ରଜ ଯାଏ ତାତିରୁ ମୁକ୍ତି ନାହିଁ : ଆଉ ଦୁଇ ଦିନରେ ମୌସୁମୀ କେରଳ ଛୁଇଁବ ବୋଲି ଆଶା

Advertisment
୩୭° ଉପରେ ୧୦ ସହର: ଆଜିଠୁ ଆହୁରି ବଢ଼ିବ

ଭୁବନେଶ୍ବର : ଦିନତମାମ ଖରା, ଗରମ ଓ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଅଣନିଃଶ୍ବାସୀ କରୁଛି। ରାତିରେ ବି ମୁକ୍ତି ନାହିଁ। ପଙ୍ଖା, କୁଲର୍‌ କାମ ଦେଉନି। ମୌସୁମୀ ଆସିବାକୁ ବିଳମ୍ବ ଥିବାରୁ ରଜ ଯାଏ ଏମିତି ସ୍ଥିତି ଜାରି ରହିବ। ବିଳମ୍ବରେ ମୌସୁମୀ ଆସିଲେ ବି ଭଲ ବର୍ଷା ଯେ ହେବ, ସେମିତି କିଛି ପୂର୍ବ ଆକଳନ ବି ନାହିଁ। ଜୁନ୍‌ରେ ମୌସୁମୀର ଦୁର୍ବଳ ପ୍ରଦର୍ଶନ ନେଇ ପାଣିପାଗ ବିଭାଗ ଆକଳନ କରିଥିବା ବେଳେ ଆହୁରି ଏକ ମାସ ରାଜ୍ୟବାସୀଙ୍କୁ ଏଭଳି ଗରମର ଦାଉ ସହିବାକୁ ପଡ଼ିବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଗଲାଣି। ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ, ଦକ୍ଷିଣ ଆରବସାଗର ଓ ମାଳଦୀପ ଅଞ୍ଚଳ, ଲକ୍ଷାଦ୍ବୀପର କିଛି କିଛି ଅଂଶ, ସମ୍ପୂର୍ଣ୍ଣ କୋମୋରିନ୍‌ ଅଞ୍ଚଳ, ଦକ୍ଷିଣ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରର କେତେକାଂଶକୁ ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇଛି। ଆଉ ଦୁଇ ଦିନରେ ମୌସୁମୀ କେରଳ ଛୁଇଁବ ବୋଲି ଆଶା କରାଯାଉଛି।

ଏପ‌ଟେ ଶୁକ୍ରବାର ଦିନ ରାଜ୍ୟର ତାପମାତ୍ରା ପୁଣି ରେକର୍ଡ ସ୍ତରରେ ପହଞ୍ଚିଛି। ସମ୍ବଲପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୪.୪ ଡିଗ୍ରି ରେକର୍ଡ ହୋଇଥିବା ବେଳେ ସୋନପୁର ଓ ବୌଦ୍ଧରେ ୪୪ ଡିଗ୍ରି ରହିଥିଲା। ଏଥିସହ ରାଜ୍ୟର ମୋଟ୍‌ ୨୧ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି। ପୁଣି କିଛି ଦିନର ବ୍ୟବଧାନରେ ଦ୍ବୈତନଗରୀର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ପ୍ରଚଣ୍ଡ ଗୁଳୁଗୁଳି ଯୋଗୁଁ ଏଠାରେ ୫୬ ଡିଗ୍ରିରୁ ଅଧିକ ଗରମ ଅନୁଭୂତ ହୋଇଛି।

publive-image

ସକାଳ ସାଢ଼େ ୮ଟାରେ ଭୁବ‌ନେଶ୍ବରର ତାପମାତ୍ରା ୩୪ ଡିଗ୍ରି ରହିଥିବା ବେଳେ ଆପେକ୍ଷିକ ଆର୍ଦ୍ରତା ରହିଥିଲା ୭୧%। ଫଳରେ ସକ‌ାଳୁ ସକାଳୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଥିଲା। ୪୮.୪ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ଅନୁଭବ କରିଥିଲେ ସହରବାସୀ। ସେହିଭଳି ଦିନ ସାଢ଼େ ୧୧ଟାରେ ରାଜଧାନୀର ତାପମାତ୍ରା ୩୯.୬ ଡିଗ୍ରି ରେକର୍ଡ ହୋଇଥିବା ‌ବେଳେ ଆର୍ଦ୍ରତା ରହିଥିଲା ୫୦%। ଫଳରେ ୫୬.୮ ଡିଗ୍ରି ତାପମାତ୍ରା ଭଳି ଅନୁଭବ ହୋଇଥିଲା। ସାରା ଓଡ଼ିଶା ଆଜି ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଆସନ୍ତା ୨ ଦିନ ଏହି ସ୍ଥିତି ଜାରି ରହିବ। ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ୪୨ ଡିଗ୍ରି ଉପରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପା‌ଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୬ରୁ ୧୦ ତାରିଖ ମଧ୍ୟରେ ପଶ୍ଚିମ ଓଡ଼ିଶା ବିଶେଷକରି ‌ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ଓ ସମ୍ବଲପୁରରେ ତାପମାତ୍ରା ବଢ଼ିବ। କିଛି କିଛି ସ୍ଥାନରେ ଦିନ ତାପମାତ୍ରା ୪୫ ଡିଗ୍ରି ପାର୍‌ କରିଯିବ। ଉତ୍ତର ଆଭ୍ୟନ୍ତର ଓଡ଼ିଶାରେ ୬ରୁ ୧୦ ଜୁନ୍‌ ମଧ୍ୟରେ ସର୍ବାଧିକ ତାପମାତ୍ରା ପ୍ରାୟ ୩ଡିଗ୍ରି ବଢ଼ିବ। କେନ୍ଦ୍ରୀୟ ଓଡ଼ିଶା ଯଥା, ଢେଙ୍କାନାଳ, ଅନୁଗୁଳ ଓ ଫୁଲବାଣୀରେ ଏହି ସମୟ ମଧ୍ୟରେ ଦିନ ତାପମାତ୍ରା ୪୪ଡିଗ୍ରି ଅତିକ୍ରମ କରିବ। ଭୁବନେଶ୍ବର ଓ ଏହାର ସଂଲଗ୍ନ ଅଞ୍ଚଳଗୁଡ଼ିକରେ ୧୦ରୁ ୧୩ ତାରିଖ ମଧ୍ୟରେ ତାପମାତ୍ରା ୪୨ ଡିଗ୍ରି ଉପରେ ରହିବ। ଓଡ଼ିଶାରେ ରଜ ପୂର୍ବରୁ ପ୍ରାକ୍‌ ମୌସୁମୀ ବର୍ଷା ହେବାର ସମ୍ଭାବନା କମ୍‌ ରହିଛି ବୋଲି ଡ. ପଶୁପାଳକ କହିଛି।

ଏଥିସହ ଦକ୍ଷିଣ ଆରବ ସାଗରରେ ଜୁନ୍‌ ୫ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ଘନୀଭୂତ ହେବ। ସାଧାରଣତଃ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦେଶର ପଶ୍ଚିମ ଉପକୂଳରୁ ଏହା ଦୂରେଇ ଯିବା କଥା। କିନ୍ତୁ ବିଭିନ୍ନ ମଡେଲର ଆକଳନ କହୁଛି, ଏହା ଉପକୂଳର କଡ଼େ କଡ଼େ ଯିବ ଓ କେରଳଠାରୁ ଗୁଜରାଟ ପର୍ଯ୍ୟନ୍ତ ଜୁନ୍‌ ୧୦ରୁ ୧୪ ତାରିଖ ଯାଏ ଭୀଷଣ ବର୍ଷିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe