି ବୋଲି କହିଥିଲେ। ଭାଷାବିତ୍ ଦେବାଶିଷ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲା ବେଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଦିବ୍ୟାନୀ ପଟ୍ଟନାୟକ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe