ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ରାଜ୍ୟ ବାହାରେ ଖୋଜା ଚାଲିଛି ବୋମା ଫ୍ୟାକ୍ଟ୍ରି

Advertisment

ହତ୍ୟା ପଛରେ ପ୍ରେମ ନୁହେଁ, ପାରିବାରିକ ଗଣ୍ଡଗୋଳ!

ହତ୍ୟା ପଛରେ ପ୍ରେମ ନୁହେଁ, ପାରିବାରିକ ଗଣ୍ଡଗୋଳ!

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ରାଜ୍ୟ ବାହାରେ ଖୋଜା ଚାଲିଛି ବୋମା ଫ୍ୟାକ୍ଟ୍ରି

କଟକ : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ପଛରେ କୌଣସି ଏକତରଫା ପ୍ରେମ ନୁହେଁ ବରଂ ପାରିବାରିକ ଗଣ୍ଡଗୋଳ ରହିଥିବା ସନ୍ଦେହ କରାଯାଉଛି। ପୂର୍ବ ଶତ୍ରୁତାକୁ ନେଇ ଏଭଳି ଏକ ଜଘନ୍ୟ କାଣ୍ଡ ଘଟିଛି ବୋଲି ଏବେ କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ସନ୍ଦେହ କରି ସେହି ଦିଗରେ ତଦନ୍ତ ଆଗକୁ ବଢ଼ାଉଛି। କିନ୍ତୁ ଏହି ଘଟଣା କ୍ରାଇମ୍‌ବ୍ରାଞ୍ଚର ଏସ୍‌ଆଇଟି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପାର୍ସଲ୍‌ଟି ଛତିଶଗଡ଼ର ରାଇପୁରରେ ଯେଉଁ କୋରିଅର୍‌ ସଂସ୍ଥାରୁ ଆସିଥିଲା, ସେଠାରେ କୌଣସି ପ୍ରକାର ସିସି କ୍ୟାମେରା ଖଞ୍ଜାଯାଇନାହିଁ। ଫଳରେ ମାଷ୍ଟର ମାଇଣ୍ଡକୁ ଧରିବାରେ ସମସ୍ୟା ସୃଷ୍ଟି ହେଉଛି। ଏବେ ଏସ୍‌ଆଇଟିର ଚାରିଜଣିଆ ଟିମ୍‌ ରାୟପୁର ଗସ୍ତରେ ଅଛି। ସେଠାରେ ବିଭିନ୍ନ ଅପରାଧୀକ ଦିଗକୁ ଅନୁଧ୍ୟାନ ଚଳାଇଛି। କୋରିଅର୍‌ ସଂସ୍ଥା ସମେତ ଅନ୍ୟାନ୍ୟ ସ୍ଥାନରେ ଟିମ୍‌ ଚଢ଼ଉ ଜାରି ରଖିଛି। ଏ ପ୍ରକାର ବୋମା ଦେଶର କେଉଁ ଫ୍ୟାକ୍ଟ୍ରିରେ ପ୍ରସ୍ତୁତ କରାଯାଉଛି, ତାକୁ ଅନୁଧ୍ୟାନ କରୁଛି କ୍ରାଇମ୍‌ବ୍ରାଞ୍ଚ। ଯେଉଁ ଫ୍ୟାକ୍ଟ୍ରି ଉପରେ ସନ୍ଦେହ କରାଯାଉଛି, ସେଠି ପଚରାଉଚରା କରାଯାଉଛି। ସମ୍ପୃକ୍ତ ଫ୍ୟାକ୍ଟ୍ରିର କର୍ମଚାରୀଙ୍କ ମୋବାଇଲ୍‌ ଫୋନ୍‌ର ସିଡିଆର୍‌ ମଗାଇ ଯାଞ୍ଚ କରାଯାଉଛି। ବଲାଙ୍ଗିରର କେଉଁ ଲୋକଙ୍କ ସହିତ ସେମାନଙ୍କର ଯୋଗାଯୋଗ ହୋଇଛି କି ନାହିଁ, ତାକୁ ମଧ୍ୟ ଯାଞ୍ଚ କରାଯାଉଛି। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେଉଁ ଫ୍ୟାକ୍ଟ୍ରିରୁ ବୋମା କିଣାଯାଇଛି, ସେ ନେଇ ସ୍ପଷ୍ଟ ଚିତ୍ର ମିଳିପାରି ନାହିଁ।

ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଗତ ୨୩ ତାରିଖରେ ଗଠନ ହୋଇଥିବା କ୍ରାଇମ୍‌ବ୍ରାଞ୍ଚର ଏସ୍‌ଆଇଟି ୨୪ ତାରିଖରେ ପାଟଣାଗଡ଼ରେ ତଦନ୍ତ ଆରମ୍ଭ କରିଥିଲା। ପାଟଣାଗଡର ଯେଉଁ କୋରିଅର୍‌ ସଂସ୍ଥା ପାର୍ସଲଟିକୁ ମୃତ ସୌମ୍ୟ ଶେଖର ସାହୁଙ୍କ ଘରେ ଡେଲିଭରୀ କରିଥିଲା, ସମ୍ପୃକ୍ତ ସଂସ୍ଥାର ପାଖାପାଖି ୨୦ ସଦସ୍ୟଙ୍କୁ ଜେରା କରାଯାଇଛି। ଏହାସହିତ ସୌମ୍ୟଙ୍କ ପରିବାର ସଦସ୍ୟ, ବାହାଘରରେ ଟେଣ୍ଟ ବାନ୍ଧିଥିବା କର୍ମଚାରୀ ଏବଂ ଅନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କୁ ମିଶାଇ ୩୦ରୁ ୪୦ ଲୋକଙ୍କୁ ବର୍ତ୍ତମାନ ସୁଦ୍ଧା ଜେରା କରାଯାଇ ସାରିଲାଣି। ଜେରା ସହିତ ପାଖାପାଖି ୨୦୦ ଲୋକଙ୍କ ମୋବାଇଲ୍‌ ସିଡିଆର୍‌(କଲ୍‌ ଡିଟେଲ୍‌ ରେକର୍ଡ) ବର୍ତ୍ତମାନ ସୁଦ୍ଧା କ୍ରାଇମ୍‌ବ୍ରାଞ୍ଚ ଯାଞ୍ଚ କରିସାରିଲାଣି। ଏଥିରେ ସୌମ୍ୟଙ୍କ ସମେତ ତାଙ୍କ ପରିବାର ସଦସ୍ୟ, ସମ୍ପର୍କୀୟ ଏବଂ ସୌମ୍ୟଙ୍କ କିଛି ବନ୍ଧୁ ରହିଛନ୍ତି। ପାର୍ସଲ୍‌ ବୋମାକୁ ଅପରାଧୀ ରାୟପୁରର ଏକ କୋରିଅର୍‌ ସହାୟତାରେ ପଠାଇଥିଲା। ପରେ ସେଠୁ ଭାୟା ସମ୍ବଲପୁର ଦେଇ ବଲାଙ୍ଗିରର ପାଟଣାଗଡ଼ରେ ପହଞ୍ଚିଥିଲା। ତେଣୁ ଯେଉଁ ଯେଉଁ ଜିଲ୍ଲା ଦେଇ ପାର୍ସଲଟି ପାଟଣାଗଡ଼ ଆସିଛି, ଉକ୍ତ ଅଞ୍ଚଳରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ପହଞ୍ଚି ଯାଞ୍ଚ ଚଳାଇବା ସହିତ କର୍ମଚାରୀଙ୍କୁ ଜେରା କରୁଛି।

ଅନ୍ୟପଟେ ରିମା ସାହୁଙ୍କୁ ପୂର୍ବରୁ ଅନ୍ୟ ଜଣେ ଯୁବକ ଏକତରଫା ଭଲ ପାଉଥିବାରୁ ସେହି କାରଣରୁ ପାର୍ସଲ୍‌ ବୋମା ପଠାଇ ବିସ୍ଫୋରଣ ଘଟାଇଥିବା କଥାର କୌଣସି ସତ୍ୟତା ନଥିବା କୁହାଯାଉଛି। ଘଟଣା ପଛରେ ସୌମ୍ୟଶେଖରଙ୍କ ବାପା ତଥା ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ପରିବାର ସହିତ ପୂର୍ବରୁ ହୋଇଥିବା କୌଣସି ଗଣ୍ଡଗୋଳ ଯୋଗୁଁ ଏଭଳି ଘଟିଥିବା ସନ୍ଦେହ କରାଯାଉଛି। ସମ୍ପୃକ୍ତ ଅପରାଧୀ ପୂରା ପରିବାରକୁ ସଫା କରିବାକୁ ଏ ପ୍ରକାର ଭୟଙ୍କର ଷଡ଼ଯନ୍ତ୍ର ଭିଆଇଛି। ଜମି କିମ୍ବା ଅନ୍ୟ କୌଣସି ବ୍ୟକ୍ତିଗତ ଶତ୍ରୁତା ପାଇଁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

ରିମାଙ୍କ ଅଡିଓମେଟ୍ରି ପରୀକ୍ଷା

କଟକ : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଆହତ ରିମା ସାହୁଙ୍କର ଆଜି ଅଡିଓମେଟ୍ରି ପରୀକ୍ଷା ହୋଇଛି। ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି ହେବା ପରେ ରିମାଙ୍କ ଦୁଇ କାନକୁ କମ୍‌ ଶୁଣାଯାଉଥିବା ସେ ଡାକ୍ତରଙ୍କୁ କହିଥିଲେ। ତେଣୁ ସେବେଠାରୁ ଇଏନ୍‌ଟି ବିଭାଗରେ ତାଙ୍କର ଅଡିଓମେଟ୍ରି ପରୀକ୍ଷା କରାଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ରିମାଙ୍କ ଘା’ ଶୁଖିନଥିବାବେଳେ ଇଏନ୍‌ଟି ବିଭାଗରେ ମଧ୍ୟ ଆଉଟଡୋର ବଦଳାଯିବାକୁ ନେଇ ସବୁବେଳେ ଭିଡ଼ ରହୁଥିଲା। ତେଣୁ ଅଡିଓମେଟ୍ରି ପରୀକ୍ଷା ହୋଇପାରୁନଥିଲା। ଏବେ ରିମା ସୁସ୍ଥ ହୋଇଆସିଥିବାରୁ ତାଙ୍କୁ ଇଏନ୍‌ଟି ଆଉଟଡୋରରେ ପରୀକ୍ଷା କରାଯାଇଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଯଦି ରିପୋର୍ଟ ସ୍ୱଭାବିକ୍‌ ଆସେ ତାହେଲେ ଆସନ୍ତା ସପ୍ତାହରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇପାରେ ବୋଲି ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଅନ୍ନଦା ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe