୫ରୁ ତାତି ବଢ଼ିବ, ବିଳମ୍ବିତ ରାତିରେ ହେବ କାଳବୈଶାଖୀ ବର୍ଷା

୫ରୁ ତାତି ବଢ଼ିବ, ବିଳମ୍ବିତ ରାତିରେ ହେବ କାଳବୈଶାଖୀ ବର୍ଷା

photo by : The Indian Express

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ପରେ ଆଜି ଅଧିକାଂଶ ସ୍ଥାନରେ ତାପମାତ୍ରା କମିଯାଇଛି। କିନ୍ତୁ ଟିଟିଲାଗଡ଼, ମାଲକାନଗିରି ଏବଂ ସୋନପୁରରେ ପାରଦ ୪୦ଡିଗ୍ରି ଉପରେ ରହିଛି। ସୋନପୁରରେ ରାଜ୍ୟରେ ସର୍ବାଧିକ ତାପମାତ୍ରା ୪୩ଡିଗ୍ରି ରେକର୍ଡ ହୋଇଛି। ପଶ୍ଚିମ ଓଡ଼ିଶାର କେତେକ ସ୍ଥାନକୁ ଛାଡ଼ିଦେଲେ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ଡିଗ୍ରି ତଳେ ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ନିୟମିତ ବ୍ୟବଧାନରେ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଥିବାରୁ ଏବଂ ସ୍ଥଳ ଭାଗରେ ପ୍ରବଳ ଖରା ହେଉଥିବାରୁ କାଳବୈଶାଖୀ ଜନିତ ବର୍ଷା ହେଉଛି। ତେଣୁ ଅପରାହ୍ନରେ କାଳବୈଶାଖୀ ଜନିତ ବର୍ଷା ପବନ ହେଉଛି। କିନ୍ତୁ ଆସନ୍ତା ୪ତାରିଖ ପର୍ଯ୍ୟନ୍ତ ବିଳମ୍ବିତ ରାତିରେ କାଳବୈଶାଖୀ ବର୍ଷା ହେବ। ବିଳମ୍ବିତ ରାତିରେ ବର୍ଷା ହେଲେ ପବନ କମ୍‌ ବହିବ। କିନ୍ତୁ ଜୋର୍‌ରେ ଘଡ଼ଘଡ଼ି ଓ ବିଜୁଳି ମାରିବ।୫ତାରିଖରୁ ରାଜ୍ୟରେ ଖରାର ପ୍ରକୋପ ବଢ଼ିବ। ପଶ୍ଚିମ ଓଡ଼ିଶାରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ପାରଦ ୪୨ଡିଗ୍ରି ଉପରେ ରହିବ। ଉପକୂଳ ଏବଂ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ପାରଦ ୪୦ଡିଗ୍ରି ପାଖାପାଖି ରହିବ ବୋଲି ଜଣାପଡ଼ିଛି।ଗତକାଲି ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ପବନ ହୋଇଥିବାବେଳେ ଦାରିଙ୍ଗବାଡ଼ିରେ ସର୍ବାଧିକ ୩୦ମିମି ବର୍ଷା ହୋଇଛି। ଆଜି ଗୋପାଳପୁରରେ ୦.୨ମିମି ବର୍ଷା ହୋଇଛି। ସୋମବାର ଅପରାହ୍ନ ସୁଦ୍ଧା ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷାପବନ ହେବ ବୋଲି ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି। ଅପରପକ୍ଷେ ଆଜି ସୋନପୁରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୩ଡିଗ୍ରି ରେକର୍ଡ ହୋଇଥିବାବେଳେ ଟିଟିଲାଗଡ଼ରେ ୪୦.୫, ମାଲକାନଗିରିରେ ୪୦.୪, ବଲାଙ୍ଗୀରରେ ୩୯.୫, ଭବାନିପାଟଣାରେ ୩୯.୩, ତାଳଚେରରେ ୩୮.୧, ସମ୍ବଲପୁରରେ ୩୯.୨, ଭୁବନେଶ୍ୱରରେ ୩୭.୧, କଟକରେ ୩୬.୫ଡିଗ୍ରି ରେକର୍ଡ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe