କଟକ: ମା’ କଟକ ଚଣ୍ତୀଙ୍କ ଦର୍ଶନରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଟକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସେଠାରେ ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା। ରାଷ୍ଟ୍ରପତିଙ୍କ ଚିତ୍ର ଆଙ୍କି ସେଠା​ରେ ତାଙ୍କୁ ସ୍ବାଗତ ଜଣାଇଥିଲେ ବକ୍ସିବଜାର ଅଞ୍ଚଳର ସୋନାକ୍ଷୀ ମହାପାତ୍ର ଓ ପ୍ରଫୁଲ୍ଲ ମହଲା। ସୋନାକ୍ଷୀ ପେନସିଲ ଆର୍ଟ କରିଥିବା ବେଳ ପ୍ରଫୁଲ୍ଲ ଡିଜିଟାଲ ଆର୍ଟ କରି ରାଷ୍ଟ୍ରପତିଙ୍କୁ ଚଣ୍ଡୀ ମନ୍ଦିର ନିକଟରେ ସ୍ବାଗତ କରିଥିଲେ।
/sambad/media/post_attachments/wp-content/uploads/2023/07/ctc-25bc-748x430.jpg)
କବିତା ଭେଟି ଦେଲେ ସ୍ବପ୍ନାରାଣୀ
ଏସ୍ସିବି ମେଡିକାଲ କଲେଜ ଛାତ୍ର ସଂସଦ ବାର୍ଷିକ ଉତ୍ସବରେ ଯୋଗ ଦେଇ ରାଷ୍ଟ୍ରପତି ଫେରିବା ସମୟରେ ଏସସିବି ମେଡିକାଲ ପରିସରରେ ତାଙ୍କୁ ଦେଖିବା ପାଇଁ ଭିଡ ଜମାଇଥିବା ଲୋକଙ୍କ ନିକଟକୁ ଚାଲି ଯାଇଥିଲେ ରାଷ୍ଟ୍ରପତି। ଏସସିବି ମେଡିକାଲ ପରିସରରେ କିଛି ବାଟ ଚାଲି ଚାଲି ଯାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେହି ସମୟରେ ବାରଙ୍ଗ ମଧୁବନ ଅଞ୍ଚଳର ସ୍ୱପ୍ନାରାଣୀ ରାଉତ ଲେଖି ଆଣିଥିବା ଏକ କବିତା ରାଷ୍ଟ୍ରପତିଙ୍କୁ ଦେଇଥିଲେ। ‘ଓଡ଼ିଆର ପ୍ରାଣ ତୁମେ ଓଡ଼ିଶା କନ୍ୟା’ କବିତା ଲେଖି ସ୍ବପ୍ନାରାଣୀ ରାଷ୍ଟ୍ରପତିଙ୍କୁ ଭେଟି ଦେଇଥିଲେ। ରମାଦେବୀ ବିଶ୍ବବିଦ୍ୟାଳୟର ଯୁକ୍ତ ଦୁଇର ଛାତ୍ରୀ ହେଉଛନ୍ତି ସ୍ବପ୍ନାରାଣୀ। ସେ ଆଜି ସକାଳୁ ଚଣ୍ତୀମନ୍ଦିର, ଶୈଳବାଳା ମହାବିଦ୍ୟାଳୟ, ନେତାଜୀ ସଂଗ୍ରହାଳୟ, ଇଣ୍ତୋର ଷ୍ଟାଡ଼ିୟମ ନିକଟ​ରେ ରାଷ୍ଟ୍ରପତିଙ୍କୁ ଏହି କବିତା ଦେବାକୁ ଉଦ୍ୟମ କରି ​ବିଫଳ ହେବା ପରେ ଏସସିବି ମେଡ଼ିକାଲ ପରିସରରେ ଅପେକ୍ଷା କରି ରହିଥିଲେ। ଶେଷରେ ତାଙ୍କର ଆଶା ପୂରଣ ହେଲା ଏବଂ ରାଷ୍ଟ୍ରପତିଙ୍କୁ କବିତା ଭେଟି ଦେବାରେ ସଫଳ ହେଲେ ସ୍ବପ୍ନାରାଣୀ।
Follow Us