ମଙ୍ଗଳ ଗ୍ରହରେ ପାଣିପାଗ ପୂର୍ବାନୁମାନ: ଏନ୍‌ଆଇଟି ଗବେଷକଙ୍କ ନିଷ୍କର୍ଷ ପ୍ରତିଷ୍ଠିତ ପତ୍ରିକାରେ ପ୍ରକାଶିତ

ମଙ୍ଗଳ ଗ୍ରହରେ ପାଣିପାଗର ପୂର୍ବାନୁମାନକୁ ଉନ୍ନତ କରିବାକୁ ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ର ଗବେ‌ଷକ ଦଳ ଗବେଷଣା କରିଛନ୍ତି। ମଙ୍ଗଳ ଗ୍ରହକୁ ରୋବୋଟିକ୍ ଓ ମାନବ ଅଭିଯାନ ପାଇଁ ଏହା ସହାୟକ ହେବ...

Weather forecasting on Mars: NIT researcher's work published in prestigious journal

Weather forecasting on Mars: NIT researcher's work published in prestigious journal Photograph: (sambad.in)

ରାଉରକେଲା: ମଙ୍ଗଳ ଗ୍ରହରେ ପାଣିପାଗର ପୂର୍ବାନୁମାନକୁ ଉନ୍ନତ କରିବାକୁ ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ର ଗବେ‌ଷକ ଦଳ ଗବେଷଣା କରିଛନ୍ତି। ମଙ୍ଗଳ ଗ୍ରହକୁ ରୋବୋଟିକ୍ ଓ ମାନବ ଅଭିଯାନ ପାଇଁ ଏହା ସହାୟକ ହେବ।

ଗବେଷକମାନେ ଦୁଇ ଦଶନ୍ଧିର ସାଟେଲାଇଟ୍ ତଥ୍ୟକୁ ଅଧ୍ୟୟନ କରିଛନ୍ତି; ଯାହା ମଙ୍ଗଳ ଗ୍ରହ ପାଇଁ ପାଣିପାଗ ପୂର୍ବାନୁମାନ ମଡେଲଗୁଡ଼ିକୁ ଉନ୍ନତ କରିବାରେ ସାହାଯ୍ୟ କରିବ। ଏତଦ୍‌ବ୍ୟତୀତ ଏହି ମଡେଲଗୁଡ଼ିକ ମଙ୍ଗଳ ଗ୍ରହରେ କେବେ ଜୀବନ ଥିଲା ନା ନାହିଁ, ସେ ପ୍ରସଙ୍ଗରେ ମଧ୍ୟ ଜ୍ଞାନ ବୃଦ୍ଧି କରିବ।

ଏନ୍‌ଆଇଟିର ପୃଥିବୀ ଓ ବାୟୁମଣ୍ଡଳ ବିଜ୍ଞାନ ବିଭାଗ ପ୍ରଫେସର ଜଗବନ୍ଧୁ ପଣ୍ଡା, ଗବେଷଣା ଛାତ୍ର ଅନିର୍ବାନ ମଣ୍ଡଳ, ୟୁଏଇ ବିଶ୍ବବିଦ୍ୟାଳୟ ଜାତୀୟ ମହାକାଶ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କେନ୍ଦ୍ରର ଡ. ବିଜୟ ଗୁହା, ଡ.କ୍ଲସ୍‌ ଗେଭାର୍ଟ, ସୁନ୍‌ ୟାଟ୍‌ସନ ବିଶ୍ବବିଦ୍ୟାଳୟ(ଚୀନ)ର ଡ. ଝାପେଙ୍ଗ୍‌ ୱୁ ପ୍ରମୁଖ ଲେଖିଛନ୍ତି। ଏହି ଗବେଷଣାର ନିଷ୍କର୍ଷଗୁଡ଼ିକୁ ପ୍ରତିଷ୍ଠିତ ପତ୍ରିକା ‘ନ୍ୟୁ ଆଷ୍ଟ୍ରୋନୋମି ରିଭ୍ୟୁଜ୍‌’ରେ ପ୍ରକାଶିତ ହୋଇଛି।

ଉଲ୍ଲେଖଯୋଗ୍ୟ, ଲୌହିତ ଗ୍ରହଭାବେ ଜଣାଶୁଣା ମଙ୍ଗଳ ଗ୍ରହରେ ସୌରଜଗତର କିଛି ସବୁଠାରୁ ଆଶ୍ଚର୍ଯ୍ୟଜନକ ପାଣିପାଗ ସ୍ଥିତି ଏଠାରେ ଉପଲବ୍ଧ। ସ୍ଥାନୀୟ ତଥା କ୍ଷେତ୍ରୀୟ ଝଡ଼ ଧୂଳିକୁ ବହୁ ଦୂରକୁ ବୋହି ନେବାସହ ପବନର ଶୈଳୀକୁ ବାଧା ଦେଇପାରେ; ଯଦ୍ବାରା ତାପମାତ୍ରାରେ ପରିବର୍ତ୍ତନ ଆଣିଥାଏ। ଏମିତିକି କିଛି କ୍ଷେତ୍ରରେ ଏହା ମଙ୍ଗଳ ଗ୍ରହର ବାୟୁମଣ୍ଡଳରେ ମଧ୍ୟ ଚମତ୍କାର ପରିବର୍ତ୍ତନ ଆଣିଥାଏ।

ଏନ୍ଆଇଟି ରାଉରକେଲାର ଗବେଷକଙ୍କ ନେତୃତ୍ୱରେ ହୋଇଥିବା ଅଧ୍ୟୟନ ମଙ୍ଗଳ ଗ୍ରହର ପାଣିପାଗର ତିନୋଟି ପ୍ରମୁଖ ଉପାଦାନ, ଯଥା- ଧୂଳିକଣା, ବଡ଼ ବଡ଼ ଧୂଳିଝଡ଼ ଏବଂ ଜଳ, ବରଫ ଓ ବାଦଲ ଉପରେ କେନ୍ଦ୍ରିତ ଥିଲା।

ଗବେଷଣାର ଗୁରୁତ୍ୱ ଓ ପ୍ରଭାବ ବିଷୟରେ ସୂଚନାଦେଇ ପ୍ରଫେସର ଜଗବନ୍ଧୁ ପଣ୍ଡା କହିଲେ, ମଙ୍ଗଳ ଗ୍ରହରେ ପାଣିପାଗ ପୂର୍ବାନୁମାନକୁ ଆଗକୁ ବଢ଼ାଇବା କେବଳ ଏକ ବୈଜ୍ଞାନିକ ପ୍ରୟାସ ନୁହେଁ, ବରଂ ଏହା ସୁନିଶ୍ଚିତ କରିବ ଯେ ଭବିଷ୍ୟତର ଅଭିଯାନଗୁଡ଼ିକ ସେଠାରେ ବଜାୟ ରହିପାରିବ ଏବଂ ‌ଲୌହିତ ଗ୍ରହରେ ଅତିତ ଓ ଭବିଷ୍ୟତରେ ଜୀବନ ରହିପାରିବ ନା ନାହିଁ ସେନେଇ ଜ୍ଞାନ ଆହରଣ କରିବା।

ଯଦି ଇସ୍ରୋ ମଙ୍ଗଳ ଗ୍ରହରେ ଅଧିକ ଅଭିଯାନ ସହ ଶିକ୍ଷାନୁଷ୍ଠାନର ଗବେଷଣାରେ ଅଧିକ ନିବେଶ କରିବ, ତା’ହେଲେ ବହୁମାତ୍ରାରେ ଫଳପ୍ରଦ ହେବ। ଏହା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ଆହୁରି ଆଗକୁ ବଢ଼ାଇବାରେ ସହଯୋଗ କରିବ ବୋଲି କହିଛନ୍ତି।

sundargarh NIT | Weather forecasting on Mars

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe