Advertisment

ଆଜିଠୁ ବଢ଼ିବ ତାତି, ୧୫ରୁ ପୁଣି ବର୍ଷା

Advertisment
ଆଜିଠୁ ୪ ଦିନ ପ୍ରବଳ ଖରା

ଭୁବନେଶ୍ବର : ୩ ଦିନର ମେଘୁଆ ପାଗ ପରେ ଆଜିଠାରୁ ରାଜ୍ୟକୁ ଖରା ଓ ତାତି ଫେରିବ। ୩ ଦିନ ପାଗ ଶୁଖିଲା ଓ ଖରାଟିଆ ରହିବ। ତାପମାତ୍ରା ବି ବଢ଼ିବ। କିନ୍ତୁ ୧୫ ତାରିଖରୁ ରାଜ୍ୟରେ ପୁଣି ମେଘୁଆ ପାଗ ସହ ବର୍ଷା ଆରମ୍ଭ ହୋଇଯିବ। କିଛି ସ୍ଥାନରେ କୁଆପଥର ବର୍ଷା ହୋଇପାରେ। ଦିନର ସର୍ବୋଚ୍ଚ ତାପମାତ୍ରା ପାଖାପାଖି ୫ରୁ ୮ ଡିଗ୍ରି ପର୍ଯ୍ୟନ୍ତ କମିବ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଶନିବାର ରାଜ୍ୟର କିଛି ସ୍ଥାନରେ ପାଗ ମେଘୁଆ ରହିଥିଲା। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା ଓ କୋରାପୁଟ ଆଦି ଜିଲ୍ଲାରେ ହାଲୁକା ବର୍ଷା ମଧ୍ୟ ହୋଇଯାଇଛି। ଆଜିଠାରୁ ରାଜ୍ୟର ପାଗ ଶୁଖିଲା ରହିବ। ଆକାଶ ମେଘମୁକ୍ତ ଓ ଖରାଟିଆ ହେବ। ଫଳରେ ତାତି ପୁଣି ବଢ଼ିବ। ୧୪ ତାରିଖ ଯାଏ ତାତି ରହିବ। ୧୫ରୁ ରାଜ୍ୟରେ ପୁଣି ମେଘୁଆ ପାଗ ସହ ବର୍ଷା ଆରମ୍ଭ ହେବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ସମେତ ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି।

publive-image India Mike

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୧୫ ତାରିଖଠାରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବ। ଆକାଶ ମେଘୁଆ ରହିବ। ବର୍ଷା ହେବ ଓ ତାପମାତ୍ରା କମିବ। ଆକଳନ କରାଯାଉଛି, ରାଜ୍ୟରେ ୧୫ ତାରିଖରେ ମେଘୁଆ ପାଗ ରହିବା ସହ ୧୬ ତାରିଖରୁ ବିଭିନ୍ନ ସ୍ଥାନରେ ବର୍ଷା ହେବ। ୧୮ ଓ ୧୯ ତାରିଖରେ ବର୍ଷାର ମାତ୍ରା ଅଧିକ ରହିବ। ପୁରୀଠାରୁ ବାଲେଶ୍ବର ପର୍ଯ୍ୟନ୍ତ ଉପକୂଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ବଲାଙ୍ଗୀରଠାରୁ ସୁନ୍ଦରଗଡ଼ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ପ୍ରଭାବ ରହିବ ନାହିଁ ବା କମ୍‌ ରହିବ। ଅବଶିଷ୍ଟ ଅଞ୍ଚଳରେ ବର୍ଷା ପ୍ରତ୍ୟେକ ଦିନ ହାଲୁକାରୁ ସ୍ବଳ୍ପ ହେବ। କେନ୍ଦ୍ରୀୟ ଓ ଦକ୍ଷିଣ ଆଭ୍ୟନ୍ତରର ଗୋଟିଏ ଦୁଇଟି ସ୍ଥାନରେ ୧୭ ବା ୧୮ ତାରିଖରେ କୁଆପଥର ବର୍ଷା ହୋଇପାରେ। ଅନେକ ସ୍ଥାନରେ ତାପମାତ୍ରା ୮ ଡିଗ୍ରିରୁ ଅଧିକ କମିବ।

ଭୁବନେଶ୍ବର‌ରେ ୧୭ରୁ ୨୦ ତାରିଖ ଭିତରେ ସର୍ବାଧିକ ତାପମାତ୍ରା ୩୦ ଡିଗ୍ରିରୁ କମ୍‌ ‌ହୋଇପାରେ। ଆଜି ସାରା ରାଜ୍ୟରେ ତାପମାତ୍ରା ବଢ଼ିବ। ୧୪ ତା‌ରିଖ ଯାଏ ଗରମ ରହିବ। କିନ୍ତୁ କୌଣସି ସ୍ଥାନରେ ୩୯ ଡିଗ୍ରି ଅତିକ୍ରମ କରିବା ସମ୍ଭାବନା କମ୍‌। ଓଡ଼ିଶା ଓ ସଂଲଗ୍ନ ରାଜ୍ୟରେ ୧୫ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ଟ୍ରଫ୍‌ଲାଇନ୍‌ରେ ପରିଣତ ହୋଇ ରାଜ୍ୟର ପାଗରେ ପରିବର୍ତ୍ତନ ଆଣିବ। ସମ୍ଭାବ୍ୟ ବର୍ଷା ଆମ୍ବ, ପଣସ ଓ କାଜୁ ସମେତ ସମସ୍ତ ଖରାଦିନିଆ ଫସଲ ପାଇଁ ଅନୁକୂଳ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe