କରୋନା ଲଢ଼େଇ ପାଇଁ ସହଯୋଗ ଲୋଡ଼ିଲେ ସରକାର : ସ୍ବେଚ୍ଛାସେବୀଙ୍କ ପଞ୍ଜୀକରଣ ପାଇଁ ​ୱେବସାଇଟ୍‌

Advertisment
କରୋନା ମୁକାବିଲାରେ ସ୍ଵେଚ୍ଛାସେବୀମାନଙ୍କୁ ଯୋଦ୍ଧା ଭାବରେ ଯୋଗଦେବା ପାଇଁ ଆରମ୍ଭ ହେଲା ନୂଆ ୱେବସାଇଟ୍ ‘କୋଭିଡସଂଗ୍ରାମୀ’

ଭୁବନେଶ୍ବର : କରୋନା ମହାମାରୀକୁ ପ୍ରତିହତ କରିବାକୁ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ଥିବା ବ୍ୟକ୍ତିବିଶେଷ ଆଗେଇ ଆସି ସରକାରଙ୍କୁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ସେହି ଅନୁଯାୟୀ ସ୍ବେଚ୍ଛାସେବୀମାନଙ୍କ ପଞ୍ଜୀକରଣ ପାଇଁ ଆଜି ସରକାର ଏକ ଓ୍ବେବ୍‌ସାଇଟ୍‌ର ଶୁଭାରମ୍ଭ କରିଛନ୍ତି। କରୋନା ଯୋଦ୍ଧାଙ୍କ ପାଇଁ ଏହି ଓ୍ବେବ୍‌ସାଇଟଟି ହେଉଛି https://covidsangramee.odisha.gov.in। ଏହାକୁ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ଉନ୍ମୋଚନ କରିଛନ୍ତି।

ଏ ସମ୍ପର୍କରେ ଏସ୍‌ଆର୍‌ସିଙ୍କ ପକ୍ଷରୁ ଜାରି ପ୍ରେସ୍‌ ଇସ୍ତାହାରରେ କୁହାଯାଇଛି, କରୋନା ମହାମାରୀ ମୁକାବିଲା ପାଇଁ ରାଜ୍ୟ ସରକାର ତାଙ୍କର ସମସ୍ତ ସମ୍ବଳ ବିନିଯୋଗ କରୁଛନ୍ତି। ଏହା ସହିତ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନ ତଥା ସ୍ବେଚ୍ଚାସେବୀ ସଂଗଠନ ମଧ୍ୟ ଏହି ବିପର୍ଯ୍ୟୟ ମୁକାବିଲାରେ ସରକାରଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି। ଏହାସହିତ ବହୁ ଲୋକ ଏପରି ଅଛନ୍ତି, ଯେଉଁମାନେ କି କୌଣସି ସଂସ୍ଥା ସହିତ ଜଡ଼ିତ ନ ଥିଲେ ବି ସରକାରଙ୍କୁ ସହଯୋଗ କରିବା ପାଇଁ ଚାହୁଁଛନ୍ତି। ସେହିମାନଙ୍କୁ ସୁଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଏପରି ବ୍ୟବସ୍ଥା କରାଯାଇଛି।

ଏହି ଓ୍ବେବ୍‌ସାଇଟ୍‌କୁ ମିଳିତ ଜାତିସଂଘର ଶିଶୁକଲ୍ୟାଣ ପୁଞ୍ଜି ସହଯୋଗରେ ଓସ୍‌ଡମାଙ୍କ ଦ୍ବାରା ବିକଶିତ କରାଯାଇଛି। ଏହି ଓ୍ବେବ୍‌ସାଇଟ୍‌ ଜରିଆରେ ବ୍ୟକ୍ତିବିଶେଷ ତଥା ସଂସ୍ଥାଗୁଡ଼ିକ ନିଜେ ପଞ୍ଜୀକରଣ କରିପାରିବେ ଏବଂ କେଉଁ କ୍ଷେତ୍ରରେ ତାଙ୍କର କାର୍ଯ୍ୟଦକ୍ଷତା ରହିଛି ବା କେଉଁ ଅଞ୍ଚଳରେ ସେମାନେ କାମ କରିବାକୁ ଇଚ୍ଛା କରୁଛନ୍ତି ସେସବୁ ବିଷୟରେ ବିସ୍ତୃତ ତଥ୍ୟ ଦେଇପାରିବେ। କରୋନା ମହାମାରୀ ପାଇଁ ଜନସଚେତନତା, ସୂଚନା ପ୍ରଦାନ କରିବା, ଅତ୍ୟାବଶ୍ୟକ ସେବା ଯୋଗାଇବା, ସ୍ବାସ୍ଥ୍ୟ ତଥା ରିଲିଫ୍‌ କ୍ୟାମ୍ପ୍‌ ପରିଚାଳନା ଇତ୍ୟାଦି କାମ ପଞ୍ଜୀକୃତ ହୋଇଥିବା ବ୍ୟକ୍ତିବିଶେଷ କରିପାରିବେ। ଏସବୁ ସହଯୋଗ ସେମାନେ ସରକାରୀ ଅଫିସ୍‌ ବା ନିର୍ଦ୍ଦିଷ୍ଟ ଅଞ୍ଚଳ କିମ୍ବା ଘରେ ରହି ବି କରିପାରିବେ। ରାଜ୍ୟ ତଥା ଜିଲ୍ଲା ପ୍ରଶାସନ ଏହି ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ତଥ୍ୟକୁ ଆଧାର କରି ପଞ୍ଜୀକୃତ ସ୍ବେଚ୍ଛାସେବୀମାନଙ୍କୁ ଉପଯୁକ୍ତ କାର୍ଯ୍ୟରେ ବିନିଯୋଗ କରିପାରିବେ ବୋଲି ଏସ୍‌ଆର୍‌ସି ପ୍ରଦୀପ ଜେନା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe