ଓଡ଼ିଶାରେ ୪୮ ଘଣ୍ଟା ଯାଏ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି, ଚାଷୀଙ୍କ ପାଇଁ ଜାରି ହେଲା ଆଡଭାଇଜରି

ଓଡ଼ିଶାରେ ୪୮ ଘଣ୍ଟା ଯାଏ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି, ଚାଷୀଙ୍କ ପାଇଁ ଜାରି ହେଲା ଆଡଭାଇଜରି

ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ରାଜସ୍ଥାନ, ଉତ୍ତର ଛତିଶଗଡ ଓ ଉତ୍ତର ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପ୍ରଭାବରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହେବ। ସ୍ଥାନେ ସ୍ଥାନେ ୫୦ରୁ ୬୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ୪୮ ଘଣ୍ଟା ପାଇଁ ୧୨ ଜିଲ୍ଲା ପାଇଁ ଅରେଞ୍ଜ ୱ‌ାର୍ଣ୍ଣିଂ ଜାରି କରାଯିବା ସହ ବିପର୍ଯ୍ୟୟର ମୁକାବିଲା ଲାଗି ପ୍ରସ୍ତୁତ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ଯେ ଶୁକ୍ରବାର ପୂର୍ବାହ୍ନ ସୁଦ୍ଧା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବା‌ଲେଶ୍ବର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବା ସହ କିଛି ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ। ଏହାବ୍ୟତୀତ ଉତ୍ତର ଓଡ଼ିଶା, ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼ ଓ ଖୋର୍ଧା ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହାପର ୨୪ ଘଣ୍ଟା ଅର୍ଥାତ୍‌ ୧୪ ତାରିଖ ପୂର୍ବାହ୍ନ ସୁଦ୍ଧା ପାଖାପାଖି ୨୫ଟି ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ବର୍ଷା ହେବାର ଆଶଙ୍କା ରହିଛି। ୧୫ ତାରିଖ ବି ଉତ୍ତର ଓଡ଼ିଶା ସ‌ମେତ ଯାଜପୁର, ଢେଙ୍କାନାଳ, ଅନୁଗୁଳ, କଟକ, ଯାଜପୁର ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ଗତ ୩୬ ଘଣ୍ଟା ମଧ୍ୟରେ ବାଲେଶ୍ବର, ବାରିପଦା, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇଛି।

publive-image NewsHunt

ଅନ୍ୟପକ୍ଷରେ ଫସଲର ସୁପରିଚାଳନା ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ର ସମ୍ପ୍ରସାରଣ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଚାଷୀଙ୍କୁ କୃଷି ପରାମର୍ଶ ଦିଆଯାଇଛି। ଅଧିକ ବର୍ଷା ହେଲେ ବିଲରେ ଥିବା ଡାଲିଜାତୀୟ ଫସଲ, ତୈଳବୀଜ ଫସଲ, ପନିପରିବା ଓ ବିଭିନ୍ନ ଫୁଲ ଜମିରୁ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ କୁହାଯାଇଛି। ଏଥିସହ ଡାଳୁଅ ଧାନ ଜମିରେ ବର୍ଷା ପାଣି ବାନ୍ଧି ରଖନ୍ତୁ। ବର୍ଷା ଜଳକୁ ଉପଯୋଗ କରି ଖରାଟିଆ ପନିପରିବା ଲଗାଇବା ପାଇଁ ଜମି ପ୍ରସ୍ତୁତ କରନ୍ତୁ। କୀଟନାଶକ ଔଷଧ ସିଞ୍ଚନ ଓ ଜଳସେଚନ ସାମୟିକ ବନ୍ଦ ରଖନ୍ତୁ। ପନିପରିବା ଫସଲର ତଳିଘେରାକୁ ଧଳା ପଲିଥିନରେ ଘୋଡ଼ାଇ ରଖନ୍ତୁ। ଗେଣ୍ଡୁ, ଗୋଲାପ, ସେବତୀ ଆଦି ଫୁଲର ମାନ ବର୍ଷା ଯୋଗୁଁ ଖରାପ ହେବାର ସମ୍ଭାବନା ରହିଛି, ତେଣୁ ସେଗୁଡ଼ିକୁ ତୋଳି ଦିଅନ୍ତୁ। ଫୁଲକୋବି, ବନ୍ଧାକୋବି ଓ ଅନ୍ୟାନ୍ୟ ପନିପରିବା ତୋଳିବା ଅବସ୍ଥାରେ ଥିଲେ ସେଗୁଡ଼ିକୁ ତୋଳି ଦିଅନ୍ତୁ। ପିଆଜ ଓ ରସୁଣ ଅମଳ ସାପେକ୍ଷ ହୋଇଯାଇଥିଲେ, ଏହାକୁ ଆଦାୟ କରି ଖେଳେଇ କରି ଶୁଖାନ୍ତୁ। ଏହି ପ୍ରକାର ଅସମୟ ବର୍ଷା ପରିସ୍ଥିତିରେ ପିଆଜ ଓ ରସୁଣରେ ଅଗପତ୍ର ପୋଡ଼ା ରୋଗ ଦେଖାଦେବାର ସମ୍ଭାବନା ରହିଛି। ଝିପିଝିପି ବର୍ଷା ଓ କୋହଲା ପାଗ ଲାଗି ରହିଲେ ସୂର୍ଯ୍ୟମୁଖୀ, ଚିନାବାଦାମ ଆଦି ତୈଳବୀଜ ଫସଲ, ମୁଗ, ବିରି ଆଦି ଡାଲିଜାତୀୟ ଫସଲ ଓ ପନିପରିବାରେ ଜଉପୋକ ଓ ପତ୍ରପୋଡ଼ା ରୋଗ ହେବାର ସମ୍ଭାବନା ରହିଥିବାରୁ କୃଷି ବିଶେଷଜ୍ଞଙ୍କ ପରାମର୍ଶ ଦେଇ ଔଷଧ ସିଞ୍ଚନ କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe