ଲଘୁଚାପ ପ୍ରଭାବରେ ପବନ ଦିଗ ବଦଳିଲା : ମଙ୍ଗଳବାର ଯାଏଁ ଗରମ

Advertisment

ବୁଧବାର ପରେ ଶୀତ ବଢ଼ିବ

ବୁଧବାର ପରେ ଶୀତ ବଢ଼ିବ

ଲଘୁଚାପ ପ୍ରଭାବରେ ପବନ ଦିଗ ବଦଳିଲା : ମଙ୍ଗଳବାର ଯାଏଁ ଗରମ

Photo by : deccanchronicle.com

ଭୁବନେଶ୍ୱର : ରାଜ୍ୟରେ ଏବେ ପୂର୍ବ ଓ ଦକ୍ଷିଣ ପୂର୍ବ ଦିଗରୁ ପବନ ବହୁଥିବାରୁ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ରହୁଛି। ଏହା ପ୍ରଭାବରେ କମ୍‌ ଶୀତ ଅନୁଭୂତ ହେଉଛି। ରାତିରେ ବି ଯେମିତି ଶୀତ ହେବା କଥା ହେଉନି। ଏହିଭଳି ପାଗ ଆଉ ୨୪ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ। ଏହାପରେ ରାଜ୍ୟରେ ଶୀତ ଲହରି ବହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ ଶ୍ରୀଲଙ୍କା ଏବଂ ତାମିଲନାଡ଼ୁ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପବନର ଦିଗ ବଦଳିଯାଇଛି। ଏହି ସମୟରେ ସାଧାରଣତଃ ଉତ୍ତର-ପୂର୍ବ ଦିଗରୁ ପବନ ବହିଥାଏ। ଯାହା ପ୍ରଭାବରେ ଥଣ୍ଡା ଅନୁଭୂତ ହୁଏ। ହେଲେ ସମୁଦ୍ର ଦିଗରୁ ପବନ ବହୁଥିବାରୁ ବାୟୁମଣ୍ଡଳରେ ଜଳୀୟବାଷ୍ପ ରହୁଛି। ଯେଉଁଥିପାଇଁ ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ଗତକାଲି ତୁଳନାରେ ଏକରୁ ଦୁଇ ଡିଗ୍ରି ଅଧିକ ରହିଛି। ଏହି ଲଘୁଚାପ ଆସନ୍ତା ୨୪ଘଣ୍ଟା ମଧ୍ୟରେ କେରଳ ଛୁଇଁବାର ଲକ୍ଷଣ ଦେଖାଯାଉଛି। ଏହା କେରଳ ଛୁଇଁଲେ ପବନର ଦିଗ ସ୍ୱାଭାବିକ ହୋଇଯିବ। ପୁଣି ଉତ୍ତର-ପୂର୍ବ ଦିଗରୁ ପବନ ବହିବ। ଆଉ ଥଣ୍ଡା ଅଧିକ ଅନୁଭୂତ ହେବ। ଶ୍ରୀ ସାହୁଙ୍କ ସୂଚନା ଅନୁଯାୟୀ ମଙ୍ଗଳବାର ଠାରୁ ରାଜ୍ୟରେ ଅଧିକ ଥଣ୍ଡା ଅନୁଭୂତ ହେବ। ଦିନବେଳା ବି ପାରଦ କମ୍‌ ରହିବ। ରାତିରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ଖସିବ। ଯାହା ପ୍ରଭାବରେ ଆଭ୍ୟନ୍ତରୀଣ, ପଶ୍ଚିମ ଓଡ଼ିଶାରେ ଅଧିକ ଶୀତ ଅନୁଭୂତ ହେବ।

ଶନିବାର ଅପେକ୍ଷା ଆଜି ଅଧିକାଂଶ ସ୍ଥାନରେ କମ୍‌ ଥଣ୍ଡା ଅନୁଭୂତ ହୋଇଛି। ଆଜି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୩ଡିଗ୍ରି ଥିବାବେଳେ କୋରାପୁଟରେ ୧୪.୪, ଫୁଲବାଣୀରେ ୧୫ଡିଗ୍ରି, ଭବାନିପାଟଣାରେ ୧୬.୨ଡିଗ୍ରି, ହୀରାକୁଦରେ ୧୫.୧, ସୋନପୁରରେ ୧୮.୨, ସୁନ୍ଦରଗଡ଼ରେ ୧୭ଡିଗ୍ରି, କେନ୍ଦୁଝରରେ ୧୭.୯, ସମ୍ବଲପୁରରେ ୧୮.୧, ଅନୁଗୁଳରେ ୧୮, କଟକରେ ୧୯.୨, ଭୁବନେଶ୍ୱରରେ ୧୯.୮, ଝାରସୁଗୁଡ଼ାରେ ୧୭.୫ ଡିଗ୍ରି ରେକର୍ଡ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe