କରୋନା ବଢ଼ାଇଲା ଗଞ୍ଜେଇ ଚାଷ: ଚଳିତ ବର୍ଷ କନ୍ଧମାଳର ୧୭୧ରୁ ୧୫୦ ପଞ୍ଚାୟତରେ ଗଞ୍ଜେଇ ମହକ

Advertisment

ଚାଷୀଙ୍କ ସହ ମିଶି ପ୍ରବାସୀ କଲେ ଗଞ୍ଜେଇ ଚାଷ

ଚାଷୀଙ୍କ ସହ ମିଶି ପ୍ରବାସୀ କଲେ ଗଞ୍ଜେଇ ଚାଷ

କରୋନା ବଢ଼ାଇଲା ଗଞ୍ଜେଇ ଚାଷ: ଚଳିତ ବର୍ଷ କନ୍ଧମାଳର ୧୭୧ରୁ ୧୫୦ ପଞ୍ଚାୟତରେ ଗଞ୍ଜେଇ ମହକ

ଫୁଲବାଣୀ: ପ୍ରତିବର୍ଷ କନ୍ଧମାଳରେ ହୁଏ ଗଂଜେଇ ଚାଷ। ହେଲେ ଚଳିତ ବର୍ଷ କରୋନା ଗଞ୍ଜେଇ ଚାଷ ବଢାଇ ଦେଇଛି। କରୋନା ଲକ୍ ଡାଉନରେ ଲୋକମାନେ କାମଧନ୍ଦା ପାଇଲେ ନାହିଁ। ବାହାର ରାଜ୍ୟରୁ ଫେରନ୍ତା ପ୍ରବାସୀ ବି ରୋଜଗାର ଶୂନ୍ୟ ହୋଇଗଲେ। ଯାହା ଫଳରେ ସେମାନେ ବି ଗଞ୍ଜେଇ ଚାଷକୁ ଆପଣାଇଲେ। ଏଥର କନ୍ଧମାଳରେ ଗଞ୍ଜେଇ ଚାଷ ଅନ୍ୟବର୍ଷ ତୁଳନାରେ ଅଧିକ ହୋଇଥିବା ଜଣା ପଡିଛି।

ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୧୭୧ ପଞ୍ଚାୟତରୁ ପ୍ରତିବର୍ଷ ୫୦ରୁ ୬୦ ପଞ୍ଚାୟତରେ ଗଞ୍ଜେଇ ଚାଷ ହୁଏ। ଏଥର ସଂଖ୍ୟା ୩ ଗୁଣା ବଢି ଯାଇଛି। ପ୍ରାୟତଃ ୧୫୦ ପଞ୍ଚାୟତରେ ଗଞ୍ଜେଇ ଚାଷ ହୋଇଛି। ବିଶେଷତଃ ଫିରିଙ୍ଗିଆ,ଗୋଛାପଡା,ସଦର,ବାଲିଗୁଡା,କେ,ନୂଆଗାଁ ଓ ରାଇକିଆ ଥାନା ଅଞ୍ଚଳରେ ଗଞ୍ଜେଇ ଚାଷ ହୋଇ ଆସୁଛି। ହେଲେ ଚଳିତ ବର୍ଷ ଗଞ୍ଜେଇ ଚାଷରେ ଯୋଡି ହୋଇଛି ସାରଙ୍ଗଗଡ,କୋଟଗଡ ଓ ତୁମୁଡିବନ୍ଧ ଥାନା। ଚଳିତ ବର୍ଷ ପ୍ରାୟତଃ ୫୦ ହଜାର ଏକର ଜାଗାରେ ଗଞ୍ଜେଇ ଚାଷ ହୋଇଛି ବୋଲି ଆକଳନ କରାଯାଉଛି।

କନ୍ଧମାଳରେ ପର୍ଯ୍ୟାପ୍ତ କାମଧନ୍ଦା ଲୋକଙ୍କୁ ଯୋଗାଇ ଦିଆଯାଉ ନାହିଁ। ବିଭିନ୍ନ ଚାଷରୁ ସେମିତି ଲାଭ ମିଳୁ ନାହିଁ। ହେଲେ ଗଞ୍ଜେଇ ଚାଷରେ କମ ପରିଶ୍ରମ ଓ ଲାଭ ଅଧିକ ଥିବାରୁ ଅନ୍ୟ ଚାଷ କରୁଥିବା ଚାଷୀ କିଛି ବର୍ଷ ହେଲା ଗଞ୍ଜେଇ ଚାଷ କରିବାକୁ ବାଧ୍ୟ ହେଉଛନ୍ତି। ଘଞ୍ଚ ଜଙ୍ଗଲକୁ ଚିହ୍ନଟ କରୁଛନ୍ତି। ଗଛ କାଟି ସଫା କରିବା ସହ ଚୋରାରେ ବିଦ୍ୟୁତ ସଂଯୋଗ କରି ନେଉଛନ୍ତି। ଆଉ ଗଞ୍ଜେଇ ଚାଷ ପାଇଁ ପାଣିର ସୁବିଧା ବି କରାଯାଉଛି। ଏସବୁ କାମରେ ସେମାନଙ୍କୁ ଗଞ୍ଜେଇ ମାଫିଆ ବି ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ କରୁଛନ୍ତି। ଗଞ୍ଜେଇ ଅମଳ ପରେ ମାଫିଆମାନେ ବିଭିନ୍ନ ଉପାୟରେ ବାହାରକୁ ଚାଲାଣ କରୁଛନ୍ତି। ଏଥିରୁ ଚାଷ କରୁଥିବା ଚାଷୀ ବି ବେଶ ଦିପଇସା ପାଉଛନ୍ତି। ଗଞ୍ଜେଇ ଚାଷ ଲୋପ କରିବାକୁ ପ୍ରଶାସନ ଓ ପୁଲିସ ସବୁ ବର୍ଷ ଗଛ କଟା ଅଭିଯାନ ଜାରି ରଖୁଛି। ହଜାର ହଜାର ଏକର ଜାଗାରୁ ଗଞ୍ଜେଇ ଗଛ କାଟି ସଫା କରାଯାଉଛି। ହେଲେ ସଫା ହେଉଥିବା ଅଞ୍ଚଳ ମାତ୍ର ୧୦୦ରୁ ୧୦ ଭାଗ।

ଗଞ୍ଜେଇ ଚାଷ ବନ୍ଦ କରିବାକୁ ପ୍ରଶାସନ ଓ ପୁଲିସ ଯେତେ ଉଦ୍ୟମ କଲେ ବି ତାହା କମୁ ନାହିଁ। ହେଲେ ଚଳିତ ବର୍ଷ କରୋନା ପାଇଁ ଅଧିକ ଅଞ୍ଚଳରେ ଗଞ୍ଜେଇ ଚାଷ ହୋଇଛି। କରୋନା ଲକ ଡାଉନ ମାସ ମାସ ଧରି ଜାରି ରହିଲା। ଏହି ସମୟରେ ଚାଷୀମାନେ ଗଞ୍ଜେଇ ଚାଷ କଲେ। ଯେଉଁମାନେ ପୂର୍ବରୁ ଗଞ୍ଜେଇ ଚାଷକୁ ନାକ ଟେକୁ ଥିଲେ ଏଥର କରିବାକୁ ମନ ବଳାଇଲେ। ଆଉ ସବୁଠାରୁ ବଡ କଥା ହେଲା ବାହାର ରାଜ୍ୟରେ କାମ କରୁଥିବା ପ୍ରବାସୀ କରୋନା ପାଇଁ କନ୍ଧମାଳକୁ ଫେରିବା ପରେ ସେମାନଙ୍କୁ କାମଧନ୍ଦା ଯୋଗାଇବାରେ ପ୍ରଶାସନ ସଫଳ ହୋଇ ପାରିଲା ନାହିଁ। ଯାହା ଫଳରେ ସେମାନେ ବି ଏଥର ଗଞ୍ଜେଇ ଚାଷ କରିବାକୁ ଲାଗି ପଡିଲେ। ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ମାସେ ହେବ ଗଂଜେଇ ଗଛ କଟା ଅଭିଯାନ ଚାଲିଛି। ରାସ୍ତା ପାର୍ଶ୍ବରୁ ଗଂଜେଇ ଗଛ କାଟୁଛନ୍ତି। ଅପହଞ୍ଚ ଓ ଉପର ପାହାଡକୁ କେହି ଯାଉ ନାହାନ୍ତି କି ସବୁଠି ଯିବା ସମ୍ଭବ ହେଉ ନାହିଁ। ହେଲେ କଟା ଅଭିଯାନକୁ ଜୋରଦାର କରାଯାଉ ନାହିଁ। ଯାହା ଫଳରେ ବିଗତ ବର୍ଷ ଭଳି ଏଥର ବି ହୋଇଥିବା ଗଂଜେଇ ଚାଷର ୧୦ ଭାଗ ବି କଟା ଯିବ କି ନାହିଁ ସନ୍ଦେହ ସୃଷ୍ଟି ହୋଇଛି। ଗଂଜେଇ ଅମଳ ପରେ ବାହାରକୁ ଚାଲାଣ ହେଉଛି। ପୁଲିସ ଓ ଅବକାରୀ ବିଭାଗ କିଛି ଗଞ୍ଜେଇ ସହ ଗାଡି ଜବତ କରିବା ସହ ୨-୩ ଜଣ ଅଭିଯୁକ୍ତଙ୍କୁ ଧରି ବାଃବାଃ ନେଉଛି। ହେଲେ ଗଞ୍ଜେଇ ଚାଷ କରିବା ପୂର୍ବରୁ ଧରପଗଡ ହେବା ଆବଶ୍ୟକତା ଥିଲେ ବି ଏଥି ପ୍ରତି ଦୃଷ୍ଠି ଦିଆଯାଉ ନଥିବା ବିଭିନ୍ନ ମହଲରୁ ଅଭିଯୋଗ ହେଉଛି। ପ୍ରଶାସନ ଓ ପୁଲିସ ଜନପ୍ରତିନିଧିଙ୍କ ସହଯୋଗ ନେଇ ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe